ବାଣ ଫୁଟାଇବା ବେଳେ ବିସ୍ଫୋରଣ ଘଟି ବାଳକର ମୃତ୍ୟୁ
ରାଉରକେଲା: ରାଉରକେଲା ସହରରୁ ଏକ ଅତ୍ୟନ୍ତ ମର୍ମନ୍ତୁଦ ଓ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ରଘୁନାଥପାଲି ଥାନା ଅଧୀନସ୍ଥ କୌଶଲ୍ୟା ବିହାର ଅଞ୍ଚଳରେ ବାଣ ଫୁଟିବା ସମୟରେ ଘଟିଥିବା ଏକ ଦୁର୍ଘଟଣାରେ ଜଣେ ୧୪ ବର୍ଷୀୟ ବାଳକଙ୍କର ମୃତ୍ୟୁ ହୋଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ମୃତ ବାଳକ ଜଣକ ହେଲେ କୌଶଲ୍ୟା ବିହାରର ଚିନ୍ମୟ ସାହୁ। ସେ ବାଣ ଫୁଟାଉଥିବା ସମୟରେ ହଠାତ୍ ବାଣଟି ବିସ୍ଫୋରଣ ହୋଇଯାଇଥିଲା। ଏହି ଭୟଙ୍କର ବିସ୍ଫୋରଣ ଫଳରେ ସେ ଗୁରୁତର ଭାବରେ ପୋଡ଼ି ଯାଇ ଆହତ ହୋଇଥିଲେ। ପରିବାରବର୍ଗ ଏବଂ ସ୍ଥାନୀୟ ଲୋକମାନେ ତୁରନ୍ତ ତାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ରାଉରକେଲା ସରକାରୀ ଡାକ୍ତରଖାନା କୁ ପଠାଇଥିଲେ। ମାତ୍ର ଡାକ୍ତରଖାନାରେ ପହଞ୍ଚିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଅପ୍ରତ୍ୟାଶିତ ଓ ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକର ଛାୟା ଖେଳାଇ ଦେଇଛି। ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଥିବାବେଳେ ସବିଶେଷ ତଥ୍ୟକୁ ଅପେକ୍ଷା କରାଯାଇଛି।
