Screenshot 2026 11 09 214750 1200x557 1 750x430

ବଲାଙ୍ଗୀରରେ ୧୦୦ କୋଟିର ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପକୁ ମଞ୍ଜୁରୀ

Spread the love

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବଲାଙ୍ଗୀର ଜିଲ୍ଲାରେ ୯୯.୯୯ କୋଟି ଟଙ୍କାର (ପ୍ରାୟ ୧୦୦ କୋଟି) ଏକ ‘ଇନ୍-ଷ୍ଟ୍ରିମ୍ ଷ୍ଟୋରେଜ୍ ପ୍ରକଳ୍ପ’ (In-Stream Storage Structure) ର ନିର୍ମାଣ ଟେଣ୍ଡରକୁ ମଞ୍ଜୁରୀ ପ୍ରଦାନ କରାଯାଇଛି। ବଲାଙ୍ଗୀର ଜିଲ୍ଲା ତିତିଲାଗଡ଼ ବ୍ଲକର ପାଥର୍ଲା ଗ୍ରାମ ନିକଟରେ ତେଲ ନଦୀର ଉପନଦୀ ଇନ୍ଦ୍ର/ସୁନ୍ଦର ନଦୀ ଶଯ୍ୟାରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ।

ଏହି ପ୍ରକଳ୍ପର କାର୍ଯ୍ୟ ଆଗାମୀ ୩୦ ମାସ ମଧ୍ୟରେ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ତେବେ ଏହି ପ୍ରକଳ୍ପର ମୂଳ ଉଦ୍ଦେଶ୍ୟ ହେଉଛି ବର୍ଷା ଦିନେ ନଦୀର ବଳକା ଜଳକୁ ସଂରକ୍ଷିତ ରଖି ଜଳସ୍ତର ହ୍ରାସ ପାଉଥିବା ଶୁଖିଲା ଦିନରେ ଏହାର ବ୍ୟବହାର କରିବା। ଜଳ ସମ୍ପଦ ବିଭାଗ ଅନୁଯାୟୀ, ଏହାଦ୍ୱାରା ବଲାଙ୍ଗୀର ଜିଲ୍ଲାର ତିତିଲାଗଡ଼ ଏବଂ ବାଙ୍ଗୋମୁଣ୍ଡା ବ୍ଲକର ପ୍ରାୟ ୧୨ଟି ଗ୍ରାମକୁ ନିରନ୍ତର ପାନୀୟ ଜଳ ଯୋଗାଇ ଦିଆଯାଇପାରିବ।

ସେହିପରି ପାନୀୟ ଜଳ ବ୍ୟତୀତ ଏହି ସଂରକ୍ଷିତ ଜଳ ଅଞ୍ଚଳର ପଶୁପାଳନ, ମତ୍ସ୍ୟଚାଷ, ଭୂତଳ ଜଳ ସ୍ତରର ବୃଦ୍ଧି ଏବଂ ସ୍ଥାନୀୟ ପରିବେଶର ସନ୍ତୁଳନ ରକ୍ଷା କରିବାରେ ବେଶ୍ ସହାୟକ ହେବ। ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଅକ୍ଟୋବର ମାସରେ ମଧ୍ୟ ବଲାଙ୍ଗୀରର ସାଇଁତଲା ବ୍ଲକରେ ତୁସ୍ତାପାଲିଠାରେ ଲାନ୍ଥ ନଦୀ ଉପରେ ଅନ୍ୟ ଏକ ୧୦୫.୬୨ କୋଟି ଟଙ୍କାର ଇନ୍-ଷ୍ଟ୍ରିମ୍ ପ୍ରକଳ୍ପକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଥିଲେ।

Leave a Reply

Your email address will not be published. Required fields are marked *