୨୦୨୬ ରଥଯାତ୍ରା ଲାଗି ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ
ପୁରୀ: ୨୦୨୬ ରଥଯାତ୍ରା ଲାଗି ଆରମ୍ଭ ହେଲା ପ୍ରାରମ୍ଭିକ ପ୍ରସ୍ତୁତି। ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ମାଳ, ପତନି, ଲାଗିଲୁଗା ସହ ଟାକୁଆ ସରପୁଳି, ବିରିପିଠା ଓ ଲଡୁ ମହାପ୍ରସାଦ ନେଇ ରଥ ତତ୍ତ୍ୱାବଧାରକଙ୍କ ନେତୃତ୍ୱରେ ଏକ ତିନିଜଣିଆ ପ୍ରତିନିଧି ଦଳ ଆଜି ନୟାଗଡ଼ ଅଭିମୁଖେ ଯାତ୍ରା କରିଛନ୍ତି। ରଥ ତତ୍ତ୍ୱାବଧାରକ ସୁଦର୍ଶନ ମେକାପ, ଭୋଇସର୍ଦ୍ଦାର ରବିଭୋଇ ଓ ଅମିନ ଲକ୍ଷ୍ମଣ ମହାପାତ୍ର ପ୍ରମୁଖ ତିନିଜଣ ନୟାଗଡ ବନଖଣ୍ଡ ଅନ୍ତର୍ଗତ ବଡମୂଳସ୍ଥିତ ବଡରାଉଳ ଠାକୁରାଣୀଙ୍କୁ ନିମନ୍ତ୍ରଣ ଲାଗି ଯାତ୍ରା କରିଛନ୍ତି ଆସନ୍ତାକାଲି ବଡରାଉଳ ଠାକୁରାଣୀଙ୍କ ମନ୍ଦିରରେ ହୋମ ପୁଜାର୍ଚ୍ଚନା ଆଦି କରାଯିବ।
ଠାକୁରାଣୀଙ୍କୁ ମାଳ ମହାପ୍ରସାଦ ଓ ଲାଗିଲୁଗା ଲାଗି କରାଯିବ। ଏହାପରେ ମହାପ୍ରଭୁଙ୍କ ରଥ ନିର୍ମାଣ ଲାଗି ଆବଶ୍ଯକୀୟ ଅସନ, ଫାସି ଓ ଧଉରା କାଠ ଆଦିକୁ ଚିହ୍ନଟ କରାଯିବ। ତାପରେ ଆଗାମୀ ରଥଯାତ୍ରା ପାଇଁ ରଥନିର୍ମାଣ ନିମନ୍ତେ ରଥକାଠ କଟାଯିବା ପାଇଁ ମା ବଡରାଉଳ ଠାକୁରାଣୀଙ୍କ ଠାରୁ ଅନୁମତି ନିଆଯିବାର ବିଧି ପରମ୍ପରା ଏବେବି ରହିଆସିଛି। ସେହି ଅନୁସାରେ ଏହାପରେ ନୟାଗଡ ବନଖଣ୍ଡ ପକ୍ଷରୁ କାଠକଟା ପ୍ରସ୍ତୁତି ଆରମ୍ଭ ହେବ।
