ଆଇଆଇଟି ରୁର୍କିରେ ଛାତ୍ରଙ୍କ ଆତ୍ମହତ୍ୟା, ଘୁଞ୍ଚିଲା ପରୀକ୍ଷା
ଉତ୍ତରାଖଣ୍ଡ: ଆଇଆଇଟି ରୁର୍କିରେ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ । ଶୁକ୍ରବାର ୨୦ ବର୍ଷୀୟ ଛାତ୍ର ନିଜ ହଷ୍ଟେଲ ରୁମରେ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛନ୍ତି । ଘଟଣାସ୍ଥଳରୁ ପୋଲିସ ଏକ ସୁଇସାଇଡ ନୋଟ୍ ଜବତ କରିଛି । ମୃତ ଛାତ୍ର ଜଣଙ୍କ ହେଲେ ଆୟୁଷ ରଜୌରିଆ । ଆଇଆଇଟିରେ ଗଣିତ ଓ କମ୍ପ୍ୟୁଟିଂ ବିଭାଗରେ ବିଏସ-ଏମଏସ ପାଠ୍ୟକ୍ରମର ଦ୍ୱିତୀୟ ବର୍ଷର ଛାତ୍ର ଥିଲେ । ଏବଂ ଗାଜିଆବାଦର ରାଜନଗର ଏକ୍ସଟେନସନ ଅଂଚଳର ବାସିନ୍ଦା ଥିଲେ । ଆୟୁଷଙ୍କ ଏକାଡେମିକ କ୍ୟାରିଅର ଖୁବ୍ ଭଲ ଥିଲା । ପ୍ରଥମ ସେମିଷ୍ଟାରରେ ଭଲ ମାର୍କ ରଖିଥିବା ବେଳେ ଦ୍ୱିତୀୟରେ କିଛି ମାର୍କ କମିଥିଲା । ପୋଲିସ ସୂଚନା ଅନୁସାରେ ଗୁରୁବାର ମଧ୍ୟରାତ୍ରିରେ ଏହି ଘଟଣା ସାମ୍ନାକୁ ଆସିଥିଲା । ଆଇଆଇଟି ରୁର୍କିର ସୁରକ୍ଷା ଅଧିକାରୀ କୁଲଦୀପ ସିଂହ ନେଗି, କୋତବାଲି ରୁର୍କି ପୋଲିସକୁ ଜଣାଇଥିଲେ ଯେ, ଗୋବିନ୍ଦ ଭବନ ହଷ୍ଟେଲର ଦ୍ୱିତୀୟ ମହଲାରେ ଥିବା ବିଏସ ୧୦ ନମ୍ବର ରୁମରେ ଛାତ୍ର ଆତ୍ମହତ୍ୟା କରିଛନ୍ତି । ଷ୍ଟେସନ ହାଉସ ଅଫିସର ପ୍ରଦୀପ ବିଷ୍ଟ ଏକ ପୋଲିସ ଦଳ ଓ ଫିଲ୍ଡ ୟୁନିଟ ସହ ଘଟଣାସ୍ଥଳରେ ପହଂଚିଥିଲେ । କବାଟ ଖୋଲି ନପାରିବାରୁ ସୁରକ୍ଷା କର୍ମୀଙ୍କ ସହାୟତାରେ ଏହାକୁ ଭାଙ୍ଗି ଖୋଲା ଯାଇଥିଲା । ଛାତ୍ରଙ୍କ ମୃତଦେହ ଏକ ଚାଦର ସାହାର୍ଯ୍ୟରେ ଛାତ ପଙ୍ଖାରେ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ପାଇଥିଲା ପୋଲିସ । ପରିବାରଲୋକହ୍କୁ ଖବର ଦେବା ପରେ ସେମାନ କ୍ୟାମ୍ପସରେ ପହଂଚିଥିଲେ ।
