New project 2 2026 11 14 21 00

ଚୁଲି ନିଆଁରେ ଜଳିଗଲେ ମହିଳା, ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

Spread the love

ଯାଜପୁର : ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଲେମ୍ବୋ ପଞ୍ଚାୟତ ସିଙ୍ଗାଡ଼ିଆ ଗାଁରେ ଜଣେ ମହିଳା ଚୁଲି ନିଆଁରେ ପୋଡ଼ିହୋଇ ମୃତ୍ୟୁର ଶିକାର ହୋଇଥିବା ଅଭିଯୋଗ ହୋଇଛି। ମୃତକ ଗରିବ କ୍ଷୁଦ୍ର ଚାଷୀ ଗୋଲେଖ ବେହେରାଙ୍କ ପତ୍ନୀ ବନ୍ତ ବେହେରା(୫୬)। ଗୁରୁବାର ସେ ସକାଳ ଏକୁଟିଆ ନିଜ ଚାଳ ଝପର ଝାଟିମାଟି ଘରେ ଥିବା ଚୁଲିରେ ରୋଷେଇ କରୁଥିଲେ। ସ୍ବାମୀ କୌଣସି ଏକ କାମରେ ଗାଁ ଆଡ଼କୁ ଯାଇଥିଲେ। ପାଖରେ ରହୁଥିବା ସ୍ବାମୀ ପରିତ୍ୟକ୍ତା ଝିଅ ବ୍ୟକ୍ତିଗତ କାମରେ ସୁକିନ୍ଦା ଯାଇଥିଲେ। ଚୁଲି ଜାଳୁଥିବା ସମୟରେ ଅସାବଧାନତାରୁ ତାଙ୍କ ଶାଢ଼ି ତଳେ ନିଆଁ ଲାଗି ଯାଇଥିଲା। ହଠାତ୍ ସେ ଜଳିଯିବା ସହ ଘର ଚାଳକୁ ନିଆଁ ଧରିଥିଲା।
ଘରେ ଅଗ୍ନିକାଣ୍ଡ ଓ ମହିଳାଙ୍କ ଚିତ୍କାର ଶୁଣି ପଡ଼ୋଶୀ ପହଞ୍ଚିଥିଲେ। ଗ୍ରାମବାସୀ ପାଖ ଘରୁ ଟୁଲୁ ପମ୍ପ୍ ଲଗାଇ ନିଆଁ ଲିଭା ଉଦ୍ୟମ କରିଥିଲେ। ସୁକିନ୍ଦା ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସହଯୋଗ କରିଥିଲେ। ୮୦ ପ୍ରତିଶତ ପୋଡ଼ି ଯାଇଥିବା ଶ୍ରୀମତୀ ବେହେରାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିଆଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।
ଏ ସଂକ୍ରାନ୍ତରେ କଟକ ମଙ୍ଗଳାବାଗ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇ ଶବ ବ୍ୟବଛେଦ କରାଯାଇଥିଲା। ସିଙ୍ଗାଡ଼ିଆ ଗାଁ ଶ୍ମଶାନରେ ଏକ ଶୋକାକୁଳ ପରିବେଶରେ ତାଙ୍କ ଶେଷକୃତ୍ୟ କରାଯାଇଛି।

Leave a Reply

Your email address will not be published. Required fields are marked *