ଆବାସ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ: ସଭିଙ୍କ ମୁଣ୍ଡରେ ପକ୍କା ଛାତ ଆମ ଲକ୍ଷ୍ୟ
ବଲାଙ୍ଗୀର: ଗ୍ରାମାଞ୍ଚଳର ପ୍ରତି ପରିବାରଙ୍କୁ ପକ୍କା ଘର ସୁନିଶ୍ଚିତ ହେଲେ ହିଁ ରାଜ୍ୟର ବିକାଶ ତ୍ବରାନ୍ବିତ ହେବ। ସମସ୍ତଙ୍କ ମୁଣ୍ଡ ଉପରେ ପକ୍କା ଛାତ ଆମ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା ବୋଲି ବଲାଙ୍ଗୀରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ଏହି ଅବସରରେ ସେ କହିଥିଲେ, ପକ୍କା ଘର କେବଳ ଏକ ଢାଞ୍ଚା ନୁହେଁ; ଏହା କଚ୍ଚା କିମ୍ବା ଅସ୍ଥାୟୀ ଘରେ ରହୁଥିବା ପରିବାର ପାଇଁ ସମ୍ମାନ ଓ ସୁରକ୍ଷିତ ଆଶ୍ରୟ। ୨୦୧୪-୧୫ ଆର୍ଥିକ ବର୍ଷଠାରୁ ରାଜ୍ୟରେ ବିଭିନ୍ନ ଗ୍ରାମୀଣ ଆବାସ ଯୋଜନାରେ ୪୧ ଲକ୍ଷ ପକ୍କା ଘର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି। ଗତ ୨ ବର୍ଷ ମଧ୍ୟରେ ୫ ଲକ୍ଷ ୬୬ ହଜାରରୁ ଅଧିକ ଘର ନିର୍ମାଣ ସରିଛି। ରାଜ୍ୟକୁ ମଞ୍ଜୁର ହୋଇଥିବା ୨୮ ଲକ୍ଷ ୬ ହଜାର ଘର ମଧ୍ୟରୁ ୨୫ ଲକ୍ଷ ୫୮ ହଜାର ଘର କାମ ସରିଛି। ଏହି ଯୋଜନାରେ ଶୌଚାଳୟ, ପାଇପ୍ ଜଳଯୋଗାଣ, ରନ୍ଧନ ଗ୍ୟାସ୍ ଓ ବିଦ୍ୟୁତ୍ ସେବା ମଧ୍ୟ ସାମିଲ ରହିଛି। ଆଗକୁ ଗ୍ରାମୀଣ ବିକାଶକୁ ଗୁରୁତ୍ବ ଦେଇ ବିଭିନ୍ନ ଯୋଜନା ଓ ପ୍ରକଳ୍ପ କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ସମାବେଶରେ କେନ୍ଦ୍ର କୃଷି ମନ୍ତ୍ରୀ ଶିବରାଜ ସିଂ ଚୌହାନ ପାରମ୍ପରିକ କୃଷିରେ ଆଧୁନିକ ଜ୍ଞାନକୌଶଳର ବ୍ୟବହାର ଉପରେ ଗୁରୁତ୍ବାରୋପ କରିିଥିଲେ। ଆଗାମୀ ଦିନରେ ବଲାଙ୍ଗୀରରେ ନୂତନ କୃଷି ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟତମ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ହେବ। ଓଡ଼ିଶାର ପ୍ରତି ଗାଁକୁ ପକ୍କା ସଡ଼କ ଦ୍ୱାରା ଯୋଡ଼ାଯିବ। ପୂର୍ବରୁ ୪ ଲକ୍ଷ ଘର ମଞ୍ଜୁର ହୋଇଥିବା ବେଳେ ଆଜି ଅଧିକ ୧ ଲକ୍ଷ ଘର ମଞ୍ଜୁର କରାଯାଇଛି। ପ୍ରଧାନମନ୍ତ୍ରୀ ଦାରିଦ୍ର୍ୟ ଦୂରୀକରଣ ପାଇଁ ଆରମ୍ଭ କରିଥିବା ପାଇଲଟ୍ ପ୍ରକଳ୍ପ ବଲାଙ୍ଗୀର ମାଟିରୁ ଆରମ୍ଭ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଥିଲେ। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ କୃଷି ପର୍ଯ୍ୟଟନ ଏବଂ ବିଦ୍ୟୁତ୍ ଉତ୍ପାଦନ ପାଇଁ କୃଷି କ୍ଷେତ୍ରରେ ଆଗ୍ରୋ ପ୍ୟାନେଲ୍ ସ୍ଥାପନ ଉପରେ ଗୁରୁତ୍ୱାରୋପ କରିଥିଲେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସହ ‘ପିଏମ୍ ସୂର୍ଯ୍ୟଘର ଯୋଜନା’କୁ ଯୋଡ଼ାଯିବ ଏବଂ ଘର ଛାତ ଉପରେ ସୋଲାର ପ୍ୟାନେଲ୍ ସ୍ଥାପନ ସୁନିଶ୍ଚିତ କରାଯିବ ବୋଲି ସେ କହିଥିଲେ।
ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ସମସ୍ତଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ପ୍ରତ୍ୟେକ ପଞ୍ଚାୟତରେ କଲ୍ୟାଣ ମଣ୍ଡପ, ଖେଳ ପଡ଼ିଆ ଏବଂ ପୋଖରୀ ନିର୍ମାଣ ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରତ୍ୟେକ ଗାଁକୁ ବିଶୁଦ୍ଧ ପାନୀୟ ଜଳ ଏବଂ ସଡ଼କ ସଂଯୋଗ ସୁନିଶ୍ଚିତ ହେବ ବୋଲି କହିଥିଲେ। ଏହାସହ ବଲାଙ୍ଗୀର ମେଡିକାଲ୍ କଲେଜ୍ରେ ପିଜି ସିଟ୍ ବୃଦ୍ଧି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏହି ଅବସରରେ ବଲାଙ୍ଗୀର ପାଇଁ ୨୪୮ ପ୍ରକଳ୍ପ ନିମନ୍ତେ ୯୧୧ କୋଟି ଟଙ୍କାର ଭେଟି ଦିଆଯାଇଛି। ଏଥିରେ ୧୭୬ କୋଟି ଟଙ୍କାରେ ୧୬୦ଟି ପ୍ରକଳ୍ପର ଉଦ୍ଘାଟନ ଏବଂ ୭୩୫ କୋଟି ଟଙ୍କାରେ ୮୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। କାର୍ଯ୍ୟକ୍ରମରେ ସାଂସଦ ସଙ୍ଗୀତା ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ନବୀନ ଜୈନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର କମିସନର ରୂପା ମିଶ୍ର ଓ ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର ମଞ୍ଚାସୀନ ଥିଲେ।
