1794240721 PURI BEACH

ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ୫ ପର୍ଯ୍ୟଟକ, ୨ ମୃତ

Spread the love

ପୁରୀ: ସୋମବାର ଅପରାହ୍ନ ପ୍ରାୟ ୫ଟା ସମୟରେ ପୁରୀ ସମୁଦ୍ରକୂଳରେ ଅଘଟଣ ଘଟିଯାଇଛି । ରାଜସ୍ଥାନରୁ ଆସିଥିବା ୯ ଜଣ ପର୍ଯ୍ୟଟକ ସମୁଦ୍ରରେ ଗାଧୋଉଥିବା ସମୟରେ ଉଚ୍ଚ ଜୁଆର ଆସିଥିଲା । ଏଥିରେ ୫ ଜଣ ପର୍ଯ୍ୟଟକ ସମୁଦ୍ରରେ ବୁଡ଼ିଯାଇଥିଲେ । ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଚିକିତ୍ସାଧୀନ ଅଛନ୍ତି ।

ଘଟଣା ପୂର୍ବରୁ ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡମାନେ ପର୍ଯ୍ୟଟକମାନଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ଏବଂ ଉଚ୍ଚ ଜୁଆର ସମୟରେ ସତର୍କ ରହିବାକୁ ସଚେତନ କରିଥିଲେ । ମାତ୍ର ସେମାନେ ଏହି ସତର୍କ ସୂଚନାକୁ ଖାତିର ନକରି ସମୁଦ୍ରରେ ଗାଧୋଉଥିଲେ । ଘଟଣା ସମ୍ପର୍କରେ ଖବର ପାଇ ପୋଲିସ, ଅଗ୍ନିଶମ ବାହିନୀ ଓ ଲାଇଫ୍ ଗାର୍ଡମାନେ ତୁରନ୍ତ ମିଳିତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏଥିରେ ୪ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ହସ୍ପିଟାଲ୍ ପଠାଯାଇଥିଲା । ଉଦ୍ଧାର ହୋଇଥିବା ୪ ଜଣଙ୍କ ମଧ୍ୟରୁ ଜଣଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ଅନ୍ୟ ଜଣେ ପର୍ଯ୍ୟଟକ ନିଖୋଜ ଥିବାବେଳେ ପରବର୍ତ୍ତୀ ସମୟରେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଥିଲା । ମୃତ ଦୁଇ ଜଣ ହେଲେ ଚୂତରା ରାମ(୨୩) ଓ ପଦ୍ମା ରାମ(୨୨) ।

ପୁରୀ ପୋଲିସ ପକ୍ଷରୁ ପର୍ଯ୍ୟଟକ ଓ ସାଧାରଣ ଜନତାଙ୍କୁ ଅନୁରୋଧ କରାଯାଉଛି ଯେ, ଉଚ୍ଚ ଜୁଆର ସମୟରେ ସମୁଦ୍ରରେ ଗାଧୋଇବାକୁ ଯାଆନ୍ତୁ ନାହିଁ। ବେଳାଭୂମିରେ ନିୟୋଜିତ ଲାଇଫ୍ ଗାର୍ଡଙ୍କ ପରାମର୍ଶ ଓ ସତର୍କ ସୂଚନାକୁ ଅବଶ୍ୟ ପାଳନ କରନ୍ତୁ ।

Leave a Reply

Your email address will not be published. Required fields are marked *