ଡିସେମ୍ବର ୧୪ରୁ ବଲାଙ୍ଗିରରେ ଖରିଫ ଧାନ କିଣା, ଅବ୍ୟବସ୍ଥା ରୋକିବାକୁ ଜିଲ୍ଲାପାଳଙ୍କ କଡ଼ା ଚେତାବନୀ
ବଲାଙ୍ଗିର : ଡିସେମ୍ବର ୧୪ରୁ ବଲାଙ୍ଗିର ଜିଲ୍ଲାରେ ଖରିଫ ଧାନ କିଣା ଆରମ୍ଭ ହେବ । ଜିଲ୍ଲାସ୍ତରୀୟ ବୈଠକରେ ଏନେଇ ନିଷ୍ପତ୍ତ ହୋଇଛି । ବୈଠକରେ ସାଂସଦ ସଂଗୀତା କୁମାରୀ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ପ୍ରମୁଖ ଯୋଗ ଦେଇଥିଲେ । ଏଥର ୧୫୮ଟି କେନ୍ଦ୍ରରେ ଧାନ ସଂଗ୍ରହ ହେବ ।
ବାତ୍ୟା ଜନିତ ବର୍ଷା ଯୋଗୁଁ କିଛି ବିଲରେ ଧାନ ଗଛ ଶୋଇପଡ଼ିଛି । ବାରମ୍ବାର ପ୍ରକୃତି ଦାଉ ସାଜୁଥିବାରୁ ଚାଷୀ ଠିକ୍ ମୂଲ୍ୟରେ ଧାନ ବିକିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ଆଶା ଠାରୁ ଅଧିକ ଧାନ ଅମଳ ହୋଇଥିବା ବେଳେ ଧାନ କେମିତି ଶୁଖାଇବେ, କେମିତି ନେବେ ସେସବୁକୁ ନେଇ ଚିନ୍ତା ବଢ଼ିଛି । ଧାନବିକ୍ରି ପ୍ରକ୍ରିୟାରେ ଯେତେ ସଂସ୍କାର ଆଣିବାକୁ ସରକାର ଏବଂ ପ୍ରଶାସନ ଚେଷ୍ଟା କଲେ ବି ମିଲର୍ସ ଓ ପ୍ୟାକ୍ସ ସ୍ତରରେ ଅଧିକାରୀ ଓ କର୍ମଚାରୀଙ୍କ ଭୁଲ୍ ପାଇଁ ପ୍ରତିବର୍ଷ ଅବ୍ୟବସ୍ଥା ଦେଖାଦେଉଛି ।
ଚାଷୀଙ୍କୁ କଟନି ଛଟନିରୁ ନିସ୍ତାର ମିଳୁନାହିଁ। ବିଭିନ୍ନ କାରଣ ଓ ସମସ୍ୟା ଦେଖାଇ ଚାଷୀର ଧାନ କଟାଯାଉଛି । ଚଳିତ ଥର ମିଲର୍ସଙ୍କ ଦାବି ପାଇଁ ଯେଉଁ ଟେକ୍ନୋଲୋଜି VLTD ଗାଡ଼ିରେ ଲଗାଇବା ବ୍ୟବସ୍ଥା କରାଯାଇଛି ଓ ତାହା ଲାଗିଲେ ଧାନ ଉଠିବାରେ ଅସୁବିଧା ହେବ । କାରଣ ନେଟୱର୍କ କାମ ନ କଲେ ଗାଡ଼ି ଚାଲିବା ମୁସ୍କିଲ । ଚଳିତ ବର୍ଷ ଜିଲ୍ଲାରେ ୧ ଲକ୍ଷ ୨୩ ହଜାର ଚାଷୀ ରେଜିଷ୍ଟ୍ରେସନ୍ କରିଛନ୍ତି । ୧୭ ପ୍ରତିଶତ ଚାଷୀ ରେଜିଷ୍ଟ୍ରେସନ୍ ବଢ଼ିଛି । ହେଲେ ଧାନ କିଣା ଆରମ୍ଭରୁ କୌଣସି ଅସୁବିଧା ନ ହୋଇ ସୁରକ୍ଷିତ ଧାନ ରଖିବା ବ୍ୟବସ୍ଥା ଠାରୁ ମଣ୍ଡି ଓ ମିଲ୍କୁ ନେବା ପର୍ଯ୍ୟନ୍ତ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବାକୁ ଦାବି ହୋଇଛି । ପ୍ୟାକ୍ସ ସେକ୍ରେଟାରୀ, ଜିଲ୍ଲା ଯୋଗାଣ ଅଧିକାରୀ ଏବଂ ଅନ୍ୟ ଅଧିକାରୀ ନଜର ରଖିବେ । ଭୁଲ୍ କଲେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି ।
