Pm modi in maysur 750x430

ମଞ୍ଚରେ ଅସୁସ୍ଥ ହେଲେ ବୃଦ୍ଧା, ଆଗକୁ ଆସି ସହାୟତା କଲେ ପିଏମ୍ ମୋଦୀ

Spread the love

ମୈସୁରୁ: ନିଜର ମାନବିକତା ଏବଂ ଦରଦୀ ହୃଦୟ ପାଇଁ ପୁଣି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କର୍ଣ୍ଣାଟକର ମୈସୁରୁରେ ଏକ କାର୍ଯ୍ୟକ୍ରମ ସମୟରେ ଜଣେ ବୃଦ୍ଧା ମହିଳାଙ୍କୁ ହଠାତ୍ ମୁଣ୍ଡ ବୁଲାଇବା ସହ ଦୁର୍ବଳ ଅନୁଭବ ହୋଇଥିଲା। ଏହା ଦେଖି ପ୍ରଧାନମନ୍ତ୍ରୀ ନିଜେ ତାଙ୍କ ପାଖକୁ ଯାଇ ସହାୟତା କରିଥିଲେ। ମୋଦୀଙ୍କ ଏହି ମାନବିକ ପଦକ୍ଷେପ ଦେଖି ଉପସ୍ଥିତ ବିଜେପି କର୍ମୀମାନେ ଭାବବିହ୍ୱଳ ହୋଇପଡ଼ିଥିଲେ।

ଶୁକ୍ରବାର ମୈସୁରୁରେ COSMOS ପ୍ଲାନେଟାରିୟମ୍‌ର ଉଦଘାଟନ କାର୍ଯ୍ୟକ୍ରମ ସମୟରେ ଏହି ଘଟଣା ଘଟିଥିଲା। ନଞ୍ଜନଗୁଡ୍ ଟାଉନ୍ ମ୍ୟୁନିସିପାଲିଟିର ପୂର୍ବତନ ଅଧ୍ୟକ୍ଷା ତଥା ବିଜେପି କର୍ମୀ ପ୍ରେମା ସିମ୍ବାୟାଙ୍କୁ ହଠାତ୍ ମୁଣ୍ଡ ବୁଲାଇବା ଆରମ୍ଭ ହୋଇଥିଲା। ସେ ଦୁର୍ବଳ ଅନୁଭବ କରିବା ସହ ତଳେ ପଡ଼ିଯିବା ଭଳି ପରିସ୍ଥିତି ଉପୁଜିଥିଲା। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଅସୁସ୍ଥତା ଲକ୍ଷ୍ୟ କରି ତୁରନ୍ତ ତାଙ୍କ ନିକଟକୁ ଯାଇଥିଲେ। ମହିଳାଙ୍କୁ ସମ୍ଭାଳିବା ସହ ତାଙ୍କର ସ୍ଥିତି ଠିକ୍ କରିବା ପାଇଁ ଜୁସ୍ ଦିଆଯାଇଥିଲା। ଏହାସହ ପ୍ରଧାନମନ୍ତ୍ରୀଙ୍କ କନଭୟରେ ଉପସ୍ଥିତ ଡାକ୍ତରଙ୍କୁ ଡାକି ବୃଦ୍ଧାଙ୍କର ଉପଯୁକ୍ତ ଚିକିତ୍ସା ଏବଂ ଯତ୍ନ ସୁନିଶ୍ଚିତ କରିଥିଲେ ମୋଦୀ।

ଏହି ଘଟଣାକୁ ନେଇ ବିଜେପି ମହିଳା ମୋର୍ଚ୍ଚା ନିଜର X ହ୍ୟାଣ୍ଡଲରେ କିଛି ଫଟୋ ସେୟାର କରିଛି। ପୋଷ୍ଟରେ ଲେଖାଯାଇଛି, “ସହାୟତା ପାଇଁ ଆଗକୁ ବଢ଼ିଥିବା ହାତ ଏବଂ ଯତ୍ନ ନେଉଥିବା ହୃଦୟ।” ପୋଷ୍ଟରେ ଆହୁରି କୁହାଯାଇଛି ଯେ, ମୈସୁରୁର ରାଲି ସମୟରେ ୭୦ ବର୍ଷୀୟ ପ୍ରେମା କେ.ଙ୍କୁ ମୁଣ୍ଡ ବୁଲାଇବା ସହ ଦୁର୍ବଳ ଅନୁଭବ ହୋଇଥିଲା। ଏହା ଦେଖି ପ୍ରଧାନମନ୍ତ୍ରୀ ମୋଦୀ ନିଜେ ତାଙ୍କର ଖବର ନେଇଥିଲେ ଏବଂ ଡାକ୍ତର ତୁରନ୍ତ ଆବଶ୍ୟକ ଚିକିତ୍ସା ଓ ଇଲେକ୍ଟ୍ରୋଲାଇଟ୍ସ ଯୋଗାଇ ଦେବା ସୁନିଶ୍ଚିତ କରିଥିଲେ। ଏହି ଘଟଣାକୁ ଉଲ୍ଲେଖ କରି ମହିଳା ମୋର୍ଚ୍ଚା କହିଛି ଯେ, ଏହି ମାନବିକତା ହିଁ ମୋଦୀଙ୍କୁ ଜଣେ ପ୍ରକୃତ ‘ପ୍ରଧାନ ସେବକ’ କରିଥାଏ। ଯେତେବେଳେ କାହାର ସହାୟତା ଆବଶ୍ୟକ ହୁଏ, ସେ ସେଠାରେ ଉପସ୍ଥିତ ରହନ୍ତି। ମୈସୁରୁରେ ଜଣେ ବୃଦ୍ଧାଙ୍କ ପ୍ରତି ମୋଦୀଙ୍କ ଏହି ସହାନୁଭୂତିପୂର୍ଣ୍ଣ ବ୍ୟବହାର ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛି।

Leave a Reply

Your email address will not be published. Required fields are marked *