ଏସସିଇଆରଟି ରେ ବିଚିତ୍ର ନୀତି : କାମ ପାଇଁ ତାଗିଦ କଲେ ଅଫିସର ଦୋଷୀ, ଶୋଷକ !!

Spread the love

ଭୁବନେଶ୍ବର  :  ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ ଥିବା ଏସସିଇଆରଟି ବିଭିନ୍ନ କାମ କରିଥାଏ ଯେମିତିକି ଶିକ୍ଷକମାନଙ୍କ ତାଲିମ, ପାଠ୍ୟକ୍ରମ ପ୍ରସ୍ତୁତି ଓ ବିକାଶ, ପାଠ୍ୟପୁସ୍ତକ ଲାଗି ଗବେଷଣା, ଏନଟିଏସ ତାଲିମ ଆଦି କାର୍ଯ୍ୟ | ଏହି ବିଭାଗରେ ବର୍ତ୍ତମାନ ନିର୍ଦ୍ଦେଶକ ଭାବେ ମନୋଜ କୁମାର ପାଢୀ କାର୍ଯ୍ୟ କରୁଥିବା ବେଳେ ତାଙ୍କ ଅଧୀନରେ ଏକାଧିକ ସହ ନିର୍ଦ୍ଦେଶକ କାର୍ଯ୍ୟ କରୁଛନ୍ତି | ତେବେ ଏହି ବିଭାଗରେ କାର୍ଯ୍ୟରତ ସହ ନିର୍ଦ୍ଦେଶକ ଓ ଅନ୍ୟାନ୍ୟ କର୍ମଚାରୀମାନଙ୍କ ଖାମଖିଆଲି ନୀତି ଓ ଦୁର୍ନୀତି ଲାଗି ଶିକ୍ଷା ବିଭାଗ ବଦନାମ ହେବା ସହିତ ବିଭାଗର କାର୍ଯ୍ୟଦକ୍ଷତା କମି କମି ଚାଲିଛି | ବିଭାଗର କାର୍ଯ୍ୟଦକ୍ଷତା ବୃଦ୍ଧି ସହ କର୍ମଚାରୀମାନଙ୍କ ଭିତରେ ଶୃଙ୍ଖଳା ଆଣିବା ଓ ଅନୁଷ୍ଠାନକୁ ସ୍ବଚ୍ଛ କରିବା ଲାଗି ସରକାର ଏହି ବିଭାଗରୁ ବଦଳି ହୋଇଥିବା ମନୋଜ  କୁମାର ପାଢୀଙ୍କୁ ପୁଣି ବିଭାଗକୁ ଫରାଇ ଆଣିଥିଲେ ଯିଏ କି ଏବେ ରାଜ୍ୟ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଓ ଏସସିଇଆରଟି ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ନେଇ କାର୍ଯ୍ୟ କରୁଛନ୍ତି | ତେବେ ଶ୍ରୀଯୁକ୍ତ ପାଢୀ ଦାୟିତ୍ବ ଗ୍ରହଣ କରିବା ପରେ ସହ ନିର୍ଦ୍ଦେଶକମାନଙ୍କୁ ନିଷ୍ଠା ଓ ସ୍ବଚ୍ଛତାର ସହ କାମ କରିବାକୁ ତାଗିଦ କରିବା ଏବେ ତାଙ୍କୁ ମହଙ୍ଗା ପଡିଛି | ସବୁ ସହ ନିର୍ଦ୍ଦେଶକମାନେ ଏକତ୍ର ହୋଇ ଶ୍ରୀଯୁକ୍ତ ପାଢୀଙ୍କ ବିରୁଦ୍ଧରେ ମୋର୍ଚ୍ଚା ଖୋଲି ଦେଇଛନ୍ତି ଓ ହାତଗଣତି କିଛି ଗଣମାଧ୍ୟମ ଆଗରେ ଶ୍ରୀଯୁକ୍ତ ପାଢୀଙ୍କ ବିରୋଧରେ ବିଷ ଉଦ୍‌ଗାରିଛନ୍ତି ଯେ ଶ୍ରୀଯୁକ୍ତ ପାଢୀ କର୍ମଚାରୀମାନଙ୍କୁ ଶୋଷଣ କରୁଛନ୍ତି ଏମିତିକି ଆହୁରି ଅଧିକ ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି |
ଏହି ପରିପ୍ରେକ୍ଷୀରେ ପ୍ରକୃତ ସତ୍ୟ ଜାଣିବା ଲାଗି ଆମର ପ୍ରତିନିଧି ଯେତେବେଳେ ଅନୁସନ୍ଧାନ ଆରମ୍ଭ କଲେ ସେତେବେଳେ କଥା ଅଲଗା ଜଣା ପଡିଲା | ପ୍ରକୃତ ସତ୍ୟ ହେଲା ଶ୍ରୀଯୁକ୍ତ ପାଢୀ ଦାୟିତ୍ବ ଗ୍ରହଣ କରିବା ପରେ ସହ ନିର୍ଦ୍ଦେଶକମାନଙ୍କୁ ଠିକ ସମୟରେ ଅଫିସ ଆସିବା, ପ୍ରଦତ୍ତ ଦାୟିତ୍ବକୁ ସଠିକ ସମୟରେ ସାରିବା, ଅଫିସ କାମରେ ବ୍ୟକ୍ତିଗତ ସ୍ବାର୍ଥ ସାଧନ ନକରିବା, ସ୍ବଚ୍ଛ ଓ ଦୁର୍ନୀତି ମୁକ୍ତ ହୋଇ କାର୍ଯ୍ୟ କରିବାକୁ ବାରମ୍ବାର କହିବାରୁ ଏଭଳି ସ୍ଥିତି ଉପୁଜିଛି | ଯେଉଁ ଅଫିସରମାନେ ଫୁଲାଫାଙ୍କିଆ ହୋଇ କାର୍ଯ୍ୟ କରୁଥିଲେ ସେମାନେ ଏବେ ନିର୍ଦ୍ଦେଶକଙ୍କ କଟକଣାରେ କାର୍ଯ୍ୟ କରିବାକୁ ନାରାଜ | ଭାତ ହାଣ୍ଡିରୁ ଗୋଟିଏ ଦୁଇଟି ଚିପିଲେ ଭାତ ହୋଇଛି କି ନାହିଁ ଜଣା ପଡିବା ପରି ଗୋଟିଏ ଦୁଇଟି ଅଫିସରଙ୍କ ଜନ୍ମ କୁଣ୍ଡଳୀରୁ ପ୍ରକୃତ ଘଟଣା ପଦାକୁ ଆସି ପାରିବ |
ଏଠାରେ କାର୍ଯ୍ୟ କରନ୍ତି ସବିତା ସାହୁ | କୋଳି ଖାଇ କୋଳି ମଞ୍ଜି ପୋତିଛନ୍ତି ଯେମିତି ଏହି ଅଫିସରେ | ଭୁବନେଶ୍ବର ଛାଡି  ଯିବାକୁ ମନ କରନ୍ତି  ନାହିଁ | ତେଣୁ ସବୁବେଳେ ଭୁବନେଶ୍ବରରେ ରହିବାକୁ ଲବି କରୁଥାନ୍ତି | କେବେ ବି କୌଣସି ଫିଲଡ ଅନୁଷ୍ଠାନକୁ ଯାଇ ନାହାନ୍ତି |  ଅନୁରୂପ ଭାବେ ଶ୍ରୀମତୀ ସାହୁଙ୍କ କାର୍ଯ୍ୟଦକ୍ଷତା କଥା କହିଲେ ନସରେ | ନିଜ ଆଡୁ କେବେ ବି କୌଣସି ପଦକ୍ଷେପ ନିଅନ୍ତି ନାହିଁ | ନା ପାଠ୍ୟପୁସ୍ତକ ର ତ୍ରୁଟି ସଂଶୋଧନ ଅଥବା ନୂଆ ପାଠ୍ୟପୁସ୍ତକ ରଚନା | କୌଣସି ନୂଆ ଇନୋଭେଟିଭ କଥା କରିବା ତ ଦୂରର କଥା | ସବୁବେଳେ ନିଜର ଭୁବନେଶ୍ବର ଗାଦିରକ୍ଷାରେ ବ୍ୟସ୍ତ |

ଆଉଜଣେ ସହ ନିର୍ଦ୍ଦେଶିକା ହେଲେ ସ୍ନେହପ୍ରଭା ମହାପାତ୍ର | ତାଙ୍କର ଦାୟିତ୍ବ ହେଲା ସେ ଏସସିଇଆରଟି ଲାଗି ବିଭିନ୍ନ ପ୍ରୋଗ୍ରାମ କରାଇଥାନ୍ତି | ତେବେ ସେ ସଠିକ ସମୟରେ ପ୍ରୋଗ୍ରାମ ନକରିବା, ବିଭିନ୍ନ କାର୍ଯ୍ୟକ୍ରମ ଲାଗି ସାରା ରାଜ୍ୟରୁ ବିଶେଷଜ୍ଞମାନଙ୍କୁ ନଡାକି ତାଙ୍କର ଚିହ୍ନାପରିଚିତ ଖୋର୍ଦ୍ଧା, ଜଗତସିଂହପୁର, ପୁରୀ, ନୟାଗଡର କିଛି ନିର୍ଦ୍ଦିଷ୍ଟ ରିସୋର୍ସ ପର୍ସନଙ୍କୁ ଡାକିବା ଭଳି ଅଭିଯୋଗ ରହିଛି | ଏହା ବ୍ୟତୀତ ବାଲେଶ୍ବର ଜିଲ୍ଲାର ପୂର୍ବତନ ନୋଡାଲ ଅଫିସର ଭାବେ କାର୍ଯ୍ୟ କରିବା ବେଳେ ସେ ମଧ୍ୟ ଲାଞ୍ଚ ନେଇଥିବାର ଅଭିଯୋଗ ରହିଛି |

ଏହି ଭଳି କାର୍ଯ୍ୟରେ ଅବହେଳା, ବେନିୟମ ଘରଭଡା ଦାବୀ, ଲାଞ୍ଚ ଦୁର୍ନୀତିର ଅଭିଯୋଗ ବହୁ କର୍ମଚାରୀଙ୍କ ନାମରେ ରହିଥିବାରୁ ଏସବୁର ଖୋଳତାଡ କରୁଥିବା ନିର୍ଦ୍ଦେଶକ ହେଲେ ଶୋଷକ | ତେବେ ଅନିର୍ଦ୍ଦିଷ୍ଟ ଅଭିଯୋଗ ମନ୍ଦ ଉଦ୍ଦେଶ୍ୟ ଲାଗି ହୋଇଥିବା ନୀତିରେ ନିର୍ଦ୍ଦେଶକଙ୍କୁ ଶୋଷକ କହିବାର କୌଣସି ପ୍ରମାଣ ଏହି କର୍ମଚାରୀମାନେ ଦେଇ ନାହାନ୍ତି | ମହିଳାମାନଙ୍କୁ ଶୋଷଣ ଅଭିଯୋଗ ଆଣିବା ପୁଣି ବିନା ପ୍ରମାଣରେ   !  ସରକାର ଏହାକୁ ବି ଦୃଷ୍ଟିରେ ରଖି ବିଚାର କରିବେ ବୋଲି ଆଶା କରାଯାଏ ଏବଂ ଯେଉଁ କର୍ମଚାରୀମାନେ ସଠିକ ଭାବରେ କାର୍ଯ୍ୟ କରୁନାହାନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହିତ ଚାକିରୀରୁ ବହିଷ୍କାର କରାଯାଉ ବୋଲି ବୁଦ୍ଧିଜୀବୀମାନେ ଦାବୀ କରିଛନ୍ତି |

Leave a Reply

Your email address will not be published. Required fields are marked *