ଶ୍ରୀମନ୍ଦିର ଜମି ବନ୍ଦୋବସ୍ତ ନୀତିରେ ସଂଶୋଧନ ନେଇ ସମୀକ୍ଷା ବୈଠକ: ବଢିବ ମନ୍ଦିର ପରିଚାଳନା ଆୟ
ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ହଜାର ହଜାର ଏକର ଜମି ରାଜ୍ୟ ତଥା ରାଜ୍ୟ ବାହାରେ ବିଭିନ୍ନ ସ୍ଥାନରେ ଅବ୍ୟବସ୍ଥିତ ଢଙ୍ଗରେ ପଡ଼ିରହିଛି। ଏଥିରୁ ଶ୍ରୀମନ୍ଦିରର କିଛି ଆୟ ମଧ୍ୟ ହେଉନାହିଁ। ଏହିସବୁ ସମସ୍ୟାର ସମାଧାନ ନେଇ ପ୍ରସ୍ତାବ ଉପରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ଜମି ବନ୍ଦୋବସ୍ତ ନୀତିରେ ସଂଶୋଧନ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି।
ଲୋକସେବା ଭବନସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଶ୍ରୀଜଗନ୍ନାଥଙ୍କ ନାମରେ ଥିବା ଜମିର ସଠିକ୍ ବନ୍ଦୋବସ୍ତ, ଦୀର୍ଘଦିନ ହେବ ସ୍ଥାୟୀ ଭାବେ ବସବାସ କରୁଥିବା ଦଇତାପତି, ନିଯୋଗ, ସେବାୟତ ଓ ମଠଗୁଡ଼ିକୁ ଜମି ପ୍ରଦାନ ନେଇ ଥିବା ନୀତିରେ ସଂଶୋଧନ କରାଯିବା ଉପରେ ଆଲୋଚନା ହୋଇଥିଲା। ଏହି ସଂଶୋଧିତ ନୀତି ବଳରେ ଦୀର୍ଘଦିନ ହେବ ବସବାସ କରୁଥିବା ସେବାୟତ ଓ ଅଣସେବାୟତମାନେ ସୁଫଳ ପାଇପାରିବେ। ଏଥିସହିତ ଶ୍ରୀମନ୍ଦିର ରାଜସ୍ୱ ଆଦାୟ ମଧ୍ୟ ସୁଗମ ହୋଇପାରିବ।
