1 93 1696319123280

ଅକ୍ଟୋବର ୭ରୁ ହବିଷ ବ୍ରତ ଆରମ୍ଭ : ଅନ୍‌ଲାଇନ ପଞ୍ଜୀକରଣ ଖୁବଶୀଘ୍ର

Spread the love

ପୁରୀ : ରାଜ୍ୟର ପ୍ରାୟ ୨,୫୦୦ ଶ୍ରଦ୍ଧାଳୁଙ୍କୁ ଶ୍ରୀକ୍ଷେତ୍ରରେ ମାଗଣା କାର୍ତ୍ତିକ ବ୍ରତ ପାଳନର ସୁବିଧା ଯୋଗାଇ ଦେବେ ସରକାର। ଏଥିପାଇଁ ଖୁବଶୀଘ୍ର ଆରମ୍ଭ ହେବ ଅନ୍‌ଲାଇନ ପଞ୍ଜୀକରଣ ବ୍ୟବସ୍ଥା। ଜଟିଳ ରୋଗ ଓ ବୟସାଧିକ୍ୟ ଲୋକଙ୍କୁ ଏଥିପାଇଁ ସୁଯୋଗ ମିଳି ନପାରେ। ମନୋନୟନ ପୂର୍ବରୁ ଏକ ଡାକ୍ତରୀ ଦଳ ଆବେଦନକାରୀଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବେ। ମନୋନୀତ ହବିଷ୍ୟାଳିଙ୍କୁ ବୃନ୍ଦାବତୀ ନିବାସ, ବଗଲା ଧର୍ମଶାଳା, ପୁରୁଣା ମହିଳା କଲେଜ କୋଠା, ବାଗେଡ଼ିଆ ଧର୍ମଶାଳା ଓ ପୌର କଲ୍ୟାଣ ମଣ୍ଡପରେ ଆବାସ ଯୋଗାଇ ଦିଆଯିବ। ଏହାଛଡ଼ା ଦିନକୁ ଗୋଟିଏ ଥର ମହାପ୍ରସାଦ ଦିଆଯିବ। ସ୍ବତନ୍ତ୍ର ଗାଡ଼ିରେ ନେଇ ଜଗନ୍ନାଥ ଦର୍ଶନ ବ୍ୟବସ୍ଥା କରାଯିବ। ହବିଷ୍ୟାଳି ଶିବିରଗୁଡ଼ିକରେ ରାଧା ଦାମୋଦର ପୂଜା, ଆକାଶ ଦୀପ, ଚଉରା ପୂଜା, କାର୍ତ୍ତିକ ପୁରାଣ ପାଠ, ଭାଗବତ ପ୍ରବଚନ ବ୍ୟବସ୍ଥା କରାଯିବ। ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ବୁଧବାର ସ୍ବତନ୍ତ୍ର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିଲା। ଅନ୍ୟୂନ ୧୫ ଦିନ ପୂର୍ବରୁ ଏଥିପାଇଁ ବିଜ୍ଞାପନ ପ୍ରକାଶ ନିମନ୍ତେ ସେ ନିର୍ଦ୍ଦେଶ ଦେଇଛନ୍ତି। ମନୋନୀତ ଶ୍ରଦ୍ଧାଳୁଙ୍କୁ ଜିଲା ପ୍ରଶାସନ ପକ୍ଷରୁ ଫଟୋ ପରିଚୟପତ୍ର ଯୋଗାଇ ଦିଆଯିବ। ଅକ୍ଟୋବର ୭ରୁ କାର୍ଯ୍ୟକ୍ଷମ ହେବ ହବିଷ୍ୟାଳି ଶିବିର। କାର୍ତ୍ତିକ ପୂର୍ଣ୍ଣିମାରେ ଏହା ଉଦ୍‍ଯାପନ ହେବାର କାର୍ଯ୍ୟକ୍ରମ ରହିଛି। ପ୍ରତ୍ୟେକ ହବିଷ୍ୟାଳି ଶିବିର ପାଇଁ ଜଣେ ବରିଷ୍ଠ ପ୍ରଶାସନିକ ଅଧିକାରୀ ନୋଡାଲ ଅଧିକାରୀ ରହିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶିବିର ଉଦ୍‍ଘାଟନ କରିବେ। ତୀର୍ଥ ପୁଷ୍କରିଣୀ ଓ ମହୋଦଧିରେ ସୁରକ୍ଷା ବ୍ୟବସ୍ଥା କରାଯିବ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆବଶ୍ୟକ ଖର୍ଚ୍ଚ ବହନ କରିବେ।
ଅତିରିକ୍ତ ଜିଲାପାଳ ଶରତ କୁମାର ବେହେରା, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସକ ଦେବବ୍ରତ ସାହୁ, ଅତିରିକ୍ତ ଜିଲାପାଳ  ଡ. ଶରତ କୁମାର ମହାପାତ୍ର, ଅତିରିକ୍ତ ଜିଲାପାଳ  ନୀଳମାଧବ ଭୋଇ, ପୌରସଂସ୍ଥା ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ଉପ ଜିଲାପାଳ ରାଜକିଶୋର ଜେନା, ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ଅକ୍ଷୟ କୁମାର ଶତପଥୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସଚିନ ପଟେଲ, ଶ୍ରୀମନ୍ଦିର ଉପ ପ୍ରଶାସକ ରଞ୍ଜନ କୁମାର ବେହେରା, ସହକାରୀ ପର୍ଯ୍ୟଟନ ନିର୍ଦେଶକ ସରୋଜ କୁମାର ପ୍ରଧାନ, ସୂଚନା ଓ ଲୋକସମ୍ପର୍କ ବିଭାଗ ଉପ ନିର୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରା ପ୍ରମୁଖ ବୈଠକରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *