ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ଅଭିଯୁକ୍ତକୁ ଏନ୍କାଉଣ୍ଟର
ନୂଆଦିଲ୍ଲୀ: ଉତ୍ତର ଦିନାଜପୁରରେ ଜଣେ ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗରେ ୪୭ ବର୍ଷୀୟ ଜଣେ ବ୍ୟକ୍ତି ପୁଲିସ ଏନ୍କାଉଣ୍ଟରରେ ନିହତ ହୋଇଛନ୍ତି । ପଶ୍ଚିମବଙ୍ଗରେ ସରକାର ପରିବର୍ତ୍ତନ ପରେ ପୁଲିସ ଏନ୍କାଉଣ୍ଟରରେ ଦୁଷ୍କର୍ମ ଓ ହତ୍ୟା ମାମଲାରେ ସନ୍ଦିଗ୍ଧ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିବାର ଏହା ଚତୁର୍ଥ ଘଟଣା ବୋଲି ଜଣାପଡିଛି ।ପ୍ରଥମ ଘଟଣା ଜୁଲାଇ ୭ ତାରିଖରେ ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁରରେ ଘଟିଥିଲା। ଦ୍ୱିତୀୟ ଘଟଣା ଅକ୍ଟୋବର ୨୭ ତାରିଖରେ ଉତ୍ତର ୨୪ ପ୍ରଗଣାର ଗାଇଘାଟାରେ ଘଟିଥିଲା। ସେହି ଦିନ କିଛି ଘଣ୍ଟା ପରେ ମୁର୍ଶିଦାବାଦର ଧୁଲିଆନରେ ତୃତୀୟ ଏନ୍କାଉଣ୍ଟର ଘଟିଥିଲା। ଗତ ରବିବାର ୪ର୍ଥ ଏନକାଉଣ୍ଟର ଘଟିଛି ।
ତେବେ ଏହି ଘଟଣାକୁ ନେଇ ପଶ୍ଚିମବଙ୍ଗରେ ରାଜନୈତିକ ବିବାଦ ମଧ୍ୟ ତୀବ୍ର ହୋଇଛି। ତୃଣମୂଳ କଂଗ୍ରେସ ନେତା ସୌଗତ ରାୟ ଏନ୍କାଉଣ୍ଟରକୁ ସମାଲୋଚନା କରି କହିଛନ୍ତି ଯେ, ପୁଲିସ ସନ୍ଦିଗ୍ଧ ଅପରାଧୀଙ୍କୁ ଗୁଳି କରି ମାରିବା ଉଚିତ ନୁହେଁ। ସେମାନଙ୍କ ବିରୋଧରେ ଅଦାଲତରେ ମାମଲା ଚାଲିବା ଆବଶ୍ୟକ। ଏଭଳି ଧାରା ଜାରି ରହିଲେ ଆଇନଶୃଙ୍ଖଳା ବ୍ୟବସ୍ଥା ଭୁଶୁଡ଼ି ପଡ଼ିବ ବୋଲି ସେ ମତ ଦେଇଛନ୍ତି। ତେବେ ରବିବାରର ଏନକାଉଣ୍ଟର ପରେ ପୀଡ଼ିତାଙ୍କ ବାପା ଗଣମାଧ୍ୟମକୁ କହିଛନ୍ତି ଯେ, ତାଙ୍କ ଝିଅକୁ ନିର୍ଯାତନା ଦେଇଥିବା ବ୍ୟକ୍ତି ସହ ଯାହା ଘଟିଛି, ସେଥିରେ ସେ ଖୁସି ଅଛନ୍ତି। ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଦିଲୀପ ରାୟଙ୍କ ମା’ ମଧ୍ୟ ତାଙ୍କ ପୁଅର ଏନକାଉଣ୍ଟରକୁ ନେଇ ଗଣମାଧ୍ୟମକୁ କହିଛନ୍ତି ଯେ ପୁଲିସ ଯାହା କରିଛି ଠିକ୍ କାମ କରିଛି।
