ଗ୍ବାଲିଅରରେ ସ୍କୁଲ ବସ୍ ଉପରକୁ ଆଖିବୁଜା ଗୁଳିମାଡ଼
ଗ୍ବାଲିଅର : ମଧ୍ୟପ୍ରଦେଶ ଗ୍ବାଲିଅରରେ ପିଲାଙ୍କ ବସ୍ ଉପରକୁ ଗୁଳିମାଡ଼ ହୋଇଥିବା ଜଣାପଡିଛି । ଘଟଣା ସମୟରେ ସ୍କୁଲ ବସରେ ୫୦ରୁ ଅଧିକ ଛାତ୍ରଛାତ୍ରୀ ରହିଥିଲେ । ସବୁଠାରୁ ଆଶ୍ବସ୍ତିକର କଥା ଯେ, କୌଣସି ପିଲାଙ୍କୁ ଆଘାତ ଲାଗିନାହିଁ । ଗୁଳିମାଡ଼ ଯୋଗୁଁ ବସ୍ ଚାଳକ ଆହତ ହୋଇଛନ୍ତି । ତାଙ୍କୁ ଚିକିତ୍ସା ପାଇଁ ଗ୍ବାଲିଅରକୁ ରେଫର କରାଯାଇଛି । ତେବେ ରାସ୍ତାରେ ରହିଥିବା ଏକ କାର୍ ହଟାଇବାକୁ କହିବା ପରେ ବିବାଦ ଆରମ୍ଭ ହୋଇଥିଲା । କାର୍ ମାଲିକ ଏବଂ ବସ୍ ଡ୍ରାଇଭର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା, ଯାହା ପରେ ଗୁଳିମାଡ଼ ହୋଇଥିଲା ।
ଖବର ମୁତାବକ, ଗ୍ବାଲିଅର ଡବରାର ପିଛୋର ଥାନା ଅଞ୍ଚଳରେ ପିଲା ଭର୍ତ୍ତି ଥିବା ସ୍କୁଲ ବସ୍ ଅକବାଇ ଗାଁରେ ପହଞ୍ଚିଥିଲା । ଏହି ସମୟରେ ରାସ୍ତାରେ ଏକ କାର୍ ଠିଆ ହୋଇଥିଲା । ବସ୍ ଡ୍ରାଇଭର କାରରେ ଥିବା ଯୁବକଙ୍କୁ ଗାଡ଼ି ହଟାଇଲେ ବସ୍ ଯିବ ବୋଲି କହିଥିଲେ । କିନ୍ତୁ କାରରେ ଥିବା ଯୁବକ ପେଟ୍ରୋଲ ସରିଯାଇଛି ବୋଲି କହିଥିଲେ । ଏହାପରେ ବସ୍ ଚାଳକ କାରକୁ ଧକ୍କା ଦେଇ ରାସ୍ତାରୁ ହଟାଇବାକୁ କହିଥିଲେ । ଯାହାକୁ ଶୁଣିବା ପରେ କାର୍ ମାଲିକ ଏବଂ ବସ୍ ଡ୍ରାଇଭରଙ୍କ ମଧ୍ୟରେ ଝଗଡା ଆରମ୍ଭ ହୋଇଥିଲା ।
କାରରେ ଥିବା ଯୁବକ ଏକଥା ଶୁଣି ରାଗିଯାଇଥିଲେ । ଅଭିଯୋଗ ମୁତାବକ, ବସ୍ ଚାଳକ ସହିତ ପ୍ରଥମେ କାର୍ ମାଲିକ ମାରପିଟ୍ କରିଥିଲେ । ବିବାହ ବଢିବା ପରେ ଯୁବକ ଜଣକ ୪ ରାଉଣ୍ଡ ଫାୟାରିଂ କରିଥିଲେ । ଘଟଣା ସମୟରେ ବସରେ ୫୦ରୁ ଅଧିକ ପିଲା ରହିଥିଲେ । ଗୁଳିମାଡ଼ ସମୟରେ ବସରେ ପିଲାମାନେ ଭୟଭୀତ ହୋଇପଡିଥିଲେ । ତେବେ ଘଟଣାରେ କୌଣସି ପିଲା ଆହତ ହୋଇନାହାନ୍ତି ।
ଘଟଣା ବିଷୟରେ ସୂଚନା ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଘଟଣାକୁ ଗମ୍ଭୀରତାର ସହିତ ଦେଖି ଏସଡିଓପି ସୌରଭ କୁମାର ଘଟଣାସ୍ଥଳକୁ ଯାଇ ମାମଲାର ଯାଞ୍ଚ କରିଥିଲେ । ପୋଲିସ କାରରେ ଥିବା ଯୁବକଙ୍କ ପରିଚୟ ଖୋଜି ପାଇଛି । ଆହତ ବସ୍ ଚାଳକଙ୍କୁ ଚିକିତ୍ସା ପାଇଁ ହସପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ ଅଭିଯୁକ୍ତକୁ ଖୋଜିବାକୁ ଚେଷ୍ଟା ଜାରି ରଖିଛି ।
