Jail 3

କଏଦୀଙ୍କୁ ଜଗିବ ଏଆଇ, ଜେଲ୍ ପାଚେରି ଡେଇଁଲେ ବାଜିବ ସାଇରନ୍

Spread the love

ଭୁବନେଶ୍ଵର: ଏଣିକି ପାଚେରି ଡେଇଁ ଚମ୍ପଟ ମାରି ପାରିବେନି ଜେଲ୍ ଅନ୍ତେବାସୀ। ଏପରି କଲେ ବାଜି ଉଠିବ ସାଇରନ୍। ଫଟୋ ଉଠାଇ ପଠାଇଦେବ ଏଆଇ କ୍ୟାମେରା। କଡ଼ାକଡ଼ି ହେଲା ଜେଲ୍ ନିୟମ। କଏଦୀ ଚମ୍ପଟ ଘଟଣାରେ ଲାଗିବ ଅଙ୍କୁଶ। ପାଚେରି ପଟ ଦେଇ ଜେଲ ଭିତରକୁ ହୋଇପାରିବନି ଜିନିଷ ଦିଆନିଆ। ସେଲ୍ ଭିତରେ କରିପାରିବେନି ଗଣ୍ଡଗୋଳ। କଏଦୀଙ୍କୁ ଜଗିବ ଏଆଇ। ୧୮ଟି ଜେଲରେ ଖଞ୍ଜା ହେବ କ୍ୟାମେରା। ସନ୍ଦେହଜନକ ସ୍ଥିତିରେ ବାଜିବ ସାଇରନ୍। ଜେଲ୍ ଭିତର ହେଉକି ସେଲ୍ ଭିତର ସବୁଠି ଟିକନିକ୍ ନଜର ରଖିବ ଏଆଇ।

ପାଚେରି ଡେଇଁବା ମାତ୍ରେ ସଙ୍ଗେସଙ୍ଗେ କଏଦୀଙ୍କୁ ଚିହ୍ନଟ କରି ଦାୟିତ୍ଵରେ ଥିବା ଅଧିକାରୀଙ୍କୁ ତଥ୍ୟ ପଠାଇଦେବ। ରାଜ୍ୟର ବିଭିନ୍ନ ଜେଲରୁ କଏଦୀ ଚମ୍ପଟ ଘଟଣା ଜେଲ୍ କର୍ତ୍ତୃପକ୍ଷଙ୍କ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଦୁର୍ଦ୍ଦାନ୍ତ ଅପରାଧୀଙ୍କଠାରୁ ଆରମ୍ଭ କରି ଛୋଟ ଅପରାଧୀ ପାଚେରି ଡେଇଁ ଫେରାର ହୋଇଯାଉଛନ୍ତି। ନିକଟରେ କଟକ ଚୌଦ୍ଵାର ଜେଲରୁ ଫେରାର ହୋଇଯାଇଥିବା ଦୁଇ ବିହାରୀ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ପୁଲିସ ଧରିବା ତ ଦୂରର କଥା, ସେମାନଙ୍କର ଛାଇ ବି ଏଯାବତ ଦେଖିପାରିନି। ଫଳରେ ଏବେ ଜେଲ୍ ବିଭାଗର ଚେତା ପଶିଛି।

ଗତ ୨୫ ବର୍ଷର ରିପୋର୍ଟ ଦେଖିଲେ ୧୦୭ କଏଦୀ ଜେଲରୁ ଚମ୍ପଟ ମାରିଛନ୍ତି। ସେମାନଙ୍କ ଭିତରୁ ୬୮ ଜଣ ଧରାପଡ଼ିଥିବା ବେଳେ ଏବେବି ୩୯ କଏଦୀ ଫେରାର ଅଛନ୍ତି। ସେମାନଙ୍କ ଭିତରୁ ଅନେକ ହେଉଛନ୍ତି ହତ୍ୟାକାରୀ। କଏଦୀ ଚମ୍ପଟ ଘଟଣାରେ ଅଙ୍କୁଶ ଲଗାଇବା ପାଇଁ ଜେଲ୍ କର୍ତ୍ତୃପକ୍ଷ ଏଆଇର ସହାୟତା ଲୋଡ଼ିଛନ୍ତି। ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ପରୀକ୍ଷାମୂଳକ ଭାବେ ରାଜ୍ୟର ୧୮ଟି ଜେଲରେ ପ୍ରାୟ ୩୦୦ ଏଆଇ କ୍ୟାମେରା ଖଞ୍ଜାଯିବ। ଏହି ପାଇଲଟ୍ ପ୍ରୋଜେକ୍ଟ ସଫଳ ହେଲେ ରାଜ୍ୟର ସବୁ ଜେଲରେ କ୍ୟାମେରା ଖଞ୍ଜାହେବ।

 

Leave a Reply

Your email address will not be published. Required fields are marked *