ତେଜରାତି ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ, ଗୋଟିଏ ପରିବାରର ୬ ମୃତ
ମୁମ୍ବାଇ : ମହାରାଷ୍ଟ୍ରର ଧାରାଶିବ ଜିଲ୍ଲାର ୟେଦଶୀ ଗାଁରେ ଦୀପାବଳି ରାତିରେ ଏକ ବଡ଼ ଅଘଟଣ । ଏକ ଭୟଙ୍କର ଅଗ୍ନିକାଣ୍ଡରେ ଗୋଟିଏ ପରିବାରର ୬ ଜଣଙ୍କ ମୃତ୍ୟୁ ହୋଇଛି । ନିଆଁ ଓ ଧୂଆଁ ଯୋଗୁଁ ଶ୍ୱାସରୁଦ୍ଧ ହୋଇ ସମସ୍ତଙ୍କ ଜୀବନ ଯାଇଥିବା ଜଣାପଡ଼ିଛି । ଉଦ୍ଧାରକାରୀ ଦଳ ଜଣେ ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିବା ବେଳେ ୬ ଜଣଙ୍କ ମୃତ୍ୟୁକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଖବର ମୁତାବକ, ଏକ ତେଜରାତି ଦୋକାନର ଉପର ମହଲାରେ ପରିବାର ରହୁଥିଲେ । ଦୋକାନ ଭିତରୁ ନିଆଁ ଉପର ମହଲାକୁ ବ୍ୟାପିଯାଇଥିଲା । ଫଳରେ ପରିବାରର ସଦସ୍ୟମାନେ ଘର ଭିତରେ ଫସି ରହିଥିଲେ । ବାହାରକୁ ବାହାରିବାର ସୁଯୋଗ ନମିଳିବାରୁ ଧୂଆଁରେ ଶ୍ୱାସରୁଦ୍ଧ ହୋଇ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକେ ଘରୁ ନିଆଁ ବାହାରୁଥିବା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।
ଦୀପାବଳି ପୂଜା ପାଇଁ ଜଳାଯାଇଥିବା ମାଟି ଦୀପରୁ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି । ତେବେ ଅଗ୍ନିକାଣ୍ଡର ପ୍ରକୃତ କାରଣ ଏଯାଏଁ ଜଣାପଡିନାହିଁ ।
ଦୀପାବଳି ଅବସରରେ ମହାରାଷ୍ଟ୍ରର ବିଭିନ୍ନ ସହରରେ ଅନେକ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ମୁମ୍ବାଇର କାନ୍ଦିଭଲି, ଗୋରେଗାଁ, ଡୋଙ୍ଗରି, ସାନ୍ତାକ୍ରୁଜ, ଅନ୍ଧେରୀ ଓ ବିଦ୍ୟାବିହାର ଅଞ୍ଚଳରେ ନିଆଁ ଲାଗିଥିବା ଖବର ମିଳିଛି । ଏହାବ୍ୟତୀତ ଭିୱାଣ୍ଡିର ୫ଟି ସ୍ଥାନରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି ।
