ଦୀପାବଳି ପରେ ମୁମ୍ବାଇରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର, AQI ୪୮୦ ପାର୍
ମୁମ୍ବାଇ : ଦିଲ୍ଲୀ ପରେ ବିଗିଡିଲା ମୁମ୍ବାଇ ଅବସ୍ଥା । ଦୀପାବଳି ପରେ ମୁମ୍ବାଇ ଓ ଦିଲ୍ଲୀରେ ବଢ଼ିଥିବା ବାୟୁ ପ୍ରଦୂଷଣକୁ ନେଇ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି । ଦୀପାବଳି ପରେ ବାଣ ଫୁଟାର ପ୍ରଭାବ ଏବେ ଦେଶର ବଡ଼ ବଡ଼ ସହରର ବାୟୁମାନ ଉପରେ ପଡ଼ିଛି । ମୁମ୍ବାଇରେ ବାୟୁ ପ୍ରଦୂଷଣ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ରାତି ସମୟରେ ଅନ୍ଧେରୀ, ମାନଖୁର୍ଦ୍ ଓ ଦେବନାର ଭଳି ଅଞ୍ଚଳରେ ବାୟୁ ଗୁଣବତ୍ତା ସୂଚକାଙ୍କ (AQI) ୪୮୦ ଅତିକ୍ରମ କରିଛି । ସେହିପରି ଚେମ୍ବୁର, କୁର୍ଲା, ଖେରୱାଡ଼ି ଓ ବାନ୍ଦ୍ରା ଅଞ୍ଚଳରେ AQI ୨୨୦ରୁ ଅଧିକ କରାଯାଇଛି ।
ପ୍ରଦୂଷଣ ବଢିବା ଯୋଗୁଁ ସକାଳୁ ମର୍ଣ୍ଣିଂ ୱାକ୍ କରିବାକୁ କମ୍ ସଂଖ୍ୟାରେ ଆସିଥିଲେ । ଲୋକଙ୍କ ମତରେ, ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସରକାର ବାଣ ଫୁଟା ଉପରେ କଟକଣା ଲଗାଇବା ଉଚିତ । ଦୀପାବଳି ବର୍ଷକୁ ଥରେ ଆସୁଥିବାରୁ ପର୍ବ ସମୟରେ ଗୋଟିଏ କିମ୍ବା ଦୁଇ ଦିନର ଅସୁବିଧାକୁ ସହ୍ୟ କରାଯାଇପାରିବ । ତେଣୁ ଲୋକଙ୍କୁ ବାଣ ଫୁଟାଇବାରୁ ସମ୍ପୂର୍ଣ୍ଣ ରୋକିବା ଠିକ୍ ନୁହେଁ ବୋଲି ସେମାନେ ମତ ଦେଇଛନ୍ତି ।
ଅନ୍ୟପଟେ ଦୀପାବଳି ପରେ ଦେଶର ରାଜଧାନୀ ଦିଲ୍ଲୀର ବାୟୁମାନ ମଧ୍ୟ ଅତ୍ୟନ୍ତ ଖରାପ ହୋଇପଡ଼ିଛି । ଦିଲ୍ଲୀର ଅନେକ ଅଞ୍ଚଳରେ AQI ୪୦୦ ଅତିକ୍ରମ କରିଛି । ସକାଳ ୬ଟା ୩୦ ସୁଦ୍ଧା ସହରର ହାରାହାରି AQI ୩୬୬ ରେକର୍ଡ କରାଯାଇଛି । ଦୀପାବଳି ପୂର୍ବରୁ ମଧ୍ୟ ଦିଲ୍ଲୀରେ ପ୍ରଦୂଷଣ ସ୍ତର ଉଚ୍ଚ ରହିଥିଲା । ଶନିବାର ହାରାହାରି AQI ୩୬୯ ଥିବା ବେଳେ ରବିବାର ଏହା ୩୭୬ରେ ପହଞ୍ଚିଥିଲା । ଏହା ମଧ୍ୟରେ ଦୀପାବଳିର ବାଣ ଧୂଆଁ ପ୍ରଦୂଷଣ ସମସ୍ୟାକୁ ଆହୁରି ବଢ଼ାଇଛି ।
ରାଜଧାନୀର ଅନେକ ଅଞ୍ଚଳ ଘନ ଧୂଆଁ ଓ କୁହୁଡ଼ିର ଚାଦରରେ ଢାଙ୍କି ହୋଇ ରହିଥିଲା । ଫଳରେ ଦୃଶ୍ୟମାନ କ୍ଷମତା ମଧ୍ୟ ପ୍ରଭାବିତ ହୋଇଥିଲା । ବାୟୁ ପ୍ରଦୂଷଣ ହ୍ରାସ କରିବା ପାଇଁ ରାସ୍ତାରେ ପାଣି ସିଞ୍ଚନ କରୁଥିବା ଆଣ୍ଟି-ସ୍ମଗ୍ ଗନର ବ୍ୟବହାର କରାଯାଉଛି ।
