Muzaffernager

ଡିଭାଇଡରରେ ପିଟିହେଲା କାର୍, ୬ ମୃତ

Spread the love

ମୁଜାଫରନଗର : ଉତ୍ତରପ୍ରଦେଶର ମୁଜାଫରନଗରରେ ସୋମବାର ସକାଳେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ପାଣିପତ୍-ଖଟିମା ଜାତୀୟ ରାଜପଥରେ ଏକ ଦ୍ରୁତଗାମୀ କାର୍ ନିୟନ୍ତ୍ରଣ ହରାଇ ପ୍ରଥମେ ବିଦ୍ୟୁତ୍ ଖୁଣ୍ଟରେ ପିଟି ହେବା ପରେ ଡିଭାଇଡର୍ ଭାଙ୍ଗି ଅନ୍ୟ ଲେନକୁ ଯାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ପରେ କାରରେ ନିଆଁ ଲାଗିଯିବାରୁ ଜଣେ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି ।

ଖବର ମୁତାବକ, ମୁଜାଫରନଗର ଜିଲ୍ଲାର ତିତାବି ଥାନା ଅନ୍ତର୍ଗତ ଜଗ୍ଗାହେଡ଼ି ନିକଟରେ ଏହି ଦୁର୍ଘଟଣା ଘଟିଛି । କାରଟି ହରିୟାଣାରୁ ମୁଜାଫରନଗର ଆସୁଥିବା ବେଳେ ସ୍ପିଡ୍ ଅଧିକ ରହିଥିଲା । ଏହି ସମୟରେ ଚାଳକ କାର୍ ଉପରୁ ନିୟନ୍ତ୍ରଣ ହରାଇବା ପରେ କାରଟି ରାସ୍ତାକଡ଼ରେ ଥିବା ବିଦ୍ୟୁତ୍ ଖୁଣ୍ଟରେ ଜୋରରେ ପିଟି ହୋଇଥିଲା । ଏହାପରେ କାର୍ଟି ଡିଭାଇଡର୍ ଭାଙ୍ଗି ଅନ୍ୟ ଲେନକୁ ଯାଇ ଓଲଟି ପଡ଼ିଥିଲା ।

ଦୁର୍ଘଟଣା ପରେ କାରରେ ହଠାତ୍ ନିଆଁ ଲାଗିଯାଇଥିଲା । କାର୍ ଭିତରେ ଥିବା ଲୋକମାନେ ବାହାରକୁ ଆସିବାର ସୁଯୋଗ ପାଇନଥିଲେ । ଫଳରେ ଜଣେ ମହିଳାଙ୍କ ସମେତ କାରରେ ଥିବା ସମସ୍ତ ୬ ଜଣଙ୍କ ମୃତ୍ୟୁ ହୋଇଛି ।
ଖବର ପାଇ ପୋଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଦୁର୍ଘଟଣାର କାରଣ ନେଇ ପୋଲିସ ତଦନ୍ତ ଜାରି ରଖିଛି । ପ୍ରାଥମିକ ଭାବେ ଅତ୍ୟଧିକ ବେଗ ଓ ଚାଳକଙ୍କ ନିୟନ୍ତ୍ରଣ ହରାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *