Supreme court

ବ୍ୟବସାୟିକ ଯୌନ ଶୋଷଣର ଶିକାର ବ୍ୟକ୍ତି ନାବାଳିକା ହେଲେ ପୋକ୍ସୋ ଆଇନ ଲାଗୁ ହେବ: ସୁପ୍ରିମ୍‌କୋର୍ଟ

Spread the love

ନୂଆଦିଲ୍ଲୀ: ଭାରତୀୟ ନ୍ୟାୟ ସଂହିତା (ବିଏନ୍ଏସ୍) ଏବଂ ଅନୈତିକ ଟ୍ରାଫିକ୍ (ନିବାରଣ) ଆଇନ (ଆଇଟିପିଏ) ବ୍ୟତୀତ ନାବାଳିକାଙ୍କ ବ୍ୟବସାୟିକ ଯୌନ ଶୋଷଣ (ସିଏସ୍ଇ) ସହ ଜଡିତ ଚାଲାଣକାରୀଙ୍କ ବିରୋଧରେ କଠୋର ପୋକ୍ସୋ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇପାରିବ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି।
ଜଷ୍ଟିସ୍ ଜେବି ପାର୍ଦିୱାଲା ଓ ଜଷ୍ଟିସ୍ ଆର୍ ମହାଦେବନଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଚାଲାଣ ମାମଲାରେ ଆଇନର ପ୍ରୟୋଗ ପୀଡିତାଙ୍କ ବୟସ, ଚାଲାଣକାରୀଙ୍କ ଦ୍ୱାରା ବ୍ୟବହୃତ ପଦ୍ଧତି ଓ ଶୋଷଣର ପ୍ରକୃତି ଉପରେ ନିର୍ଭର କରେ। ମାନବ ଚାଲାଣକୁ ରୋକିବା ଏବଂ ବ୍ୟବସାୟିକ ଯୌନ ଶୋଷଣର ଶିକାର ହୋଇଥିବା ଲୋକଙ୍କୁ ସୁରକ୍ଷା ଦେବା ପାଇଁ କଠୋର ପଦକ୍ଷେପ ନେବାକୁ ଏନ୍‌ଜିଓ ପ୍ରଜ୍ୱଳ ଦ୍ବାରା ଆବେଦନର ଶୁଣାଣି ସମୟରେ କୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି।
ଆଇନଗତ ଢାଞ୍ଚାକୁ ସ୍ପଷ୍ଟ କରି ଖଣ୍ଡପୀଠ କହିଛନ୍ତି ଯେ, ଜବରଦସ୍ତି, ପ୍ରତାରଣା କିମ୍ବା ଦୁର୍ବ୍ୟବହାର ସହ ଜଡିତ ମାମଲାରେ ଚାଲାଣ ପୀଡିତାଙ୍କ ସମ୍ମତିକୁ ପ୍ରତିରକ୍ଷା ଭାବରେ ବ୍ୟବହାର କରାଯାଇପାରିବ ନାହିଁ। ଚାଲାଣର ଶିକାର ହୋଇଥିବା ଶିଶୁଙ୍କ ସମ୍ମତି ଅପ୍ରାସଙ୍ଗିକ ବୋଲି କୋର୍ଟ କହିଛନ୍ତି। ବେଞ୍ଚ କହିଛନ୍ତି ଯେ, ଯଦି ଚାଲାଣକାରୀମାନେ ଶୋଷଣକୁ ସୁଗମ କରିବା ପାଇଁ ଧମକ, ବଳପ୍ରୟୋଗ, ଅପହରଣ, ଠକେଇ, ପ୍ରତାରଣା, କ୍ଷମତାର ଅପବ୍ୟବହାର କିମ୍ବା ପ୍ରଲୋଭନ ବ୍ୟବହାର କରିଥାନ୍ତି ତେବେ ସମ୍ମତି ଗୁରୁତ୍ୱପୂର୍ଣ୍ଣ ନୁହେଁ। ଖଣ୍ଡପୀଠ କହିଛନ୍ତି ଯେ, ଯେତେବେଳେ ଚାଲାଣର ଶିକାର ହୋଇଥିବା ବ୍ୟକ୍ତି ନାବାଳିକା ହୋଇଥାନ୍ତି, ପୋକ୍ସୋ ଆଇନର ବ୍ୟବସ୍ଥା ଅନୁଯାୟୀ ମାମଲା ରୁଜୁ ହୋଇପାରେ। ଭାରତୀୟ ଆଇନ ଶିଶୁଙ୍କ ସହ ଜଡିତ ଯୌନ ଶୋଷଣର ପ୍ରତ୍ୟେକ କାର୍ଯ୍ୟକୁ ସହମତି ବିହୀନ ଭାବରେ ବିବେଚନା କରେ।

Leave a Reply

Your email address will not be published. Required fields are marked *