ଉତ୍ତରପ୍ରଦେଶ ରାଜନୀତିରେ ନୂଆ ସମୀକରଣ, ଚନ୍ଦ୍ରଶେଖର ଆଜାଦ ହେଲେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ରାଜନୀତିରେ ନୂଆ ସମୀକରଣ । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ଚନ୍ଦ୍ରଶେଖର ଆଜାଦ । ୨୦୨୭ ବିଧାନସଭା ନିର୍ବାଚନ ପାଇଁ AIMIM ଓ ଆଜାଦ ସମାଜ ପାର୍ଟି ମଧ୍ୟରେ ମେଣ୍ଟ ଘୋଷଣା । ୪୦୩ ଆସନରେ ଲଢ଼ିବ ‘ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା’। ୨୦୨୭ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ରାଜ୍ୟ ରାଜନୀତିରେ ନୂଆ ସମୀକରଣ ସୃଷ୍ଟି ହୋଇଛି। ଅସଦୁଦ୍ଦିନ ଓୱେସୀଙ୍କ ଅଲ୍ ଇଣ୍ଡିଆ ମଜଲିସ୍-ଏ-ଇତ୍ତେହାଦୁଲ୍ ମୁସଲିମିନ୍ ବା AIMIM ଓ ଚନ୍ଦ୍ରଶେଖର ଆଜାଦଙ୍କ ଆଜାଦ ସମାଜ ପାର୍ଟି ASP ମଧ୍ୟରେ ନିର୍ବାଚନୀ ମେଣ୍ଟ ଘୋଷଣା କରାଯାଇଛି । ଏହି ମେଣ୍ଟର ନାମ ରଖାଯାଇଛି ‘ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା’ ବା SPM। ଗୁରୁବାର ଲକ୍ଷ୍ନୌରେ ଆୟୋଜିତ ମିଳିତ ସାମ୍ବାଦିକ ସମ୍ମିଳନୀରେ AIMIM ମୁଖ୍ୟ ଅସଦୁଦ୍ଦିନ ଓୱେସୀ ଏହି ଘୋଷଣା କରିଛନ୍ତି । ଆଜାଦ ସମାଜ ପାର୍ଟି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କୁ ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଥିବା ସେ ସୂଚନା ଦେଇଛନ୍ତି ।
ଓୱେସୀ କହିଛନ୍ତି, ଚନ୍ଦ୍ରଶେଖର ଆଜାଦଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରି ସେ ଖୁସି। ନବଗଠିତ ସାମାଜିକ ପରିବର୍ତ୍ତନ ମୋର୍ଚ୍ଚା ଏକ ଶକ୍ତିଶାଳୀ ମେଣ୍ଟ ଏବଂ ଏହା ରାଜନୈତିକ ଓ ବୌଦ୍ଧିକ ସଚ୍ଚୋଟତା ଉପରେ ଆଧାରିତ ବୋଲି ସେ ଦାବି କରିଛନ୍ତି । ଆସନ୍ତା ନଭେମ୍ବର ୨୬ ତାରିଖରେ ଏକ ବଡ଼ ରାଲି ଆୟୋଜନ ପାଇଁ ମଧ୍ୟ ମେଣ୍ଟ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଉତ୍ତରପ୍ରଦେଶ ବିଧାନସଭାରେ ମୋଟ ୪୦୩ଟି ଆସନ ରହିଛି । ସରକାର ଗଠନ ପାଇଁ ୨୦୨ଟି ଆସନ ଆବଶ୍ୟକ । ନୂଆ ମେଣ୍ଟ ସମସ୍ତ ୪୦୩ଟି ଆସନରେ ନିର୍ବାଚନ ଲଢ଼ିବାକୁ ଘୋଷଣା କରିଛି । ଏହି ମେଣ୍ଟ ମାଧ୍ୟମରେ ଦଳିତ ଓ ମୁସଲିମ ଭୋଟରଙ୍କ ମଧ୍ୟରେ ଏକ ନୂଆ ରାଜନୈତିକ ସମୀକରଣ ଗଢ଼ିବାକୁ ଉଭୟ ଦଳ ଉଦ୍ୟମ କରିପାରନ୍ତି । ବିଶେଷକରି ବିଜେପି ଓ ସମାଜବାଦୀ ପାର୍ଟି ମଧ୍ୟରେ ମୁଖ୍ୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତା ଥିବା ଉତ୍ତରପ୍ରଦେଶରେ ଏହି ତୃତୀୟ ମେଣ୍ଟ କେତେ ପ୍ରଭାବ ପକାଇବ, ତାହା ଉପରେ ନଜର ରହିବ । ତେବେ ନୂଆ ମେଣ୍ଟ ଦଳିତ ଓ ସଂଖ୍ୟାଲଘୁ ଭୋଟକୁ ନିଜ ସପକ୍ଷରେ ଏକାଠି କରିପାରିବ ନା ଏହା ବିରୋଧୀ ଭୋଟରେ ନୂଆ ବିଭାଜନ ସୃଷ୍ଟି କରିବ, ତାହା ୨୦୨୭ ନିର୍ବାଚନର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଶ୍ନ ହୋଇପାରେ ।
