16bbs 74 16112026 112 2026 11 16 21 06

ଆତଙ୍କବାଦ ନିୟନ୍ତ୍ରଣ ପାଇଁ ଆଫଗାନିସ୍ତାନକୁ ପାକିସ୍ତାନର ଆହ୍ୱାନ

Spread the love

ଇସ୍‌ଲାମାବାଦ: ଆଞ୍ଚଳିକ ଅର୍ଥନୈତିକ ସହଯୋଗ ଓ ବାଣିଜ୍ୟିକ ସମ୍ପର୍କ ବୃଦ୍ଧି ପାଇଁ ଆଫଗାନିସ୍ତାନକୁ ଆତଙ୍କବାଦର ନିୟନ୍ତ୍ରଣ କରିବାକୁ କହିଛି ପାକିସ୍ତାନ। ସୋମବାର ଇସ୍‌ଲାମାବାଦରେ ଅନୁଷ୍ଠିତ ଅର୍ଥନୈତିକ ସହଯୋଗ ସଂଗଠନ (ଇସିଓ)ର ୩୦ତମ ମନ୍ତ୍ରିସ୍ତରୀୟ ପରିଷଦ ବୈଠକରେ ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇସ୍‌ହାକ୍‌ ଡାର୍‌ ଏହି ଆହ୍ୱାନ ଦେଇଛନ୍ତି। ଆଞ୍ଚଳିକ ସହଯୋଗରେ ଅଗ୍ରଗତି ପାଇଁ ପଡ଼ୋଶୀ ଦେଶଗୁଡ଼ିକର ସୁରକ୍ଷା ସମ୍ପର୍କିତ ଚିନ୍ତାକୁ ଆଫଗାନ୍‌ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ସେ କହିଛନ୍ତି।
ଡାର୍‌ କହିଛନ୍ତି, ପାକିସ୍ତାନ ଏକ ଶାନ୍ତିପୂର୍ଣ୍ଣ, ସମୃଦ୍ଧ ଓ ସ୍ଥିର ଆଫଗାନିସ୍ତାନ ଚାହେଁ। ଆଫଗାନିସ୍ତାନ ଇସିଓର ଆଞ୍ଚଳିକ ସହଯୋଗ ବ୍ୟବସ୍ଥାରେ ସକ୍ରିୟ ଭାବେ ସାମିଲ ହେବା ସହ ପଡ଼ୋଶୀ ଦେଶଗୁଡ଼ିକ ସହ ଶାନ୍ତିପୂର୍ଣ୍ଣ ସମ୍ପର୍କ ରଖିଲେ ଏହାର ଲାଭ କେବଳ ସେହି ଦେଶକୁ ନୁହେଁ, ସମଗ୍ର ଅଞ୍ଚଳକୁ ମିଳିବ। ଏହାଦ୍ୱାରା ବାଣିଜ୍ୟ, ପରିବହନ ଓ ଅର୍ଥନୈତିକ ସହଯୋଗର ନୂଆ ସୁଯୋଗ ସୃଷ୍ଟି ହୋଇପାରିବ। କିନ୍ତୁ ଏଥିପାଇଁ ପଡ଼ୋଶୀ ଦେଶଗୁଡ଼ିକର ବୈଧ ସୁରକ୍ଷା ଚିନ୍ତା, ବିଶେଷକରି ଆତଙ୍କବାଦର ବିପଦକୁ ଆଫଗାନ୍‌ କର୍ତ୍ତୃପକ୍ଷ ଦୂର କରିବା ଦରକାର।
ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଦୀର୍ଘଦିନ ଧରି ସୀମା ସୁରକ୍ଷା ଓ ଆତଙ୍କବାଦକୁ ନେଇ ଉତ୍ତେଜନା ଲାଗିରହିଛି। ପାକିସ୍ତାନର ଅଭିଯୋଗ ହେଉଛି, ତେହରିକ୍‌-ଇ-ତାଲିବାନ୍‌ ପାକିସ୍ତାନ (ଟିଟିପି) ଭଳି ଆତଙ୍କବାଦୀ ସଂଗଠନ ଆଫଗାନିସ୍ତାନ ମାଟିରୁ କାର୍ଯ୍ୟ କରି ପାକିସ୍ତାନ ଭିତରେ ଆକ୍ରମଣ କରୁଛନ୍ତି। ତେବେ ଆଫଗାନ୍‌ ତାଲିବାନ୍‌ ସରକାର ଏହି ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସିଛନ୍ତି। ଏହି ବିବାଦ ଯୋଗୁଁ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଓ ପରସ୍ପର ବିରୋଧରେ ଅଭିଯୋଗ ଜାରି ରହିଛି।
ବୈଠକରେ ଡାର୍‌ ଆଞ୍ଚଳିକ ସହଯୋଗ ପାଇଁ ପାଞ୍ଚଟି ପ୍ରାଥମିକତା ଉପରେ ଗୁରୁତ୍ୱ ଦେଇଥିଲେ। ସେଗୁଡ଼ିକ ହେଲା ବାଣିଜ୍ୟ ଓ ପୁଞ୍ଜିନିବେଶ ବୃଦ୍ଧି, ପରିବହନ ଓ ଯୋଗାଯୋଗ ବ୍ୟବସ୍ଥାର ବିକାଶ, ଇସିଓ ବାଣିଜ୍ୟ ଚୁକ୍ତିକୁ ଆଗେଇ ନେବା, ଜଳବାୟୁ ଓ ବିପର୍ଯ୍ୟୟ ମୁକାବିଲାରେ ସହଯୋଗ ଏବଂ ମାନବ ସମ୍ବଳର ବିକାଶ। ମଧ୍ୟ ଏସିଆ ଓ ଦକ୍ଷିଣ ଏସିଆ ମଧ୍ୟରେ ପରିବହନ ସଂଯୋଗ ବୃଦ୍ଧି କରି ଆରବ ସାଗର ଉପକୂଳରେ ଥିବା ପାକିସ୍ତାନର ବନ୍ଦରଗୁଡ଼ିକ ସହ ଅନ୍ୟ ଦେଶକୁ ଯୋଡ଼ିବା ଉପରେ ସେ ଗୁରୁତ୍ୱ ଦେଇଥିଲେ।
ଉଲ୍ଲେଖନୀୟ ଯେ, ପାକିସ୍ତାନ, ଆଫଗାନିସ୍ତାନ, ଇରାନ, ତୁର୍କୀ, ଆଜରବୈଜାନ୍‌, କାଜାଖସ୍ତାନ, କିର୍ଗିଜସ୍ତାନ, ତାଜିକିସ୍ତାନ, ତୁର୍କମେନିସ୍ତାନ ଓ ଉଜବେକିସ୍ତାନକୁ ନେଇ ଇସିଓ ଗଠିତ। ୧୯୮୫ରେ ପାକିସ୍ତାନ, ଇରାନ ଓ ତୁର୍କୀ ଏହାର ପ୍ରତିଷ୍ଠା କରିଥିଲେ। ଚଳିତ ୨୦୨୬-୨୭ ବର୍ଷ ପାଇଁ ପାକିସ୍ତାନ ଏହି ସଂଗଠନର ଅଧ୍ୟକ୍ଷତା କରୁଛି। ତେବେ ଏହି ବୈଠକରେ ଆଫଗାନିସ୍ତାନର କୌଣସି ପ୍ରତିନିଧି ଯୋଗ ଦେଇନଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *