State ବାଙ୍ଗାଲୋରରେ ଭଡ଼ା ଘରୁ ଉଦ୍ଧାର ହେଲା ଓଡ଼ିଆ ଦମ୍ପତିଙ୍କ ମୃତଦେହ kartabya October 22, 2025 Spread the loveକେନ୍ଦୁଝର: ତେଲକୋଇ ବ୍ଲକ୍ରେ ଦାଦନ ଦୁଃଖ। ବାଙ୍ଗାଲୋରରେ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ। ଭଡ଼ା ଘରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ରହିଛି। ବାଙ୍ଗାଲୋରରେ କାମ କରୁଥିବା ଦେଉଳଡିହା ଗ୍ରାମର ଦମ୍ପତିଙ୍କ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ମୃତ ଦମ୍ପତି ହେଲେ ରାକେଶ ପାତ୍ର (୨୫) ଓ ସୀମା ନାୟକ । ସୂଚନା ମୁତାବକ, ଦେଉଳଡିହା ଗ୍ରାମର ଟଙ୍କଧର ପାତ୍ରଙ୍କ ପୁଅ ସ୍ଥାନୀୟ ଛାମୁଣ୍ଡା ପଞ୍ଚାୟତ ସିରିଆ ବାହାଳ ଗ୍ରାମର ହୃଦାନନ୍ଦ ନାୟକଙ୍କ ଝିଅ ସୀମାକୁ ତିନି ଚାରି ବର୍ଷ ପୂର୍ବେ ପ୍ରେମ ବିବାହ କରିଥିଲେ। ବିବାହ ପରେ ରାକେଶ ପତ୍ନୀଙ୍କୁ ଧରି ବାଙ୍ଗାଲୋର ଚାଲି ଯାଇଥିଲେ। ସେଠାରେ ରାକେଶ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ ଏବଂ ଏକ ଭଡ଼ା ଘରେ ଉଭୟ ରହୁଥିଲେ। ବାଙ୍ଗାଲୋରରେ ରହିବାର ତିନି ବର୍ଷ ମଧ୍ୟରେ ଉଭୟ ଦେଉଳଡିହା ସ୍ଥିତ ଗ୍ରାମକୁ ଥରେ କି ଦୁଇ ଥର ମଧ୍ୟ ଆସିଥିବା ଜଣାଯାଏ। ତେବେ ଉଭୟଙ୍କ ମୃତଦେହ ଉକ୍ତ ଭଡ଼ା ଘରୁ ବାଙ୍ଗାଲୋର ପୁଲିସ ଉଦ୍ଧାର କରିଛି। ଏହା ଆତ୍ମହତ୍ୟା କି ହତ୍ୟା ଜଣା ପଡିନାହିଁ। ଅନ୍ୟପଟେ ରାକେଶଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇ ଥିବାରୁ ପୁଅ, ବୋହୂଙ୍କ ମୃତଦେହ ପୈତୃକ ଗ୍ରାମକୁ ଆଣିବାକୁ ଅସମର୍ଥ ହୋଇପଡିଛନ୍ତି। ଏ ନେଇ ରାକେଶଙ୍କ ପରିବାର ଓ ଗ୍ରାମବାସୀ ପ୍ରଶାସନର ସହଯୋଗ ପାଇଁ ଗୁହାରି କରିଛନ୍ତି। ଏ ସମ୍ବନ୍ଧରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପୂର୍ଣ୍ଣଚନ୍ଦ୍ର ନାଏକଙ୍କୁ ପଚାରିବାରୁ ଏ ନେଇ ଜିଲ୍ଲା ଶ୍ରମ ଅଧିକାରୀଙ୍କ ସହିତ ଯୋଗାଯୋଗ କରାଯାଇଛି ପରବର୍ତ୍ତୀ ପଦକ୍ଷେପ ଶ୍ରମ ବିଭାଗ ନେବ ବୋଲି କହିଛନ୍ତି ।