Nasa

ଚାକିରି ଛାଡ଼ିବେ ନାସାର ୩,୮୭୦ କର୍ମଚାରୀ

Spread the love

ୱାଶିଂଟନ: ଆମେରିକାର ମହାକାଶ ସଂସ୍ଥା ନ୍ୟାସନାଲ ଏରୋନଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ (ନାସା) ରୁ ୩,୮୭୦ କର୍ମଚାରୀ ଚାକିରି ହରାଇବେ । ସ୍ୱେଚ୍ଛାକୃତ ଇସ୍ତଫା କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି କର୍ମଚାରୀମାନେ ଇସ୍ତଫା ଦେବାକୁ ଯାଉଛନ୍ତି।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ପ୍ରଶାସନ ବଜେଟ୍ କାଟିବା ପାଇଁ କର୍ମଚାରୀଙ୍କ ସଂଖ୍ୟା ହ୍ରାସ କରିବା ଲାଗି ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହା ଅନ୍ତର୍ଗତ କର୍ମଚାରୀମାନଙ୍କୁ ନାସାରୁ ବହିଷ୍କାର କରାଯିବା ପରିବର୍ତ୍ତେ ସ୍ୱେଚ୍ଛାକୃତ ଇସ୍ତଫା ଦେବାକୁ କୁହାଯାଇଛି। ଟ୍ରମ୍ପ୍ ପ୍ରଶାସନଙ୍କର ସଂଘୀୟ କର୍ମଚାରୀ ସଂଖ୍ୟା ହ୍ରାସ କରିବାର ଲକ୍ଷ୍ୟ ପାଳନ କରିବା ପାଇଁ, ମହାକାଶ ସଂସ୍ଥା ନାସାର ଅଧିକାରୀମାନେ ଛଟେଇ ଏଡ଼ାଇବା ପାଇଁ ଇସ୍ତଫାର ପଥ ଗ୍ରହଣ କରୁଛନ୍ତି।

ନାସାରୁ ଇତି ମଧ୍ୟରେ ୩,୮୭୦ କର୍ମଚାରୀଙ୍କ ଇସ୍ତଫା ଦେବାକୁ ଯାଉଥିବା ରିପୋର୍ଟ ସାମ୍ନାକୁ ଆସିଛି। ନାସା ଶୁକ୍ରବାର ଦିନ ଏକ ବିବୃତିରେ କହିଛି ଯେ, ଆବେଦନଗୁଡ଼ିକର ସମୀକ୍ଷା କରିବା ପରେ ଏହି ସଂଖ୍ୟା ପରିବର୍ତ୍ତନ ହୋଇପାରେ। ନାସା କର୍ମଚାରୀମାନଙ୍କୁ ୨୦୨୫ରେ ଚାକିରି ଛାଡିବା ପାଇଁ ଦୁଇଟି ପୃଥକ ସୁଯୋଗ ଦେଇଛି। ଉଭୟ ଇସ୍ତଫା କାର୍ଯ୍ୟକ୍ରମ ଏବଂ ପ୍ରାୟ ୫୦୦ ଲୋକ ସାଧାରଣ ଭାବେ ଚାକିରି ଛାଡିବା ପରେ, ନାସାରେ ପ୍ରାୟ ୧୪,୦୦୦ କର୍ମଚାରୀ ରହିବେ।

ଟ୍ରମ୍ପ୍ ପ୍ରଶାସନର ପ୍ରାରମ୍ଭରେ ନାସାରେ କର୍ମଚାରୀମାନେ ପ୍ରଥମ ପର୍ଯ୍ୟାୟ ଇସ୍ତଫା ଦେଇଥିଲେ। ଏହା ଏଲନ ମସ୍କଙ୍କ ନେତୃତ୍ୱାଧୀନ ସରକାରୀ ଦକ୍ଷତା ବିଭାଗ ଦ୍ୱାରା ପରିଚାଳିତ ଏକ ପ୍ରୟାସ ଥିଲା। ନାସା ଜୁନ୍ ଆରମ୍ଭରେ ଦ୍ୱିତୀୟ ପର୍ଯ୍ୟାୟ ସ୍ଥଗିତ ଇସ୍ତଫା ଆରମ୍ଭ କରିଥିଲା। ଯାହାର ଶେଷ ତାରିଖ ଜୁଲାଇ ୨୫ ଥିଲା। ଏଜେନ୍ସି କହିଛି ଯେ, ୩,୦୦୦ କର୍ମଚାରୀ ଏହି ସରକାରୀ ଯୋଗନାକୁ ସ୍ବୀକାର କରିଛନ୍ତି। ଏହି କର୍ମଚାରୀଙ୍କ ସଂଖ୍ୟା ମୋଟ କର୍ମଚାରୀଙ୍କ ସଂଖ୍ୟାର ୧୬.୪ ପ୍ରତିଶତ।

ନାସା ଏକ ବିବୃତିରେ କହିଛି ଯେ, ସୁରକ୍ଷା ଆମର ସର୍ବୋଚ୍ଚ ପ୍ରାଥମିକତା। ଏକ ଅଧିକ ଦକ୍ଷ ସଂଗଠନ ହେବା ସହିତ, ଆମେ ଏହା ମଧ୍ୟ ସୁନିଶ୍ଚିତ କରୁଛୁ ଯେ, ଚନ୍ଦ୍ର ଏବଂ ମଙ୍ଗଳ ଭଳି ମିସନ ପାଇଁ ଆମର କ୍ଷମତା ସମ୍ପୂର୍ଣ୍ଣ ଅକ୍ଷୁର୍ଣ୍ଣ ରହିବ।

ତେବେ ବିଶେଷଜ୍ଞମାନଙ୍କ ଅନୁସାରେ କର୍ମଚାରୀଙ୍କ ସଂଖ୍ୟାରେ ଏତେ ବଡ଼ ହ୍ରାସ ନାସାର ଭବିଷ୍ୟତ ମିସନ ଏବଂ ବୈଷୟିକ ବିଶେଷଜ୍ଞତାକୁ କ୍ଷତି ପହଞ୍ଚାଇପାରେ।

Leave a Reply

Your email address will not be published. Required fields are marked *