Screenshot 2026 07 11 141131 750x430

ପ୍ରଥମେ ବନ୍ଦେ ମାତରମ୍, ତା’ପରେ ଜାତୀୟ ସଙ୍ଗୀତ, କେନ୍ଦ୍ରର ନିର୍ଦ୍ଦେଶାନାମା ଜାରି

Spread the love

ନୂଆଦିଲ୍ଲୀ: କେନ୍ଦ୍ର ସରକାର ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟକୁ ଜାତୀୟ ସଙ୍ଗୀତ ‘ଜନ-ଗଣ-ମନ’ ଏବଂ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ସମ୍ପର୍କରେ ନୂତନ ନିର୍ଦ୍ଦେଶାନାମା ଜାରି କରିଛନ୍ତି। ସରକାରୀ କାର୍ଯ୍ୟକ୍ରମରେ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ଗାନକୁ ନେଇ ଥିବା ଦ୍ୱନ୍ଦ୍ୱ ଦୂର କରିଛି କେନ୍ଦ୍ର ଗୃହ ମନ୍ତ୍ରଣାଳୟ। ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବ, ପ୍ରଶାସକ ଏବଂ କେନ୍ଦ୍ରୀୟ ସଚିବମାନଙ୍କୁ ଚିଠି ଲେଖି ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସ୍ପଷ୍ଟ ଗାଇଡଲାଇନ୍ ଜାରି କରାଯାଇଛି। ଆଉ ଏହି ନିୟମ ବାଧ୍ୟତାମୂଳକ।

ନୂଆ ନିୟମ ଅନୁଯାୟୀ, ଯେଉଁ ସରକାରୀ କାର୍ଯ୍ୟକ୍ରମରେ ଉଭୟ ଜାତୀୟ ସଙ୍ଗୀତ ଓ ଜାତୀୟ ଗୀତ ପରିବେଷଣ କରାଯିବ, ସେଠାରେ ପ୍ରଥମେ ଜାତୀୟ ଗୀତ ‘ବନ୍ଦେ ମାତରମ୍’ ଗାନ କରାଯିବ ଏବଂ ଏହା ପରେ ଯାଇ ଜାତୀୟ ସଙ୍ଗୀତ ‘ଜନ ଗଣ ମନ’ ଗାନ କରାଯିବ। ଏପରିକି ଯେଉଁ ରାଜ୍ୟଗୁଡ଼ିକରେ ନିଜସ୍ୱ ‘ରାଜ୍ୟ ସଙ୍ଗୀତ’ ରହିଛି, ସେଠାରେ ମଧ୍ୟ ଏହି ନିୟମ ଲାଗୁ ହେବ।ଆଉ ଏହି ନିୟମକୁ ବାଧ୍ୟତାମୂଳକ କରାଯାଇଛି।

୯ ଜୁଲାଇର ଆଦେଶରେ କୁହାଯାଇଛି ଯେ ନାଗରିକ ସମ୍ମାନ ସମାରୋହରେ, ରାଷ୍ଟ୍ରପତିଙ୍କ ଆଗମନ ଏବଂ ପ୍ରସ୍ଥାନ ସମୟର କାର୍ଯ୍ୟକ୍ରମ, ସରକାରଙ୍କ ଦ୍ୱାରା ଆୟୋଜିତ ଆନୁଷ୍ଠାନିକ କାର୍ଯ୍ୟକ୍ରମ, ରାଷ୍ଟ୍ରପତିଙ୍କ ଦ୍ୱାରା ଅଲ୍ ଇଣ୍ଡିଆ ରେଡିଓ (ଏଆଇଆର୍) ଏବଂ ଟେଲିଭିଜନରେ ଅଭିଭାଷଣ ଦେବାର ଠିକ ପୂର୍ବରୁ ଏବଂ ପରେ ଜାତୀୟ ଗୀତ ପରିବେଷଣ କରାଯିବ।

କୌଣସି କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଗୀତ ସହିତ ଏହି ଦୁଇ ଜାତୀୟ ପ୍ରତୀକ ଥିଲେ, ପ୍ରଥମେ ‘ବନ୍ଦେ ମାତରମ୍’ ଓ ତା’ପରେ ‘ଜନ ଗଣ ମନ’ ଗାନ କରାଯିବ। ଏହାଦ୍ୱାରା ରାଜ୍ୟ ସଙ୍ଗୀତର କ୍ରମକୁ ନେଇ ଥିବା ଦ୍ୱନ୍ଦ୍ୱ ସମ୍ପୂର୍ଣ୍ଣ ଦୂର ହୋଇଛି। ଗୃହ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ପରିବେଷଣ ସମୟରେ ସଠିକ୍ ସ୍କ୍ରିପ୍ଟ, ଶବ୍ଦାବଳୀ, ସ୍ୱର ଏବଂ ଶୁଦ୍ଧ ଉଚ୍ଚାରଣ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ। ଏଥିରେ କୌଣସି ପ୍ରକାରର ତ୍ରୁଟି ଆଦୌ ଗ୍ରହଣୀୟ ହେବ ନାହିଁ। କେଉଁଠି ଏହା ବାଧ୍ୟତାମୂଳକ ଏବଂ କେଉଁଠି ଇଚ୍ଛାଧୀନ, ତାର ଏକ ବିସ୍ତୃତ ତାଲିକା ମଧ୍ୟ ପଠାଯାଇଛି। ନିଜ ଅଧୀନରେ ଥିବା ସମସ୍ତ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଅନୁଷ୍ଠାନଗୁଡ଼ିକରେ ଏହି ନିୟମକୁ ତୁରନ୍ତ ଲାଗୁ କରିବା ପାଇଁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରୀୟ ମନ୍ତ୍ରଣାଳୟଗୁଡ଼ିକୁ କୁହାଯାଇଛି।

 

Leave a Reply

Your email address will not be published. Required fields are marked *