Bjd 4

ନିର୍ବାଚନ ପ୍ରକ୍ରିୟାର ସିଏଜି ଅଡିଟ ଦାବି କରି ନିର୍ବାଚନ କମିଶନଙ୍କୁ ଭେଟିଲା ବିଜେଡିର ସଂସଦୀୟ ଟିମ

Spread the love

ନୂଆଦିଲ୍ଲୀ : ନିର୍ବାଚନ ପ୍ରକ୍ରିୟାର ସିଏଜି କିମ୍ବା ନିରପେକ୍ଷ ଅଡିଟରଙ୍କ ଦ୍ବାରା ଅଡିଟ କରିବାକୁ ଦାବି କରିଛି ବିଜେଡି । ଗତ ସାଧାରଣ ନିର୍ବାଚନରେ ହୋଇଥିବା ଅନିୟମିତତା ଅଭିଯୋଗ ପ୍ରସଙ୍ଗରେ ଆଜି ପୁଣି ଥରେ ନିର୍ବାଚନ କମିଶନଙ୍କୁ ଭେଟି ଏହି ଦାବି କରିଛି ବିଜେଡିର ସଂସଦୀୟ ଟିମ ।

ପୂର୍ବତନ ସାଂସଦ ଅମର ପଟ୍ଟନାୟକଙ୍କ ନେତୃତ୍ବରେ ବିଜେଡି ସାଂସଦ ମାନସ ରଂଜନ ମଙ୍ଗରାଜ, ମୁନ୍ନା ଖାଁ, ସୁଲତା ଦେଓ, ସସ୍ମିତ ପାତ୍ର, ଦେବାଶିଷ ସାମନ୍ତରାୟ, ଶୁଭାଶିଷ ଖୁଣ୍ଟିଆ, ନିରଂଜନ ବିଶି ନିର୍ବାଚନ କମିଶନଙ୍କୁ ପୂରା ନିର୍ବାଚନ ପ୍ରକ୍ରିୟାର ଅଡିଟ କରିବାକୁ ଦାବି କରିଛନ୍ତି । ଏଥିସହିତ ନିର୍ବାଚନ ପ୍ରକ୍ରିୟାର ବରିଷ୍ଠ ନାଗରିକଙ୍କ ଦ୍ବାରା ତଦାରଖ କରିବାକୁ ଦାବି କରିଛନ୍ତି । ସବୁ ବୁଥରେ ଭିଭିପାଟ ଚିରକୁଟ ଓ ଇଭିଏମ ଗଣତି ମଧ୍ୟରେ ତାଳମେଳ କରିବାକୁ ମଧ୍ୟ ଦାବି କରାଯାଇଛି । ଏଥିସହିତ ୩୦ ଦିନର ସମୟ ସୀମା ମଧ୍ୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ଫର୍ମ ୧୭-ସି ଯେକୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଧିଷ୍ଟ ଫି ଦାଖଲ ପରେ ପ୍ରଦାନ କରିବାକୁ ବିଜେଡି ପ୍ରସ୍ତାବ ଦେଇଛି ।

ଏହା ପୂର୍ବରୁ ଗତ ଡିସେମ୍ବର ୨୩ ତାରିଖରେ ବିଜେଡି ସଂସଦୀୟ ଟିମ ନିର୍ବାଚନ କମିଶନଙ୍କୁ ଭେଟି ନିର୍ବାଚନରେ ହୋଇଥିବା ଅନିୟମିତତା ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ରିଟର୍ଣ୍ଣିଂ ଅଫିସର ଦେଉଥିବା ତଥ୍ୟ ଓ ନିର୍ବାଚନ କମିଶନଙ୍କ ତଥ୍ୟରେ ମଧ୍ୟ ସନ୍ଦେହଜନକ ଭାବେ ତାରତମ୍ୟ ରହିଥିଲା। ଗୋଟିଏ ଗୋଟିଏ ବୁଥରେ ମୋଟ ଭୋଟର ସଂଖ୍ୟା ଓ ପୋଲିଂ ସଂଖ୍ୟା ମଧ୍ୟରେ ତାଳମେଳ ନ ଥିଲା। ଗୋଟିଏ ଗୋଟିଏ ବୁଥରେ ଦେଖାଦେଇଥିବା ତାରତମ୍ୟ ସାମଗ୍ରିକ ଭାବେ ଉଭୟ ବିଧାନସଭା ଓ ଲୋକସଭା ଫଳାଫଳକୁ ପ୍ରଭାବିତ କରିଥିବା ବିଜେଡି ଟିମ ଆଶଙ୍କା ପ୍ରକାଶ କରିଥିଲା। ଇଭିଏମ ଓ ଭିଭିପାଟ ବ୍ୟବହାରରେ ଭୋଟିଂକୁ ଦେଖାଦେଇଥିବା ଏଭଳି ତାରତମ୍ୟ ପୂରା ନିର୍ବାଚନ ପ୍ରକ୍ରିୟାର ସ୍ଵଚ୍ଛତାକୁ ନେଇ ସନ୍ଦେହ ସୃଷ୍ଟି କରିଛି ବୋଲି ବିଜେଡି ଅଭିଯୋଗ କରିଥିଲା।

Leave a Reply

Your email address will not be published. Required fields are marked *