ଜଗତସିଂହପୁରରୁ ଉଦ୍ଧାର ହେଲେ ଭୁବନେଶ୍ବରରୁ ନିଖୋଜ ୩ ନାବାଳକ
ଭୁବନେଶ୍ବର : ଭୁବନେଶ୍ବରରୁ ନିଖୋଜ, ଜଗତସିଂହପୁରରୁ ଉଦ୍ଧାର । ମିଳିଲେ ଭୁବନେଶ୍ୱରରୁ ନିଖୋଜ ୩ ନାବାଳକ । ସମସ୍ତଙ୍କୁ ଜଗତସିଂହପୁରରୁ ସୁରକ୍ଷିତ ଉଦ୍ଧାର କଲା ପୋଲିସ । ଟ୍ୟୁସନ ଯିବାକୁ କହି ଘରୁ ବାହାରିବା ପରେ ନିଖୋଜ ହୋଇଯାଇଥିବା ୩ ନାବାଳକ ଛାତ୍ରଙ୍କୁ ଶେଷରେ ଠାବ କରିଛି କମିଶନରେଟ୍ ପୋଲିସ। ଜଗତସିଂହପୁରରେ ଜଣେ ସମ୍ପର୍କୀୟଙ୍କ ଘରୁ ତିନି ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। CCTV ଫୁଟେଜ୍ ଓ ପୋଲିସର ତଦନ୍ତରୁ ସେମାନଙ୍କ ସୁରାକ ମିଳିଥିଲା। ଚନ୍ଦ୍ରଶେଖରପୁର ଥାନା ଅଞ୍ଚଳର ସୀତାନାଥ ଓ ଆଦର୍ଶ ବସ୍ତିର ଏହି ୩ ନାବାଳକ ଟ୍ୟୁସନ ଯିବା ପାଇଁ ଘରୁ ବାହାରିଥିଲେ। ହେଲେ ଟ୍ୟୁସନ ପରେ ସେମାନେ ଘରକୁ ଫେରିନଥିଲେ। ସେମାନଙ୍କ ମଧ୍ୟରେ ୨ ଜଣ ନବମ ଶ୍ରେଣୀର ଛାତ୍ର ଏବଂ ଜଣେ ସପ୍ତମ ଶ୍ରେଣୀର ଛାତ୍ର ରହିଛନ୍ତି।
ରାସ୍ତାରେ ଲାଗିଥିବା ଏକାଧିକ CCTV କ୍ୟାମେରାର ଫୁଟେଜ୍ ଯାଞ୍ଚ କରିବା ପରେ ୩ ନାବାଳକ ଜଗତସିଂହପୁର ଅଭିମୁଖେ ଯାଇଥିବା ସୁରାକ ପାଇଥିଲା ପୋଲିସ । ଏହାପରେ କମିଶନରେଟ୍ ପୋଲିସର ଏକ ଟିମ୍ ଜଗତସିଂହପୁର ଯାଇ ଖୋଜାଖୋଜି କରିଥିଲା। ଶେଷରେ ଜଣେ ସମ୍ପର୍କୀୟଙ୍କ ଘରେ ତିନି ନାବାଳକଙ୍କୁ ଠାବ କରାଯାଇଥିଲା। ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ତେବେ ଟ୍ୟୁସନ ଯିବାକୁ କହି ଘରୁ ବାହାରିଥିବା ୩ ଛାତ୍ର କାହିଁକି ଜଗତସିଂହପୁର ଚାଲିଯାଇଥିଲେ, ଏହା ପଛରେ କ’ଣ କାରଣ ରହିଥିଲା ସେନେଇ ପୋଲିସ ତଦନ୍ତ କରୁଛି। ସେମାନଙ୍କ ସହ କଥା ହେବା ସହ ପରିବାର ଲୋକଙ୍କଠାରୁ ମଧ୍ୟ ଆବଶ୍ୟକ ତଥ୍ୟ ସଂଗ୍ରହ କରାଯାଉଛି।
