ମହାନଦୀ ବିବାଦର ସମାଧାନ ଲାଗି ଅକ୍ଟୋବର ୧ରେ ଶାହାଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ
ଭୁବନେଶ୍ୱର : ଦିଲ୍ଲୀରେ ଏକାଠି ହେବେ ଓଡ଼ିଶା-ଛତିଶଗଡ଼ ମୁଖ୍ୟମନ୍ତ୍ରୀ, ଅଧ୍ୟକ୍ଷତା କରିବେ ଅମିତ ଶାହ । ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦର ସମାଧାନ ଦିଗରେ ଆଉ ଏକ ବଡ଼ ପଦକ୍ଷେପ । ଆସନ୍ତା ଅକ୍ଟୋବର ୧ରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ହେବ । ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ବୈଠକରେ ଯୋଗଦେବେ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ବୈଠକରେ ଅଧ୍ୟକ୍ଷତା କରିବେ ବୋଲି ଓଡ଼ିଶାର ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୋମବାର ସୂଚନା ଦେଇଛନ୍ତି । ମହାନଦୀ ଜଳ ବଣ୍ଟନକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ବର୍ଷ ବର୍ଷ ଧରି ବିବାଦ ଚାଲିଆସୁଛି। ବିଶେଷକରି ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ ପକ୍ଷରୁ ବ୍ୟାରେଜ୍ ଓ ଅନ୍ୟ ଜଳ ପ୍ରକଳ୍ପ ନିର୍ମାଣକୁ ନେଇ ଓଡ଼ିଶା ଆପତ୍ତି ଉଠାଇଆସିଛି। ଅଣମୌସୁମୀ ସମୟରେ ଏହାଦ୍ୱାରା ଓଡ଼ିଶାକୁ ମହାନଦୀର ଜଳପ୍ରବାହ ପ୍ରଭାବିତ ହେଉଥିବା ଓଡ଼ିଶାର ଦୀର୍ଘଦିନର ଅଭିଯୋଗ। ବିବାଦର ସମାଧାନ ପାଇଁ ୨୦୧୮ରେ କେନ୍ଦ୍ର ସରକାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଥିଲେ।
ତେବେ ଏବେ ଟ୍ରିବ୍ୟୁନାଲ ବାହାରେ ଆପୋସ ଆଲୋଚନା ଓ ବୈଷୟିକ ପରାମର୍ଶ ଜରିଆରେ ସମାଧାନର ବାଟ ଖୋଜିବାକୁ ଦୁଇ ରାଜ୍ୟ ଉଦ୍ୟମ କରୁଛନ୍ତି। ଗତ ଜୁଲାଇ ୩୦ରେ ନୂଆଦିଲ୍ଲୀରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର୍. ପାଟିଲଙ୍କ ଅଧ୍ୟକ୍ଷତାରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା। ସେଥିରେ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ, କେନ୍ଦ୍ରୀୟ ଜଳ ଆୟୋଗ ଏବଂ ଉଭୟ ରାଜ୍ୟର ବରିଷ୍ଠ ଅଧିକାରୀ ଯୋଗଦେଇଥିଲେ। କେନ୍ଦ୍ର ସରକାର ଏହାକୁ ଆଲୋଚନା, ବୈଷୟିକ ସହଯୋଗ ଓ ସହଯୋଗମୂଳକ ସଂଘୀୟ ବ୍ୟବସ୍ଥା ଜରିଆରେ ବିବାଦର ଆପୋସ ସମାଧାନ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଥିଲେ। ଏହାପରେ ସେପ୍ଟେମ୍ବରରେ ଓଡ଼ିଶା ଗସ୍ତ ସମୟରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁ ଦେଓ ସାଏ ମଧ୍ୟ ମହାନଦୀ ପ୍ରସଙ୍ଗରେ ସକାରାତ୍ମକ ସଙ୍କେତ ଦେଇଥିଲେ। ଆଲୋଚନା ଜରିଆରେ ମହାନଦୀ ପ୍ରସଙ୍ଗର ଶୀଘ୍ର ସମାଧାନ ହେବ ବୋଲି ସେ କହିଥିଲେ। ଦୁଇ ରାଜ୍ୟର ସ୍ୱାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ରୀୟ ଜଳ ଆୟୋଗର ବୈଷୟିକ ଭୂମିକା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଉଛି ।
ଏହି ପୃଷ୍ଠଭୂମିରେ ଅକ୍ଟୋବର ୧ ବୈଠକ ବେଶ୍ ଗୁରୁତ୍ୱ ବହନ କରୁଛି । ଏଥର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା ଟେବୁଲରେ ବସିବାକୁ ଯାଉଥିବାରୁ ଆପୋସ ସମାଧାନ ଦିଗରେ କୌଣସି ନିର୍ଦ୍ଦିଷ୍ଟ ରୋଡ୍ ମ୍ୟାପ୍ ବାହାରୁଛି କି ନାହିଁ, ତାହା ଉପରେ ନଜର ରହିବ।ମହାନଦୀ ଓଡ଼ିଶା ପାଇଁ କେବଳ ଏକ ନଦୀ ନୁହେଁ; ରାଜ୍ୟର କୃଷି, ଜଳସେଚନ, ଶିଳ୍ପ ଓ ବ୍ୟାପକ ଜନଜୀବନ ସହ ଏହା ଜଡ଼ିତ। ସେଥିପାଇଁ ଜଳ ବଣ୍ଟନ ଓ ବିଶେଷକରି ଅଣମୌସୁମୀ ସମୟରେ ଓଡ଼ିଶାକୁ ମିଳୁଥିବା ଜଳପ୍ରବାହ ପ୍ରସଙ୍ଗ ଦୀର୍ଘଦିନ ଧରି ରାଜ୍ୟର ମୁଖ୍ୟ ଚିନ୍ତା ହୋଇରହିଛି। ଏବେ ନଜର ଅକ୍ଟୋବର ୧ ବୈଠକ ଉପରେ। ଦୀର୍ଘ ଆଇନଗତ ଲଢ଼େଇ ପରେ ଦୁଇ ରାଜ୍ୟ ଆଲୋଚନା ଟେବୁଲରେ କୌଣସି ଗ୍ରହଣୀୟ ସମାଧାନ ସୂତ୍ର ଖୋଜିପାରୁଛନ୍ତି କି ନାହିଁ, ତାହା ହିଁ ଏହି ବୈଠକର ମୁଖ୍ୟ ଆକର୍ଷଣ ହେବ।
