Cyclone 2 750x430

ଏବେ ବି ଟଳିନି ବିପଦ, ଆନ୍ଧ୍ର ପରେ ଓଡ଼ିଶା ମୁହାଁ ଅର୍ଣ୍ଣବ ! ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ

Spread the love

ଭୁବନେଶ୍ୱର: ଆନ୍ଧ୍ରରେ ତାଣ୍ଡବ ରଚିଲା ଅର୍ଣ୍ଣବ। ୧୫୦ କିମି ବେଗରେ ପବନ। ଭାଙ୍ଗିଲା ଘର। ଉପୁଡ଼ିଲା ଗଛ। ଆଖି ଆଗରେ ଯିଏ ଆସିଲା ନିମିଷକେ ହୋଇଗଲା ଛାରଖାର। କାକିନାଡାରେ ବ୍ୟାପକ ଧ୍ୱଂସଲୀଳା ରଚିବା ପରେ ଏବେ ଓଡ଼ିଶା ମୁହାଁ ବାତ୍ୟା। ଏବେଠୁ ଦେଖେଇଲାଣି ଟ୍ରେଲର୍। ସନ୍ଧ୍ୟାରେ ମାଲକାନାଗିରି ଦେଇଯିବ। ଏହି ସମୟରେ ହେବ ପ୍ରବଳ ବର୍ଷା ସାଙ୍ଗକୁ ପବନ। ତେଣୁ ଆଗାମୀ ୨୪ ଘଣ୍ଟା ଓଡ଼ିଶା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏନେଇ ହାଇଆଲର୍ଟରେ ରାଜ୍ୟ ସରକାର।

ଦେଖନ୍ତୁ Morphed Integrated Microwave Imagery (MIMIC) ବାତ୍ୟା ARNABର ସେଇ ଭୟଙ୍କର ଚିତ୍ର। ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଲ୍ୟାଣ୍ଡଫଲ ପ୍ରକ୍ରିୟା କେତେ ଭୟଙ୍କର ଆପଣ ଜାଣିପାରୁଥିବେ। ବାତ୍ୟାଟି ୨୮ ଅକ୍ଟୋବରର ସକାଳେ କାକିନାଡ଼ା–ମଚ୍ଛଲିପଟ୍ଟନମ୍ ଉପକୂଳର ୟାନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଥିଲା। ତେବେ ପରସ୍ପର ବିପରୀତ ଦିଗରେ କାର୍ଯ୍ୟ କରୁଥିବା Steering Currents ଯୋଗୁଁ ଏହାର ଅଗ୍ରଗତି କିଛି ସମୟ ପାଇଁ ଧୀର ହୋଇଯାଇଥିଲା। କିନ୍ତୁ ସବ୍ଟ୍ରପିକାଲ୍ ୱେଷ୍ଟର୍ଲି ଜେଟ୍ (STWJ) ପ୍ରଭାବରେ ଏହା ପୁନର୍ବାର ଉତ୍ତର ଦିଗକୁ ଗତି କରିବା ଆରମ୍ଭ କରିଛି। ସ୍ଥଳଭାଗ ଉପରେ ଗତି କରୁଥିବାରୁ ବାତ୍ୟାର ତୀବ୍ରତା କ୍ରମଶଃ ହ୍ରାସ ପାଇବା ସମ୍ଭାବନା ରହିଛି। ହେଲେ ପ୍ରଚୁର ଜଳୀୟବାଷ୍ପ ନେଇ ଓଡ଼ିଶା ମୁହାଁ ହୋଇଥିବାରୁ ଏହା ବିପଦ ସାବ୍ୟସ୍ତ ହେବ। କାରଣ ପ୍ରବଳ ବର୍ଷା ହେବ ଅର୍ଥାତ ୨୦୦ ମିମିରୁ ଅଧିକ।

ଅର୍ଣ୍ଣବ ଓଡ଼ିଶା ଦେଇ ଛତିଶଗଡ଼ ମୁହାଁ ହେବ। ସେତେବେଳକୁ ଗଭୀର ଅବପାତ ପ୍ରଭାବରେ ଓଡ଼ିଶାରେ ବଢ଼ିବ ବର୍ଷା ଓ ପବନର ପ୍ରକୋପ। ବିଶେଷ କରି ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ଝଡ଼ ପବନ ଆଶଙ୍କା ରହିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି। କେବଳ ବର୍ଷା ନୁହେଁ, ପବନର ବେଗ ମଧ୍ୟ ବଢ଼ିବ। ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ସହ ଝଟକା ପବନର ବେଗ ୮୦ କିଲୋମିଟର ପର୍ଯ୍ୟନ୍ତ ରହିପାରେ। ବିଶେଷ କରି ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ଗଜପତି ଜିଲ୍ଲାରେ ଜୋରଦାର ପବନ ଆଶଙ୍କା ରହିଛି।

ପ୍ରବଳ ବର୍ଷାକୁ ନେଇ ଦକ୍ଷିଣ ଓଡ଼ିଶାରେ ଫ୍ଲାସ୍ ଫ୍ଲଡ୍ ବା ଆକସ୍ମିକ ବନ୍ୟାର ଆଶଙ୍କା ମଧ୍ୟ ରହିଛି। ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ରେଡ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି ରାୟଗଡ଼ା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ମଧ୍ୟ ଅତିପ୍ରବଳ ବର୍ଷା ହୋଇପାରେ। ପାଣିପାଗର ଏହି ପରିବର୍ତ୍ତନ ଯୋଗୁଁ ଦକ୍ଷିଣ ଓଡ଼ିଶାର ଅନେକ ଅଞ୍ଚଳରେ ଜନଜୀବନ ପ୍ରଭାବିତ ହେବାର ଆଶଙ୍କା ରହିଛି। ମାଲକାନଗିରି ନିକଟରେ ଗଭୀର ଅବପାତ (Deep Depression) ଚାଲିଆସିଥିବ। ସେତେବେଳେ ପବନର ସ୍ଥାୟୀ ବେଗ ଘଣ୍ଟାପ୍ରତି ୫୦–୬୦ କି.ମି. ଏବଂ ଝଟକା ପବନର ବେଗ ୭୦ କି.ମି. ପର୍ଯ୍ୟନ୍ତ ରହିପାରେ।

ଅର୍ଣ୍ଣବ ପ୍ରଭାବରେ ଭୁବନେଶ୍ୱରରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏମିତି କି ୨୦୦ ରୁ ୩୦୦ ମିଲିମିଟର ବର୍ଷା ହେଇପାରେ । ସେହିପରି କଟକରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ହେବାର ରହିଛି ସମ୍ଭାବନା। ଏହି ସମୟରେ ଜଳବନ୍ଦୀ ସ୍ଥିତି, ନିଷ୍କାସନ ହେବାରେ ସମସ୍ୟା ଦେଖା ଦେବ। ଯାହା ଫଳରେ ଆକସ୍ମିକ ବନ୍ୟା ସ୍ଥିତି ଦେଖା ଦେଇପାରେ । ଅର୍ଣ୍ଣବ ମୁକାବିଲା ନେଇ ରାଜ୍ୟ ସରକାର ବି ପ୍ରସ୍ତୁତ। SRC କହିଛନ୍ତି- ୮ ଜିଲ୍ଲାର ୨୮ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବର୍ଷା ବଢ଼ିଲେ ସ୍ଥିତି ଦେଖି ଲୋକଙ୍କୁ ସ୍ଥାନାନ୍ତର କରିବୁ। ୨୨୦୦ ଗର୍ଭବତୀଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଛୁ।

ଓଡ଼ିଶା ପାଇଁ ବିପଦ ଏବେ ବି ଟଳିନାହିଁ। ସ୍ଥଳଭାଗ ଉପରେ ଗତି କରୁଥିବାରୁ ବାତ୍ୟାର ଶକ୍ତି କମିପାରେ, ହେଲେ ଏହା ସାଙ୍ଗରେ ଆଣିଥିବା ପ୍ରଚୁର ଜଳୀୟବାଷ୍ପ ବର୍ଷାର ପ୍ରକୋପ ବଢ଼ାଇପାରେ। ଆଗାମୀ ୨୪ ଘଣ୍ଟା ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *