Untitled 1 copy

ମାଲକାନଗିରିରେ ଜନଜାତୀୟ ଗୌରବ ଦିବସ: ୫୫ କୋଟିର ୨୮ଟି ଛାତ୍ରାବାସ ଲୋକାର୍ପିତ, ୧୦୬ କୋଟିର ୩୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

Spread the love

ଜନଜାତି ବର୍ଗଙ୍କ ସଶକ୍ତୀକରଣ ବିନା ସମୃଦ୍ଧ ଓଡ଼ିଶା, ବିକଶିତ ଭାରତ ଗଠନ ଅସମ୍ଭବ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଅନ୍ୟତମ ସ୍ୱାଧୀନତା ସଂଗ୍ରାମୀ ତଥା ଜନଜାତି ସମାଜର ଆରାଧ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ତଥା ଜାତୀୟ ‘ଜନଜାତୀୟ ଗୌରବ ଦିବସ’ ଅବସରରେ ଆଜି (ରବିବାର) ମାଲକାନଗିରିଠାରେ ରାଜ୍ୟସ୍ତରୀୟ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫୫ କୋଟିର ୨୮ଟି ଛାତ୍ରାବାସ ଲୋକାର୍ପିତ, ୧୦୬ କୋଟିର ୩୫ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ମହାରାଷ୍ଟ୍ରର ଗଡଚିରୋଲୀଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀ ମାଧ୍ୟମରେ ଯୋଗଦେଇ ଉଦ୍‌ବୋଧନ ଦେବା ପରେ ମାଲକାନଗିରିଠାରେ ରାଜ୍ୟସ୍ତରୀୟ ସମାବେଶ ଆରମ୍ଭ ହୋଇଥିଲା।
ଏହି ଅବସରରେ ବିର୍ସା ମୁଣ୍ଡାଙ୍କ ସ୍ମୃତିଚାରଣ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ସଂଗ୍ରାମ କରିବାରେ ବିର୍ସା ଥିଲେ ଜଣେ ଅଗ୍ରଣୀ ନାୟକ। ତାଙ୍କ ପ୍ରେରଣାରେ ସମଗ୍ର ଆଦିବାସୀ ସମାଜ ସ୍ୱାଧୀନଚେତା ଚିନ୍ତାଧାରାରେ ଉଦ୍‌ବୁଦ୍ଧ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ମାର୍ଗଦର୍ଶନରେ ଦେଶର ଆଦିବାସୀମାନେ ଆଜି ସାମାଜିକ ଓ ଆର୍ଥିକ କ୍ଷେତ୍ରରେ ସଶକ୍ତ ହେଉଛନ୍ତି ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ, ଜନଜାତି ବର୍ଗର ସାମଗ୍ରିକ ଉନ୍ନତିରେ ହିଁ ଆମେ ସମୃଦ୍ଧ ଓଡ଼ିଶା ଓ ବିକଶିତ ଭାରତ ଗଠନ କରିପାରିବା। ମାଲକାନଗିରି ଜିଲ୍ଲାରେ ୪,୨୦୦ କୋଟି ଟଙ୍କା ବିନିଯୋଗରେ ଦୁଇଟି ଶିଳ୍ପ ପ୍ରକଳ୍ପ ଖୁବ୍ ଶୀଘ୍ର ପ୍ରତିଷ୍ଠା ହେବାକୁ ଯାଉଛି ବୋଲି କହିଥିଲେ।
ମାଲକାନଗିରି ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ୧୬୧ କୋଟି ଟଙ୍କାର ବିଭିନ୍ନ ଜନକଲ୍ୟାଣକାରୀ ପ୍ରକଳ୍ପ ଭେଟି ଦେଇଛନ୍ତି। ଏଥିମଧ୍ୟରୁ ଜନଜାତି ଛାତ୍ରଛାତ୍ରୀଙ୍କ ଶିକ୍ଷାର ପ୍ରସାର ନିମନ୍ତେ ୫୫ କୋଟି ଟଙ୍କା ବ୍ୟୟବରାଦରେ ନିର୍ମିତ ୨୮ଟି ନୂତନ ଛାତ୍ରାବାସ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଲୋକାର୍ପିତ କରିଥିବା ବେଳେ, ଜିଲ୍ଲାର ଭିତ୍ତିଭୂମି ଓ ସାମଗ୍ରିକ ଉନ୍ନତି ପାଇଁ ୧୦୬ କୋଟି ଟଙ୍କା ବିନିଯୋଗରେ ୩୫ଟି ନୂତନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଉଚ୍ଚଶିକ୍ଷା କ୍ଷେତ୍ରରେ ଇଞ୍ଜିନିଅରିଙ୍ଗ୍ ଓ ମେଡିକାଲ ପାଠ୍ୟକ୍ରମରେ ଅନୁସୂଚିତ ଜନଜାତି ବର୍ଗଙ୍କ ପାଇଁ ୨୨.୫ ପ୍ରତିଶତ, ଅନୁସୂଚିତ ଜାତିଙ୍କ ପାଇଁ ୧୬.୨୫ ପ୍ରତିଶତ ଏବଂ ପଛୁଆ ବର୍ଗଙ୍କ ପାଇଁ ୧୧.୨୫ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରାଯିବା ସହିତ ଓଡ଼ିଶାରେ ଏକକାଳୀନ ୨୪ଟି ନୂତନ ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ କାର୍ଯ୍ୟକ୍ଷମ ହୋଇ ମୋଟ ସଂଖ୍ୟା ୭୧ରେ ପହଞ୍ଚିଛି, ଯାହା ସମଗ୍ର ଦେଶରେ ସର୍ବାଧିକ।
ଏହି ସମାରୋହରେ ମୁଖ୍ୟମନ୍ତ୍ରୀ ଦିଦାୟୀ ଜନଜାତି ବର୍ଗର ୨ଜଣ Ph.D ଛାତ୍ର ଏବଂ ଜଣେ ସମାଜସେବୀଙ୍କୁ ସମ୍ବର୍ଦ୍ଧିତ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ, ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ମାଲକାନଗିରି ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ନରସିଂହ ମାଡକାମୀ, ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲ, ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ଗଙ୍ଗାଧର ସୋଡୀ, ବିଭାଗୀୟ କମିଶନର ତଥା ଶାସନ ସଚିବ ବି. ପରମେଶ୍ୱରନ ଏବଂ ମାଲକାନଗିରି ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜେଶିର୍କେ ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *