Mp Female Judge Resigns

ମଧ୍ୟପ୍ରଦେଶରେ ମହିଳା ଜଜ୍ ଅଦିତି କୁମାର ଶର୍ମାଙ୍କ ଇସ୍ତଫା

Spread the love

ଶହାଡୋଲ ୩୧।୭: ମଧ୍ୟପ୍ରଦେଶ ଶହାଡୋଲ ଜିଲ୍ଲାରେ ଅବସ୍ଥାପିତ ସିଭିଲ ଜଜ୍ ଅଦିତି କୁମାର ଶର୍ମା ବିଚାରବିଭାଗୀୟ ସେବାରୁ ଇସ୍ତଫା ଦେଇଛନ୍ତି। ଏହି ଇସ୍ତଫା ସହିତ ସେ କେତେକ ଅଭିଯୋଗ ମଧ୍ୟ ଆଣିଛନ୍ତି। କୁହାଯାଉଛି ଅଦିତି କୁମାର ଶର୍ମା ଜନୈକ ବିଚାରବିଭାଗୀୟ ଅଧିକାରୀଙ୍କ ହାଇକୋର୍ଟ ପଦୋନ୍ନତୀକୁ ନେଇ ସେ ଏହି ପଦକ୍ଷେପ ନେଇଛନ୍ତି। ଏହି ଅଧିକାରୀଙ୍କ ବିରୋଧରେ ଅଦିତି କୁମାର ଶର୍ମା ପୂର୍ବରୁ ଯୌନ ଉତ୍ପୀଡନର ଗୁରୁତର ଅଭିଯୋଗ ଆଣିଥିଲେ। ଏବେ ତାଙ୍କୁ ହାଇକୋର୍ଟ ଜଜ୍ ରୂପେ ପଦୋନ୍ନତୀ ଦିଆଯିବାରୁ ଅଦିତି ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି।

ଜଜ୍ ଶର୍ମା ତାଙ୍କ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କର ଏହି ନିଷ୍ପତ୍ତି ସଂସ୍ଥାଗତ ବିଫଳତା ବିପକ୍ଷରେ ଏକ ବିରୋଧ। ସେ ଲେଖିଛନ୍ତି ଯେ ଇସ୍ତଫା ଏହି କଥାର ପ୍ରମାଣ ଯେ ମଧ୍ୟପ୍ରଦେଶରେ  ନ୍ୟାୟ ଲାଗି ସମର୍ପିତ ଜଣେ ମହିଳା ଜଜ୍ ଥିଲେ ହେଲେ ସଂସ୍ଥା ତାଙ୍କ ସାଥ୍ ଦେଲା ନାହିଁ। ତେବେ ଯାହାଙ୍କ ପଦୋନ୍ନତୀକୁ ବିରୋଧ କରି ଅଦିତି ଇସ୍ତଫା ଦେଇଛନ୍ତି ସେ ଏବେବି ଶପଥ ଗ୍ରହଣ କରି ନାହାନ୍ତି। ଜଜ୍ ଅଦିତି କୁମାର ଶର୍ମା ତାଙ୍କ ଇସ୍ତଫା ପତ୍ରକୁ ମଧ୍ୟପ୍ରଦେଶ ଚିଫ୍ ଜଷ୍ଟିସ୍ ଙ୍କ ନିକଟକୁ ପଠାଇ ଦେଇଛନ୍ତି।

ସେ ଲେଖିଛନ୍ତି ତାଙ୍କର ଏହି ନିଷ୍ପତ୍ତି ବ୍ୟକ୍ତିଗତ ଯନ୍ତ୍ରଣା ପାଇଁ ନୁହେଁ, ଏହା ସଂସ୍ଥାଗତ ବିଫଳତା ବିରୋଧରେ ଇସ୍ତଫା ଦେଇଛନ୍ତି। ଅଦିତି କୁମାର ଶର୍ମା ଲେଖିଛନ୍ତି ଯେ ମୁଁ ନ୍ୟାୟ ଉପରେ ଆସ୍ଥା ହରାଇ ନାହିଁ, ହେଲେ ସେହି ପ୍ରଣାଳୀରେ ମୁଁ ଭାଙ୍ଗି ପଡିଛି ଯେଉଁ ପ୍ରଣାଳୀ ନିଜକୁ ନ୍ୟାୟର ସବୁଠୁ ବଡ଼ ସଂରକ୍ଷକ ବୋଲି ଦାବି କରୁଛି। ଉଲ୍ଲେଖଯୋଗ୍ୟ ଯେ ଜଜ ଅଦିତି କୁମାର ଶର୍ମା ସେହି ୬ ମହିଳା ବିଚାରବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ଥିଲେ ଯେଉଁମାନଙ୍କୁ ଜୁନ ୨୦୨୩ରେ ଅସନ୍ତୋଷଜନକ ପ୍ରଦର୍ଶନ ନିମନ୍ତେ ଚାକିରୀରୁ ବରଖାସ୍ତ  ହୋଇଥିଲେ।

ଏହି ନିଷ୍ପତ୍ତି ହାଇକୋର୍ଟଙ୍କ ପ୍ରଶାସନିକ ଓ ପୂର୍ଣ୍ଣ ପୀଠ ବୈଠକରେ ଗ୍ରହଣ କରାଯାଇଥିଲା। ପରେ ସୁପ୍ରିମକୋର୍ଟ ମାମଲାରେ ଦଖଲ ଦେଇ ସମସ୍ତ ମହିଳା ନ୍ୟାୟିକ ଅଧିକାରୀଙ୍କୁ ପୁଣି ଚାକିରୀରେ ଅବସ୍ଥାପିତ କରିଥିଲେ। ଜଜ୍ ଶର୍ମା ମାର୍ଚ୍ଚ ୨୦୨୪ରୁ ପୁଣି ଥରେ ଶହାଡୋଲରେ କାମ କରିବା ଆରମ୍ଭ କରିଥିଲେ। ଜୁଲାଇ ୨୦୨୫ରେ ଜଜ୍ ଅଦିତି କୁମାର ଶର୍ମା ଭାରତର ରାଷ୍ଟ୍ରପତି ଓ ସୁପ୍ରିମକୋର୍ଟ କଲେଜିୟମଙ୍କୁ ପତ୍ର ଲେଖି ସେହି ଅଧିକାରୀଙ୍କ ପଦୋନ୍ନତୀ ସମ୍ପର୍କରେ ଦ୍ୱିତୀୟବାର ବିଚାର କରିବାକୁ ନିବେଦନ କରିଥିଲେ ଯାହାଙ୍କ ବିରୋଧରେ ଯେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିଲେ।

ଜଜ ଶର୍ମା କହିଥିଲେ ଯେ ଯାହାଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି, ତାଙ୍କୁ ବିନା କୌଣସି ଯାଞ୍ଚରେ ପଦୋନ୍ନତୀ ପ୍ରଦାନ କରିବା ନ୍ୟାୟପାଳିକାର ଉତ୍ତରଦାୟିତ୍ୱ ଓ ସମ୍ବେଦନଶୀଳତା ଉପରେ ପ୍ରଶ୍ନ ଚିହ୍ନ ଲଗାଉଛି। ଜଜ୍ ଶର୍ମା ଏହା ବି କହିଥିଲେ ଯେ ଏହା କେବଳ ତାଙ୍କର ବ୍ୟକ୍ତିଗତ ମାମଲା ନୁହେଁ ବରଂ ଏହା ନ୍ୟାୟିକ ସଂସ୍ଥାର ନିରବତା ଓ ଉଦାସୀନତାର ମାମଲା। ଜଷ୍ଟିସ୍ ଶର୍ମାଙ୍କ ବ୍ୟତୀତ ଅନ୍ୟ ୨ ଜଣ ନ୍ୟାୟିକ ଅଧିକାରୀ ମଧ୍ୟ ସେହି ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ପଦୋନ୍ନତୀ ଦିଆଯିବା ପୂର୍ବରୁ ସମ୍ବଦ୍ଧିତ ଅଧିକାରୀ ସବୁ ଅଭିଯୋଗକୁ ଅସ୍ୱୀକାର କରିଥିଲେ।

ସେ ସାର୍ବଜନିକ ଭାବେ କହିଥିଲେ ଯେ ମୁଁ ୩ ଦଶନ୍ଧୀରୁ ଅଧିକ କାଳ ହେଲା ସେବା ଦେଇ ଆସୁଛି ଓ ମୋ ବିରୋଧରେ କୌଣସି ଅଭିଯୋଗ ନାହିଁ। ସେ ଏହା ବି କହିଥିଲେ ଯେ କୌଣସି ଅଭିଯୋଗ ସମ୍ପର୍କରେ ତାଙ୍କୁ କୌଣସି ଅଧିକାରୀକ ସୂଚନା ଦିଆଯାଇ ନାହିଁ। ତେବେ ଜଜ୍ ଅଦିତି କୁମାର ତାଙ୍କ ଇସ୍ତଫାରେ ଲେଖିଛନ୍ତି ଯେ ସେ ପୁରା ପ୍ରକ୍ରିୟା କାଳରେ ବାରମ୍ବାର ଅଭିଯୋଗ କରିଛନ୍ତି। ହେଲେ କେବେ କୌଣସି ଶୁଣାଣି ହୋଇ ନାହିଁ କି ଏଥି ପାଇଁ ଯାଞ୍ଚ ବସା ଯାଇ ନାହିଁ। ସିଷ୍ଟମ କାର୍ଯ୍ୟାନୁଷ୍ଠାନ ସ୍ଥାନରେ ଅଧିକାରୀଙ୍କୁ ପଦୋନ୍ନତୀ ଦେଇଛି।

Leave a Reply

Your email address will not be published. Required fields are marked *