ଜମି ବେପାର ନାଁରେ ୩ କୋଟି ଠକେଇ, ଟଙ୍କା ମାଗିବାରୁ ମିଳୁଛି ହତ୍ୟା ଧମକ
ଭୁବନେଶ୍ବର: ଜମି ବେପାର ନାଁରେ ୩ କୋଟି ଠକେଇ ଅଭିଯୋଗ । ବ୍ୟବସାୟ କରିବା କହି ନେଇଗଲେ ୩ କୋଟି । ମୂଳ ଟଙ୍କା ମାଗିଲେ ଆସୁଛି ଜୀବନରେ ମାରିଦେବାର ଧମକ । ଏଭଳି ଅଭିଯୋଗ ନେଇ ପାରାଦୀପ ଅଭୟଚାନ୍ଦପୁର୍ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଭୂତମୁଣ୍ଡାଇ ଗାଁର ରାଜେନ୍ଦ୍ର ଦାସ । ଦୁଇଜଣ ବ୍ୟକ୍ତି ଏକ କମ୍ପାନୀ ଖୋଲି ସ୍ଥାନୀୟ ରାଙ୍ଗିୟାଗଡ଼ ଗାଁ ପାଖରେ କିଛି ଜମି କିଣି ତାକୁ ପ୍ଲଟିଂ କରି ବିକ୍ରି କରୁଥିଲେ । ସେହି ବ୍ୟବସାୟରେ ରାଜେନ୍ଦ୍ରଙ୍କୁ ମିଶିବାକୁ ଅଫର ଦେଇଥିଲେ । ବ୍ୟବସାୟରେ ଭାଗୀଦାରୀ କରିବାକୁ ରାଜେନ୍ଦ୍ରଙ୍କଠାରୁ ଆକାଉଣ୍ଟରେ ଦେଢ କୋଟି ଓ କ୍ୟାସ୍ ଆକାରରେ କୋଟିଏ ୬୦ ଲକ୍ଷ ନେଇଥିଲେ ।
କିଛି ମାସ ପରେ ରାଜେନ୍ଦ୍ର ବ୍ୟବସାୟର ଲାଭ କ୍ଷତି ହିସାବ ମାଗିବାରୁ ସେମାନେ ପଇସା ଦେଇ ନଥିଲେ । ରାଜେନ୍ଦ୍ର ନିଜ ଟଙ୍କା ପାଇଁ ଅଡି ବସିବାରୁ ୩ କୋଟି ୧୦ ଲକ୍ଷ ଟଙ୍କାର ଚେକ୍ ଦେଇଥିଲେ ମଧ୍ଯ ତାହା ଏବେ ବାଉନସ ହୋଇଯାଇଛି । ରାଜେନ୍ଦ୍ର ଟଙ୍କା ମାଗିବାରୁ ଦୁଇଜଣ ଧମକ ଦେଉଥିବା ବେଳେ ରାଜେନ୍ଦ୍ର ଏନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଏତଲା ଗ୍ରହଣ କରିବା ସହ ତଦନ୍ତ ଆରମ୍ଭ କରିଛି ।
