16bbs 107 16112026 112 2026 11 16 21 16

ବଚ୍ଚନ ପିତାପୁତ୍ରଙ୍କୁ ଗ୍ୟାଙ୍ଗଷ୍ଟର ଗୋଲ୍ଡି ଧିଲୋଁଙ୍କ ଧମକ : ବୁଲେଟ୍‌ପ୍ରୁଫ୍‌ କାଚ ପଛରେ ଲୁଚିଲେ ବି ହତ୍ୟା କରିବି

Spread the love

ମୁମ୍ବାଇ: ବଲିଉଡ୍‌ ମେଗାଷ୍ଟାର ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ଅଭିଷେକ ବଚ୍ଚନଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି। ନିଜକୁ ଗୋଲ୍ଡି ଧିଲୋଁ ବୋଲି ପରିଚୟ ଦେଉଥିବା ଜଣେ ବ୍ୟକ୍ତି ଫେସ୍‌ବୁକ୍‌ରେ ପୋଷ୍ଟ କରି ବଚ୍ଚନ ପିତା-ପୁତ୍ରଙ୍କୁ ଏହି ଧମକ ଦେଇଛି। ଏହାକୁ ନେଇ ଫିଲ୍ମ ଜଗତ ଓ ସୁରକ୍ଷା ଏଜେନ୍ସିଙ୍କ ମଧ୍ୟରେ ଚିନ୍ତା ବଢ଼ିଛି। ଏକ ରିପୋର୍ଟ ଅନୁଯାୟୀ, ଗୋଲ୍ଡି ଧିଲୋଁ ଫେସ୍‌ବୁକ୍‌ ପୋଷ୍ଟରେ ଦାବି କରିଛି ଯେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ତା’ର ଦୁଇ ସହଯୋଗୀ ବିକାଶ ଠାକୁର ଓରଫ୍‌ ଭିକି ଏବଂ ଦୀପକ ସିଂହ ଓରଫ୍‌ ଦୀପକୁ ମୁମ୍ବାଇରୁ ଗିରଫ କରିଛି।
ତେବେ ମୁମ୍ବାଇରେ ଏବେ ବି ତା’ର ୨୦୦ ସହଯୋଗୀ ସକ୍ରିୟ ଥିବା ସେ ଦାବି କରିଛି। ଶିଖ୍‌ ସମ୍ପ୍ରଦାୟ ବିରୋଧରେ କହୁଥିବା ଲୋକଙ୍କୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ମଧ୍ୟ ସେ ଚେତାବନୀ ଦେଇଛି। ଅମିତାଭ ଓ ଅଭିଷେକ ବୁଲେଟ୍‌ପ୍ରୁଫ୍‌ କାଚ ପଛରେ ଲୁଚି ରୁହନ୍ତୁ କିମ୍ବା କଡ଼ା ସୁରକ୍ଷା ମଧ୍ୟରେ ରହନ୍ତୁ, ତଥାପି ସେ ଉଭୟଙ୍କୁ ହତ୍ୟା କରିବ ବୋଲି ଧମକ ଦେଇଛି।
ଅମିତାଭ ବଚ୍ଚନଙ୍କୁ ଇମେଲ୍‌ ଯୋଗେ ବୋମା ଧମକ ମିଳିବାର କିଛି ଦିନ ପରେ ଏହି ଧମକ ଆସିଛି। ନଭେମ୍ବର ୧୫ରେ ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ସେଲ୍‌ ଲରେନ୍ସ ବିଷ୍ଣୋଇ ଗୋଷ୍ଠୀର ଦୁଇ ସୁଟର ଭିକି ଓ ଦୀପକୁ ଗିରଫ କରିଥିଲା। ପୁଲିସର ସୂଚନା ଅନୁଯାୟୀ, ସେମାନେ ଅମିତାଭଙ୍କ ମୁମ୍ବାଇସ୍ଥିତ ବାସଭବନ ‘ଜଲସା’ ଉପରେ ଆକ୍ରମଣ ପାଇଁ ଯୋଜନା କରୁଥିଲେ। ୧୯୮୪ର ଶିଖ୍‌ ବିରୋଧୀ ଦଙ୍ଗା ସମ୍ପର୍କରେ ଅମିତାଭଙ୍କ ପୂର୍ବର ଏକ ବୟାନର ଜବାବରେ ଏହି ଯୋଜନା କରାଯାଇଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି। ଏବେ ସାମାଜିକ ଗଣମାଧ୍ୟମରେ ହୋଇଥିବା ପୋଷ୍ଟର ସତ୍ୟତା ଯାଞ୍ଚ କରାଯାଉଥିବା ବେଳେ ବଚ୍ଚନ ପରିବାରର ସୁରକ୍ଷା ବଢ଼ାଇ ଦିଆଯାଇଛି।

Leave a Reply

Your email address will not be published. Required fields are marked *