Screenshot 2025 12 31 192713 750x430

ଦୂଷିତ ପାଣି ହେଲା କାଳ: ଇନ୍ଦୋରରେ ଜୀବନ ହାରିଲେଣି ୮, ଅନେକ ହସ୍ପିଟାଲରେ ଭର୍ତ୍ତି

Spread the love

ଇନ୍ଦୋର: ଦେଶର ସବୁଠାରୁ ସ୍ୱଚ୍ଛ ସହର ଇନ୍ଦୋର। କିନ୍ତୁ ଏହି ସହରରେ ହଠାତ୍ ଦୂଷିତ ପାଣି ସାଜିଲା କାଳ। ସୂଚନା ଅନୁସାରେ ଭାଗୀରଥପୁରାରେ ଦୂଷିତ ପାଣି ପିଇବା ପରେ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ଏହା ସହିତ, ବିଭିନ୍ନ ହସ୍ପିଟାଲରେ ୬୬ରୁ ଅଧିକ ଅସୁସ୍ଥ ଲୋକଙ୍କୁ ଚିକିତ୍ସା କରାଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଏହି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଶାସନ କହିଛି ଯେ ତିନି ଜଣଙ୍କର ମୃତ୍ୟୁ ଦୂଷିତ ପାଣି ଯୋଗୁଁ ହୋଇଛି ଏବଂ ପାଞ୍ଚ ଜଣଙ୍କର ହୃଦଘାତ ଯୋଗୁଁ ମୃତ୍ୟୁ ହୋଇଛି।

ଅନ୍ୟପଟେ ଏହି ଘଟଣାକୁ ନେଇ ରାଜନୀତି ମଧ୍ୟ ଆରମ୍ଭ ହେବାରେ ଲାଗିଲାଣି। କଂଗ୍ରେସ ରାଜ୍ୟ ସଭାପତି ଜିତୁ ପଟୱାରୀ ସରକାର ଏବଂ ବିଜେପି ଉପରେ ଆକ୍ରମଣ କରିଛନ୍ତି। ଜିତୁ ପଟୱାରୀ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଲେଖିଛନ୍ତି, “ଇନ୍ଦରରେ ଦୂଷିତ ପାଣି ପିଇବା ଯୋଗୁଁ ୮ ଜଣଙ୍କର ମୃତ୍ୟୁ ଅତ୍ୟନ୍ତ ଦୁଃଖଦ ଏବଂ ଚିନ୍ତାଜନକ। ମୋହନ ଯାଦବ, ଆପଣଙ୍କ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛି। ଆପଣଙ୍କ ସରକାରଙ୍କ ଅବହେଳା ଏବଂ ଦୁର୍ନୀତି ଆମ ଇନ୍ଦୋରରେ ନିରୀହ ଲୋକଙ୍କ ଜୀବନ ନେଉଛି।”

ଏହି ଘଟଣାର ତଦନ୍ତ କରି ମୁଖ୍ୟମନ୍ତ୍ରୀ ଡକ୍ଟର ମୋହନ ଯାଦବ ଗତକାଲି ବିଳମ୍ବିତ ରାତିରେ ଜୋନାଲ ଅଧିକାରୀ ଶାଲିଗ୍ରାମ ଶୀତୋଲେ ଏବଂ ସହକାରୀ ଇଞ୍ଜିନିୟର-ଇନ୍-ଚାର୍ଜ (PHE) ଯୋଗେଶ ଜୋଶୀଙ୍କୁ ନିଲମ୍ବିତ କରିଛନ୍ତି। ଏକ ତିନି ସଦସ୍ୟ ବିଶିଷ୍ଟ ତଦନ୍ତ କମିଟି ମଧ୍ୟ ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ ମୃତକଙ୍କ ପରିବାରକୁ ₹୨ ଲକ୍ଷ କ୍ଷତିପୂରଣ ଘୋଷଣା କରିଛନ୍ତି।

ସୂଚନା ଅନୁସାରେ ଏହି ଅଞ୍ଚଳରେ ବାନ୍ତି, ଝାଡ଼ା, ପେଟ ଯନ୍ତ୍ରଣା ଏବଂ ଦୁର୍ବଳତା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇଛି। ପ୍ରାୟ ୨୦୦୦ ଲୋକ ଏଥିରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଅନେକ ରୋଗୀଙ୍କୁ ଇନ୍ଦୋରର ବିଭିନ୍ନ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସ୍ୱାସ୍ଥ୍ୟ ବିଭାଗର ୨୫ ରୁ ୩୦ ଦଳ ଘର ଘର ବୁଲି ସର୍ଭେ କରୁଛନ୍ତି। ଏପର୍ଯ୍ୟନ୍ତ ୧୧୦୦ ରୁ ଅଧିକ ଘର ଯାଞ୍ଚ କରାଯାଇଛି ଏବଂ ବାସିନ୍ଦାଙ୍କୁ ଫୁଟା ପାଣି ପିଇବାକୁ ପରାମର୍ଶ ଦିଆଯାଇଛି। ପାଣି ନମୁନା ପରୀକ୍ଷା ପାଇଁ ପଠାଯାଇଛି, ୪୮ ଘଣ୍ଟା ମଧ୍ୟରେ ରିପୋର୍ଟ ଆସିବାର ସମ୍ଭାବନା ରହିଛି।

 

Leave a Reply

Your email address will not be published. Required fields are marked *