ଆଧାର ଲିଙ୍କ୍ ନହେଲେ ଆଉ ମିଳିବନି ଟଙ୍କା, ରାଜ୍ୟରେ DBT ପେମେଣ୍ଟରେ ପରିବର୍ତ୍ତନ
ଭୁବନେଶ୍ୱର : ଏଣିକି ଆଧାର ସିଡ୍ ବ୍ୟାଙ୍କ ଆକାଉଣ୍ଟକୁ ଯିବ DBT ଟଙ୍କା, ସବୁ ବିଭାଗକୁ ଅର୍ଥ ବିଭାଗର ନିର୍ଦ୍ଦେଶ । ସରକାରୀ ଯୋଜନାରେ ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର ବା DBT ବ୍ୟବସ୍ଥାକୁ ଆହୁରି ସ୍ୱଚ୍ଛ ଓ ସୁରକ୍ଷିତ କରିବାକୁ ପଦକ୍ଷେପ ନେଇଛନ୍ତି ଓଡ଼ିଶା ସରକାର। ଏଣିକି କେବଳ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଆଧାରରେ DBT ଟଙ୍କା ପଠାଇବା ବଦଳରେ ଆଧାର ସହ ସିଡ୍ ହୋଇଥିବା ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଟଙ୍କା ପ୍ରଦାନ ବ୍ୟବସ୍ଥାକୁ ସ୍ଥାନାନ୍ତର ପାଇଁ ବିଭିନ୍ନ ବିଭାଗକୁ କହିଛି ଅର୍ଥ ବିଭାଗ। ଅଗଷ୍ଟ ୨୪ ତାରିଖରେ ଅତିରିକ୍ତ ସଚିବ ସାଗରିକା ହୋତା ଏନେଇ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ବିଭାଗକୁ ଚିଠି ଲେଖିଛନ୍ତି।
୨୦୨୫-୨୬ ବର୍ଷର ପବ୍ଲିକ୍ ଆକାଉଣ୍ଟସ୍ କମିଟି ବା PACର ସପ୍ତମ ବୈଠକର ଆଲୋଚନାକୁ ଏଥିରେ ଉଲ୍ଲେଖ କରାଯାଇଛି। କେବଳ ବ୍ୟାଙ୍କ ଆକାଉଣ୍ଟ ବିବରଣୀ ଆଧାରରେ DBT ପେମେଣ୍ଟ ନକରିବା ଉପରେ PAC ଗୁରୁତ୍ୱ ଦେଇଥିଲା। ଅର୍ଥ ବିଭାଗର କହିବା ଅନୁସାରେ, ଆଧାର ସିଡିଂ ଦ୍ୱାରା ପ୍ରକୃତ ହିତାଧିକାରୀଙ୍କ ପରିଚୟ ଓ ପ୍ରାମାଣିକତା ଯାଞ୍ଚ ସହଜ ହୋଇଥାଏ। ହିତାଧିକାରୀଙ୍କ ଆଧାର ସହ ଯେଉଁ ବ୍ୟାଙ୍କ ଆକାଉଣ୍ଟ ମ୍ୟାପ୍ ହୋଇଥାଏ, DBT ଟଙ୍କା ସେହି ଆକାଉଣ୍ଟକୁ ପଠାଯାଇପାରିବ। ଆଧାର ଓ ବ୍ୟାଙ୍କ ରେକର୍ଡରେ ତଥ୍ୟ ମେଳ ନଖାଇଲେ ତାହା ମଧ୍ୟ ଚିହ୍ନଟ ହୋଇପାରିବ।
ଫଳରେ ଭୁଲ୍ ଆକାଉଣ୍ଟକୁ ଟଙ୍କା ଯିବା, ଜଣେ ହିତାଧିକାରୀଙ୍କ ନାଁରେ ଏକାଧିକ ଥର ଅର୍ଥ ପ୍ରଦାନ କିମ୍ବା ଅନିୟମିତ କାରବାର ରୋକିବାରେ ଏହା ସହାୟକ ହେବ। ଆଧାର NPCI ସହ ସିଡ୍ ହୋଇଥିଲେ ସାଧାରଣତଃ NPCI mapperରେ ବର୍ତ୍ତମାନ ଯେଉଁ ବ୍ୟାଙ୍କ ଆକାଉଣ୍ଟ ମ୍ୟାପ୍ ହୋଇଛି, DBT ଟଙ୍କା ସେହି ଆକାଉଣ୍ଟକୁ ଯିବ। ଅର୍ଥାତ୍ ସରକାରୀ ସହାୟତା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ସହ ଭୁଲ୍ ଓ ଜାଲିଆତିପୂର୍ଣ୍ଣ ପେମେଣ୍ଟ ଉପରେ ରୋକ୍ ଲଗାଇବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। DBT Bharat ପୋର୍ଟାଲରେ ଯେଉଁ ସବୁ ସରକାରୀ ଯୋଜନାର DBT କୋଡ୍ ରହିଛି, ସେସବୁ ଯୋଜନାରେ ଆଧାର ସିଡ୍ ଆକାଉଣ୍ଟ ଜରିଆରେ କେତେ ପେମେଣ୍ଟ ହେଉଛି ତାହାର ସ୍ଥିତି ଜଣାଇବାକୁ ବିଭାଗଗୁଡ଼ିକୁ କୁହାଯାଇଛି।
ନିର୍ଦ୍ଧାରିତ Annexure-I ଫର୍ମାଟରେ ଏହି ତଥ୍ୟ ଅର୍ଥ ବିଭାଗକୁ ଦେବାକୁ ହେବ। ଏହାସହ ଯେଉଁଠି ଏପର୍ଯ୍ୟନ୍ତ ଆଧାର ସିଡ୍ DBT ବ୍ୟବସ୍ଥା ଲାଗୁ ହୋଇନାହିଁ, ସେଠାରେ ଆବଶ୍ୟକ ପଦକ୍ଷେପ ନେଇ ଏହି ବ୍ୟବସ୍ଥାକୁ ସ୍ଥାନାନ୍ତର କରିବାକୁ କୁହାଯାଇଛି। ଗୃହ ଓ ନଗର ଉନ୍ନୟନ, ଖାଦ୍ୟ ଯୋଗାଣ, ବାଣିଜ୍ୟ ଓ ପରିବହନ, ସାମାଜିକ ସୁରକ୍ଷା, ଜଙ୍ଗଲ, ଶ୍ରମ, ପଞ୍ଚାୟତିରାଜ, ଉଚ୍ଚଶିକ୍ଷା, କୃଷି, ସ୍ୱାସ୍ଥ୍ୟ, ମିଶନ ଶକ୍ତି, ସ୍କୁଲ ଓ ଗଣଶିକ୍ଷା, ମହିଳା ଓ ଶିଶୁ ବିକାଶ ସମେତ DBT ଜରିଆରେ ବିଭିନ୍ନ ଯୋଜନାର ଅର୍ଥ ପ୍ରଦାନ କରୁଥିବା ବିଭାଗଗୁଡ଼ିକୁ ଏହି ଚିଠି ପଠାଯାଇଛି।
