ଅଁଳା ନବମୀ ପୂର୍ବରୁ ସୁରକ୍ଷା ସମୀକ୍ଷା : ସାକ୍ଷୀଗୋପାଳ ମନ୍ଦିରରେ ମୋବାଇଲ୍ ମନା, IGଙ୍କ କଡ଼ା ନିର୍ଦ୍ଦେଶ
ସାକ୍ଷୀଗୋପାଳ ୧୫।୧୧: ଆଗକୁ ଆସୁଛି ପବିତ୍ର ଅଁଳା ନବମୀ ଯାତ୍ରା । ଏହି ଯାତ୍ରାରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ ନେଇ ତତ୍ପର ହୋଇଉଠିଛି ପୋଲିସ ପ୍ରଶାସନ । ଏହି ପରିପ୍ରେକ୍ଷୀରେ ସାକ୍ଷୀଗୋପାଳ ମନ୍ଦିର ପରିଦର୍ଶନ କରିଛନ୍ତି ପୋଲିସ ଆଇଜି ସତ୍ୟଜିତ ନାୟକ । ମନ୍ଦିର ପରିସରରେ ସୁରକ୍ଷା ବ୍ୟବସ୍ଥା, ଆଇନଶୃଙ୍ଖଳା ଏବଂ ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣକୁ ନେଇ ପୋଲିସ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି ଆଇଜି ।
ଯାତ୍ରା ସମୟରେ ଶ୍ରଦ୍ଧାଳୁମାନେ କିପରି ଶୃଙ୍ଖଳିତ ଭାବେ ଠାକୁରଙ୍କ ଦର୍ଶନ କରିପାରିବେ, ସେଥିପାଇଁ ଭିଡ଼ ନିୟନ୍ତ୍ରଣ ଓ ପୋଲିସ ମୁତୟନ ବ୍ୟବସ୍ଥା ଉପରେ ଆଲୋଚନା ହୋଇଛି । ଏଥିସହ ସାକ୍ଷୀଗୋପାଳ ଅଞ୍ଚଳରେ ଯାତ୍ରା ସମୟରେ ସ୍ୱତନ୍ତ୍ର ଟ୍ରାଫିକ୍ ନିୟମ, ଗାଡ଼ି ପାର୍କିଂ ଏବଂ ଯାତାୟାତ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।
ଅନ୍ୟପଟେ ମନ୍ଦିରର ଗର୍ଭଗୃହ ଭିତର ଫଟୋ ସୋସିଆଲ ମିଡିଆରେ ଭାଇରାଲ୍ ହେବା ଘଟଣାକୁ ପ୍ରଶାସନ ଗୁରୁତ୍ୱର ସହ ନେଇଛି । ମନ୍ଦିର ଭିତରକୁ ମୋବାଇଲ୍ ଫୋନ୍ ପ୍ରବେଶ ଉପରେ ସମ୍ପୂର୍ଣ୍ଣ ରୋକ୍ ଲଗାଇବା ସହ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡ଼ାକଡ଼ି କରିବାକୁ ଆଇଜି ନିର୍ଦ୍ଦେଶ ଦେଇଛନ୍ତି । ତେବେ ଆଗାମୀ ଅଁଳା ନବମୀ ଯାତ୍ରାକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପୋଲିସ ପ୍ରଶାସନ ପାଇଁ ଏବେ ବଡ଼ ଆହ୍ୱାନ ।
