ହୋଟେଲରେ ଅଗ୍ନିକାଣ୍ଡ, ଶ୍ୱାସରୁଦ୍ଧ ହୋଇ ଜଣେ ମୃତ
ମହାରାଷ୍ଟ୍ର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାରୁ ଏକ ଦୁଃଖଦ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ନାଗପୁର ଜିଲ୍ଲାର ବଜାରଗାଁ ଅଞ୍ଚଳରେ ଥିବା ଅନନ୍ତାରା ନାମକ ଏକ ହୋଟେଲରେ ଗୁରୁବାର ରାତିରେ ଏହି ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ ଜଣେ ବ୍ୟକ୍ତି ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଥିବା ଖବର ମିଳିଛି । ତେବେ ନିଆଁ ଲାଗିବାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାର ତଦନ୍ତ କରୁଛନ୍ତି ।
ସୂଚନାନୁଯାୟୀ, ନାଗପୁର-ଅମରାବତୀ ଜାତୀୟ ରାଜପଥ କଡ଼ରେ ଥିବା ବଜାରଗାଁର ଏକ ହୋଟେଲରେ ଶୁକ୍ରବାର ରାତିରେ ଭୟଙ୍କର ନିଆଁ ଲାଗିଥିଲା । ଦେଖୁ ଦେଖୁ ନିଆଁ ସମଗ୍ର ହୋଟେଲରେ ବ୍ୟାପିଯାଇଥିଲା । ଏହି ଅଗ୍ନିକାଣ୍ଡ ଯୋଗୁଁ ହୋଟେଲ ଧୂଆଁରେ ଭରିଯାଇଥିଲା । ଫଳରେ ଶ୍ୱାସରୁଦ୍ଧ ହୋଇ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିଲା । ଏହି ଅଗ୍ନିକାଣ୍ଡରେ ହୋଟେଲଟି ସମ୍ପୂର୍ଣ୍ଣ ଜଳି ପାଉଁଶ ହୋଇଯାଇଛି । ହୋଟେଲରେ ଅଗ୍ନିକାଣ୍ଡ ବ୍ୟାପିବା ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଥିଲା । ଏହାପରେ ତୁରନ୍ତ ସୂଚନା ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଆରମ୍ଭ କରିଥିଲେ । ଦୀର୍ଘ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିବାରେ ଅଗ୍ନିଶମ ବିଭାଗ ସଫଳ ହୋଇଥିଲେ ।
ସୂଚନାଯୋଗ୍ୟ, ଏହା ପୂର୍ବରୁ ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାରେ ମଧ୍ୟ ଅଧରାତିରେ ଏକ କିରାନା ଦୋକାନରେ ଭୟାବହ ଅଗ୍ନିକାଣ୍ଡ ଘଟିଥିଲା । ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୬ ଜଣଙ୍କର ଦୁଃଖଦ ମୃତ୍ୟୁ ହୋଇଥିବାବେଳେ ଜଣେ ବ୍ୟକ୍ତି କୌଣସି ପ୍ରକାରେ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ । ଘଟଣାସ୍ଥଳରୁ ମିଳିଥିବା ସୂଚନା ଅନୁସାରେ, ନାଗପୁରର ଏହି ହୋଟେଲ ଅଗ୍ନିକାଣ୍ଡରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ନାମ ମନୋଜ ସଦାଶିବରାଓ ବାଣ୍ଡେ । ସେ ଅମରାବତୀ ଜିଲ୍ଲାର ବାସିନ୍ଦା ଥିଲେ । ସେ ଅମରାବତୀର ଅଞ୍ଜନଗାଁ ସୁରଜୀ ତହସିଲ କାର୍ଯ୍ୟାଳୟରେ ମଣ୍ଡଳ ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ । ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବିଭାଗର ୬ଟି ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ଲଗାତାର ପାଣି ସିଞ୍ଚନ କରିଥିଲେ । ଅଗ୍ନିଶମ କର୍ମଚାରୀମାନେ ଦୀର୍ଘ ସମୟ ଧରି କଠିନ ପରିଶ୍ରମ କରି ନିଆଁକୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ । ତେବେ ହୋଟେଲରେ ନିଆଁ ଲାଗିବାର ପ୍ରକୃତ କାରଣ ଏବେ ସୁଦ୍ଧା ଜଣାପଡ଼ିନାହିଁ। ପୁଲିସ ଓ ଅଗ୍ନିଶମ ବିଭାଗ ଏହି ସମଗ୍ର ଘଟଣାର ତଦନ୍ତ ଜାରି ରଖିଛନ୍ତି ।
