Kalajadu

ମଶାଣିରେ ୧୦ ଝିଅଙ୍କ ହାତପାଦ ବ୍ଲେଡ୍‌ରେ କାଟିଲା ଗୁଣିଆ

Spread the love

ନିମାପଡ଼ା: ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ି ସନ୍ଦେହରେ ଅନେକ ସମୟରେ ଅଭାବନୀୟ ଘଟଣାମାନ ଘଟିଥାଏ। ଆଧୁନିକ ଓ ବୈଜ୍ଞାନିକ ଯୁଗରେ ଏହାର କୌଣସି ପ୍ରମାଣ ନାହିଁ, କିନ୍ତୁ ଆଜି ବି ଆମ ସମାଜରେ ବିଶେଷ କରି ଗ୍ରାମାଞ୍ଚଳରେ ଏହି ଅନ୍ଧବିଶ୍ୱାସ ଯୋଗୁଁ ଅନେକ ଅପରାଧିକ ଘଟଣା ଘଟୁଛି। ଏଭଳି ଏକ ଘଟଣା ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍‌ ବନ୍ତୁଗ୍ରାମରୁ ଆସିଛି। ମଶାଣିକୁ ଡାକି ୧୦ଜଣ ନାବାଳିକାଙ୍କ ହାତ-ପାଦ ବ୍ଲେଡ୍‌ରେ କାଟିଦେଲା ଗୁଣିଆ। ସ୍ଥାନୀୟ ଲୋକେ ଜାଣିବା ପରେ ଗୁଣିଆକୁ ନିର୍ଦ୍ଧୁମ ଛେଚି ପୋଲିସ୍‌ ଜିମା ଦେଇଛନ୍ତି।

ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ, ନିମାପଡ଼ା ବ୍ଲକ୍‌ ବନ୍ତୁଗ୍ରାମ ଦଳିତ ସାହିର ସନ୍ତୋଷ ବେହେରା ମଶାଣିରେ ଗୁଣି ବିଦ୍ୟା ଅଭ୍ୟାସ କରୁଥିଲା । ଦୀପାବଳି ପୂର୍ବଦିନ ଅର୍ଥାତ୍‌ ୭ ତାରିଖ ରାତି ପ୍ରାୟ ୧୦ଟାରେ ବାଲିପାଟଣା ଅଞ୍ଚଳର ଏକ ଗ୍ରାମର ୧୦ ଜଣ ଝିଅଙ୍କୁ ବନ୍ତୁଗ୍ରାମ ଶ୍ମଶାନକୁ ଡାକିଥିଲା । ସମ୍ପୃକ୍ତ ନାବାଳିକାଙ୍କର ହାତ-ପାଦକୁ ବ୍ଲେଡ୍‌ରେ କାଟି ଏକ ସରାରେ ରକ୍ତ ସଂଗ୍ରହ କରିଥିଲା । ବନ୍ତୁ ଅଞ୍ଚଳବାସୀ ଏହା ଜାଣିବା ପରେ ମଶାଣିକୁ ଯାଇଥିଲେ । ସନ୍ତୋଷକୁ କାବୁ କରି ଉତ୍ତମ ମଧ୍ୟମ ଦେଇଥିଲେ ।

ନିମାପଡ଼ା ଏସ୍‌ଡିପିଓ ଜନାର୍ଦ୍ଦନ ପାଢ଼ୀ, ଥାନାଧିକାରୀ, ଗୋପ ଥାନାଧିକାରୀ, ଚାରିଛକ ଥାନାଧିକାରୀ ସଦଳବଳ ପହଞ୍ଚି ଲୋକଙ୍କ କବଳରୁ ଗୁଣିଆକୁ ଉଦ୍ଧାର କରିଥିଲେ । ଝିଅମାନଙ୍କ ହାତ-ପାଦରୁ ରକ୍ତ ବାହାରୁଥିବାରୁ ସେମାନଙ୍କୁ ଡାକ୍ତରଖାନା ପଠାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ସନ୍ତୋଷକୁ ନିମାପଡ଼ା ପୋଲିସ୍‌ ବାଲିପାଟଣା ଥାନାକୁ ହସ୍ତାନ୍ତର କରିଥିଲା । ଗୁଣିଆ ଘରୁ ହାଡ଼ ଓ ଅନ୍ୟାନ୍ୟ ଗୁଣିଗାରେଡ଼ି ସାମଗ୍ରୀ ଜବତ କରାଯାଇଛି । ଅନ୍ୟପଟେ ଲୋକଙ୍କ ଜୀବନ ସହ ଖେଳୁଥିବା ଅଭିଯୁକ୍ତ ଗୁଣିଆର କାର୍ଯ୍ୟକଳାପକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।

Leave a Reply

Your email address will not be published. Required fields are marked *