Highcourt 750x430 1

ଜେଲରେ କଏଦୀଙ୍କ ମୃତ୍ୟୁ ମାମଲା: ପତ୍ନୀଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ସରକାରୀ ଚାକିରି ଦେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

Spread the love

କଟକ: ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ସ୍ୱତନ୍ତ୍ର ଉପକାରାଗାରରେ ଜଣେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶା ହାଇକୋର୍ଟ ରାଜ୍ୟ ସରକାରଙ୍କୁ ମୃତକଙ୍କ ପତ୍ନୀଙ୍କୁ ୧୫ ଲକ୍ଷ ଟଙ୍କା କ୍ଷତିପୂରଣ ଓ ଏକ ଚତୁର୍ଥ ଶ୍ରେଣୀ (Group-D) ସରକାରୀ ଚାକିରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜେଲ୍ କର୍ତ୍ତୃପକ୍ଷଙ୍କ ଅବହେଳା ଏବଂ ସହ-କଏଦୀଙ୍କ ଆକ୍ରମଣ କାରଣରୁ ଏହି ମୃତ୍ୟୁ ଘଟିଥିବା ପ୍ରମାଣିତ ହେବା ପରେ ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀ ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି।

୨୦୨୩ ମସିହା ଜୁଲାଇ ୧୧ ତାରିଖରେ ବେଲଗୁଣ୍ଠା ପୋଲିସ ଏକ ଚୋରି ମାମଲାରେ ଚରଣ ବେହେରାଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇଥିଲା। ତାଙ୍କୁ ଭଞ୍ଜନଗର ସ୍ୱତନ୍ତ୍ର ଉପକାରାଗାରରେ ରଖାଯାଇଥିଲା। ଜୁଲାଇ ୧୫ ତାରିଖରେ ଅସୁସ୍ଥତା ଦର୍ଶାଇ ତାଙ୍କୁ ଭଞ୍ଜନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଜେଲ୍ କର୍ତ୍ତୃପକ୍ଷ ଏହାକୁ ହୃଦ୍‌ଘାତ ବୋଲି ଦର୍ଶାଇବାକୁ ଚେଷ୍ଟା କରିଥିଲେ। ମାତ୍ର ବିଚାର ବିଭାଗୀୟ ତଦନ୍ତ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଥିଲା ଯେ ସହ-କଏଦୀଙ୍କ ମାଡ଼ ଯୋଗୁଁ ତାଙ୍କ ଶରୀରରେ ଅନେକ ଆଘାତ ଲାଗିଥିଲା। ଜେଲ୍ କର୍ମଚାରୀଙ୍କ ଘୋର ଅବହେଳା ପାଇଁ ଏହି ହତ୍ୟାକାଣ୍ଡ ଘଟିଥିବା ତଦନ୍ତରେ ସ୍ପଷ୍ଟ ହୋଇଥିଲା। ମୃତ ଚରଣ ବେହେରାଙ୍କ ପତ୍ନୀ ଶଶୀ ବେହେରାଙ୍କ ଆବେଦନର ଶୁଣାଣି କରି ଓଡ଼ିଶା ହାଇକୋର୍ଟ କ୍ଷତିପୂରଣ ବଣ୍ଟନ ଓ ସରକାରୀ ଚାକିରି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ନିର୍ଦ୍ଦେଶ ଅନୁସାରେ ମୋଟ ୧୫ ଲକ୍ଷ ଟଙ୍କା ମଧ୍ୟରୁ ୧୦ ଲକ୍ଷ ଟଙ୍କା ସିଧାସଳଖ ମୃତକଙ୍କ ପତ୍ନୀ ଶଶୀ ବେହେରାଙ୍କୁ ପ୍ରଦାନ କରାଯିବ। ଅବଶିଷ୍ଟ ୫ ଲକ୍ଷ ଟଙ୍କା ସେମାନଙ୍କ ନାବାଳିକା ଝିଅ ନାଁରେ ୬ ବର୍ଷ ପାଇଁ ସ୍ଥାୟୀ ଜମା (Fixed Deposit) ରଖାଯିବ। ପରିବାରର ଆର୍ଥିକ ଦୁଃସ୍ଥିତି ଏବଂ ମୃତକଙ୍କ ଉପରେ ନିର୍ଭରଶୀଳ ତିନି ନାବାଳକ ସନ୍ତାନ ଓ ବୃଦ୍ଧ ପିତାମାତାଙ୍କ କଥା ବିଚାର କରି ପତ୍ନୀଙ୍କୁ ଅନୁକମ୍ପାମୂଳକ ଭାବେ ଏକ ଉପଯୁକ୍ତ ଚତୁର୍ଥ ଶ୍ରେଣୀ (Group-D) ପଦବୀରେ ନିଯୁକ୍ତି ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ରାୟର ନକଲ ପାଇବାର ଦୁଇ ମାସ ମଧ୍ୟରେ କ୍ଷତିପୂରଣ ରାଶି ପ୍ରଦାନ ଏବଂ ନିଯୁକ୍ତି ପ୍ରକ୍ରିୟା ଶେଷ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ୨୦୨୩ ମସିହାର ଏକ ସରକାରୀ ବିଜ୍ଞପ୍ତି ଆଧାରରେ ପରିବାରକୁ କେବଳ ୩ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିପାରିବ ବୋଲି ରାଜ୍ୟ ସରକାର ଯୁକ୍ତି ବାଢ଼ିଥିଲେ। ମାତ୍ର ହାଜତ ମୃତ୍ୟୁ କ୍ଷେତ୍ରରେ ମୌଳିକ ଅଧିକାରର ଉଲ୍ଲଂଘନ ହୋଇଥିବା ଦର୍ଶାଇ ହାଇକୋର୍ଟ ସରକାରଙ୍କ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *