Yi

ୟୁ-ଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି, ସୋ’ ଆରମ୍ଭ କରିବାକୁ ମିଳିଲା ଅନୁମତି

Spread the love

ନୂଆଦିଲ୍ଲୀ ୩।୩: ୟୁ-ଟ୍ୟୁବର ରଣବୀର ଆହ୍ଲାବାଦିଆଙ୍କୁ ସୋମବାର ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି। ମାତା-ପିତାଙ୍କୁ ନେଇ ଅଭଦ୍ର ଟିପ୍ପଣୀ କରିଥିବା ରଣବୀରଙ୍କୁ ସୁପ୍ରିମକୋର୍ଟ ଗୋଟିଏ ସର୍ତ୍ତରେ ‘ଦି ରଣବୀର ସୋ’ ପୁଣି ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ଏହା ସହିତ ସୁପ୍ରିମକୋର୍ଟ ପରବର୍ତ୍ତି ଆଦେଶ ପର୍ଯ୍ୟନ୍ତ ରଣବୀରଙ୍କ ଗିରଫ ଉପରେ ସଂରକ୍ଷଣ ବଢାଇ ଦେଇଥିବା ବେଳେ ତାଙ୍କୁ ଗୌହାଟୀରେ ଯାଞ୍ଚରେ ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁପ୍ରିମକୋର୍ଟ ପଡକାଷ୍ଟର ରଣବୀର ଆହ୍ଲାବାଦିଆଙ୍କୁ ନିଜ ସୋ’ରେ ଶାଳିନତା ରକ୍ଷା କରିବା ସର୍ତ୍ତରେ ‘ଦି ରଣବୀର ସୋ’ର ପ୍ରସାରଣ ପୁଣି ଆରମ୍ଭ କରିବାକୁ ଅନୁମତି ଦେଇଛନ୍ତି। ଉଲ୍ଲେଖଯୋଗ୍ୟ ଯେ ‘ଇଣ୍ଡିଆଜ ଗଟ ଲାଟେଣ୍ଟ’ ମାମଲାରେ ଚାଲିଥିବା ମକଦ୍ଦମାରେ ୟୁ-ଟ୍ୟୁବର ଓ ପଡକାଷ୍ଟର ରଣବୀର ଆହ୍ଲାବାଦିଆ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ। ଏଥିରେ ରଣବୀର କୋର୍ଟଙ୍କ ଆଦେଶର ଗୋଟିଏ ଅଂଶକୁ ହଟାଇବାକୁ ନିବେଦନ କରିଥିଲେ, ଯେଉଁଥିରେ ତାଙ୍କୁ ତାଙ୍କର ସୋ’ ପ୍ରସାରଣ କରିବାକୁ ରୋକା ଯାଇଥିଲା। ତେବେ ରଣବୀରଙ୍କ ଓକିଲ ତାଙ୍କର ୨୮୦ ଜଣ କର୍ମଚାରୀ ଥିବା ଓ ଏହା ସେମାନଙ୍କ ଜୀବିକା ବୋଲି କହିଥିଲେ।

ତେବେ ସୁପ୍ରିମକୋର୍ଟ ରଣବୀରଙ୍କୁ ବିଦେଶଯାତ୍ରା ଅନୁମତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ କହିଛନ୍ତି ମାମଲାର ଯାଞ୍ଚରେ ସାମିଲ ହେବା ପରେ ଯାଇ ଏ ବାବଦେ ଅନୁମତି ମିଳିପାରେ। ଏହା ସହିତ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ସୋସିଆଲ ମିଡିଆ ସାମଗ୍ରୀକୁ ନିୟନ୍ତ୍ରିତ କରିବା ପାଇଁ ଗାଇଡଲାଇନ ପ୍ରସ୍ତୁତ କରିବାକୁ କହିଛନ୍ତି। ତେବେ ଏଥିପାଇଁ ସବୁ ହୀତାଧିକାରୀଙ୍କ ପରାମର୍ଶ ନେବାକୁ ମଧ୍ୟ କୁହାଯାଇଛି। ଏହା ଛଡା ସୁପ୍ରିମକୋର୍ଟ ରଣବୀର ଆହ୍ଲାବାଦିଆଙ୍କୁ ତାଙ୍କ ‘ଦି ରଣବୀର ସୋ’ ସବୁ ଆୟୁବର୍ଗଙ୍କ ନିମନ୍ତେ ଉପଯୁକ୍ତ ବୋଲି ଅଣ୍ଡରଟେକିଂ ଦେବାକୁ ମଧ୍ୟ କହିଛନ୍ତି।

ତେବେ ଏ ନେଇ ରଣବୀରଙ୍କ ଓକିଲ ଉପସ୍ଥାପନ କରିଥିବା ତର୍କରେ କୋର୍ଟ ଅସନ୍ତୋଷ ପ୍ରକାଶ କରି ମୌଳିକ ଅଧିକାର ଥାଳିରେ ପରସା ଯାଇନି, ଏଥି ପାଇଁ କିଛି କଟକଣା ରହିଛି ଓ ଏହାକୁ ମାନିବା ଦରକାର ବୋଲି କହିଛନ୍ତି। ରଣବୀରଙ୍କ ସୋ ପ୍ରସାରଣ ନେଇ ଦାଖଲ ଆବେଦନକୁ ସୋଲିସିଟର ଜେନେରାଲ କୋର୍ଟରେ ବିରୋଧ କରିଥିଲେ। ତୁଷାର ମେହେଟ୍ଟା କହିଥିଲେ ଯେ ଏମାନଙ୍କୁ କିଛି ସମୟ ପାଇଁ ଚୁପ୍ ରହିବାକୁ ଦିଆଯାଉ, ଏହା ଉପଯୁକ୍ତ ହେବ। ମେହେଟ୍ଟା କହିଛନ୍ତି ଯେ ଇଣ୍ଡିଆ ଗଟ୍ ଲାଟେଣ୍ଟରେ ତାଙ୍କ ଟିପ୍ପଣୀ ବିକୃତ ଓ ଅଶ୍ଳୀଳ।

ତେବେ ସୁପ୍ରିମକୋର୍ଟ ବିବାଦ ମଧ୍ୟରେ ଆଜି କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି କରି ବଡ଼ ଆଦେଶ ଦେଇଛନ୍ତି। କୋର୍ଟ କେନ୍ଦ୍ରକୁ ଅନଲାଇନ ସାମଗ୍ରୀଗୁଡିକୁ ରେଗୁଲେଟ କରିବାକୁ କହିଛନ୍ତି। କୋର୍ଟ ଏଥିପାଇଁ ସମ୍ବଦ୍ଧିତ ଲୋକଙ୍କଠାରୁ ରାୟ ମାଗିବାକୁ ମଧ୍ୟ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରଣବୀର ଆହ୍ଲାବାଦିଆ ‘ବିୟର ବାଇସେପସ୍ ଗାଇ’ ନାମରେ ମଧ୍ୟ ଜଣା ଯାଆନ୍ତି। ସେ ଗତମାସରେ ରୋଷ୍ଟ ସୋ ଇଣ୍ଡିଆଜ ଗଟ ଲାଟେଣ୍ଟରେ ଅଭଦ୍ର ଟିପ୍ପଣୀ କରି ବିବାଦ ଛିଡା କରିଥିଲେ। ଏହି ଟିପ୍ପଣୀର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା।

Leave a Reply

Your email address will not be published. Required fields are marked *