Images 2 1

ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା; ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ

Spread the love

ଭଦ୍ରକ: ଆଜି ୬ ଘଣ୍ଟିଆ ଚାନ୍ଦବାଲି ବନ୍ଦ ଡାକରା । ସକାଳ ୬ରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ କଂଗ୍ରେସ ପକ୍ଷରୁ ଚାନ୍ଦବାଲି ବନ୍ଦ ଡାକରା ଦିଆଯାଇଛି । ଭଦ୍ରକ ଜିଲ୍ଲା ଚାନ୍ଦବାଲି ଥାନାଞ୍ଚଳରେ ଜଣେ ଦିବ୍ୟାଙ୍ଗ ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ରାଜ୍ୟବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଛି । ରାଜ୍ୟରେ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ଅଭିଯୋଗ କରି ବିଜେଡି ଓ କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ କରାଯାଇଛି ।

ବନ୍ଦ ପାଳନ ପାଇଁ ଯାତାୟତ ବ୍ୟବସ୍ଥା ଏକପ୍ରକାର ଠପ୍ ହୋଇ ଯାଇଛି । ସକାଳୁ ସକାଳୁ ଆନ୍ଦୋଳନକାରୀ ମାନେ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରି ଆନ୍ଦୋଳନ କରିଛନ୍ତି । ଅତ୍ୟାବଶ୍ୟକ ସେବାକୁ ବାଦ ଦେଲେ ଆଉ ସମସ୍ତ ସେବା, ବସ୍ ଓ ଟ୍ରକ୍ ଚଳାଚଳ ବନ୍ଦ ରହିଛି ।

ଅପରପକ୍ଷରେ ଭଦ୍ରକ ଜିଲ୍ଲା ଚାନ୍ଦବାଲିଠାରେ ଘଟିଯାଇଥିବା ଅଭାବନୀୟ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗଭୀର ଦୁଃଖ ପ୍ରକାଶ କରିବା ସହ ଦିବଂଗତ ଆତ୍ମାର ସଦଗତି ପାଇଁ ପ୍ରାର୍ଥନା କରିଛନ୍ତି। ସମ୍ପୃକ୍ତ ଘଟଣାର ଉପଯୁକ୍ତ ତଦନ୍ତ କରି ଦୋଷୀଙ୍କୁ ଆଇନ ଅନୁଯାୟୀ କଠୋରରୁ ଅତି କଠୋର ଦଣ୍ଡ ବିଧାନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହ ପୀଡ଼ିତାଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ ପାଇଁ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ମଙ୍ଗଳବାର ସକାଳୁ ୧୦ ବର୍ଷୀୟ ଦିବ୍ୟାଙ୍ଗ ନାବାଳିକା ନିଖୋଜ ଥିଲେ । ବହୁ ଖୋଜାଖୋଜି କରିବା ପରେ ସତ୍ତେ୍ୱ ତାଙ୍କର ସନ୍ଧାନ ମିଳି ନଥିଲା । ସନ୍ଧ୍ୟାରେ ନାବାଳିକାଙ୍କ ମୃତଦେହ ବାଲିଗାଁ ସେବା ସମବାୟ ସମିତି କାର୍ଯ୍ୟାଳୟ ପଛ ପଟ ବୁଦାମୂଳରୁ ମିଳିଥିଲା । ପାରିପାଶ୍ୱିର୍କ ସ୍ଥିତିରୁ ତାଙ୍କୁ ବଳାତ୍କାର ପରେ ହତ୍ୟା କରି ଫିଙ୍ଗି ଦିଆଯାଇଥିବା ଅନୁମାନ କରାଯାଇଥିଲା । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଲୋକେ ରାସ୍ତା ଅବରୋଧ କରିବା ସହ ଥାନା ଘେରିଥିଲେ ।

ଘଟଣାର ମୁଖ୍ୟ ଅଭିଯୁକ୍ତକୁ ପୁଲିସ୍ ଜଗତ୍ସିଂହପୁରରୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଚାନ୍ଦବାଲି ଥାନା ରାମପଲ୍ଲୀ ଗ୍ରାମର ସତ୍ୟବ୍ରତ ଦାସ ଓରଫ୍ ବବୁଲୁ । ଅଭିଯୁକ୍ତ ଜଗତସିଂହପୁର ଜିଲ୍ଲାରେ ନିଜ ଶ୍ୱଶୁର ଘରେ ଲୁଚିଥିବା ଜଣାପଡ଼ିଥିଲା ।

 

Leave a Reply

Your email address will not be published. Required fields are marked *