Jk accident

କୁପୱାଡାରେ ଖାଇକୁ ଖସିଲା ଗାଡ଼ି, ୫ ମୃତ

Spread the love

ଜମ୍ମୁ କଶ୍ମୀର : ଜମ୍ମୁ-କଶ୍ମୀରର କୁପୱାଡା ଜିଲ୍ଲା କରନାହ ଅଞ୍ଚଳରେ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି । ଏକ ଯାତ୍ରୀବାହୀ ଗାଡ଼ି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିବାରୁ ୫ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ଆଉ ୬ ଜଣ ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ମହିଳା, ପୁରୁଷ ଓ ଶିଶୁ ଥିବା ଜଣାପଡ଼ିଛି । ଦୁର୍ଘଟଣା ପରେ ଉଦ୍ଧାରକାରୀ ଦଳ ଆହତମାନଙ୍କୁ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ତେବେ ଏହି ଦୁର୍ଘଟଣାକୁ ନେଇ ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । କୁପୱାଡାରେ ଘଟିଥିବା ଏହି ଦୁର୍ଭାଗ୍ୟଜନକ ସଡ଼କ ଦୁର୍ଘଟଣାରେ ଜୀବନହାନି ହୋଇଥିବା ନେଇ ଦୁଃଖିତ ବୋଲି କହିଛନ୍ତି । ସେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତମାନଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି । ଉପରାଜ୍ୟପାଳ ଜିଲ୍ଲା ପ୍ରଶାସନକୁ ଆହତମାନଙ୍କୁ ଯଥାସମ୍ଭବ ଚିକିତ୍ସା ସୁବିଧା ଯୋଗାଇଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ, ଗତ ମାସରେ ଜମ୍ମୁ-କଶ୍ମୀରର ପୁଞ୍ଛ ଜିଲ୍ଲା ସୁରନକୋଟର ଶେଲଧର ଅଞ୍ଚଳରେ ମଧ୍ୟ ଏଭଳି ଏକ ଭୟଙ୍କର ଦୁର୍ଘଟଣା ଘଟିଥିଲା । ଏକ ଗାଡ଼ି ନିୟନ୍ତ୍ରଣ ହରାଇ ଗଭୀର ଖାଇକୁ ଖସିପଡ଼ିବାରୁ ୨ ଜଣ ମହିଳାଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ଆଉ ୩ ଜଣ ଆହତ ହୋଇଥିଲେ ।

Leave a Reply

Your email address will not be published. Required fields are marked *