ଗୁରୁପତୱନ୍ତ ସିଂହ ପନ୍ନୁ ହତ୍ୟା ଷଡ଼ଯନ୍ତ୍ର ମାମଲା: ନିଖିଲ ଗୁପ୍ତାଙ୍କୁ ୨୪ ବର୍ଷରୁ ଅଧିକ ଜେଲ୍ ଦଣ୍ଡ ଦେବାକୁ ଆମେରିକୀୟ ଓକିଲଙ୍କ ଦାବି
ନ୍ୟୁୟର୍କ: ଆମେରିକା ମାଟିରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଗୁରୁପତୱନ୍ତ ସିଂହ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ର ମାମଲାରେ ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ୨୪ ବର୍ଷରୁ ଅଧିକ ସମୟ ଜେଲ୍ ଦଣ୍ଡ ଦେବାକୁ ଆମେରିକୀୟ ସରକାରୀ ଓକିଲମାନେ ନ୍ୟୁୟର୍କର ଏକ ଫେଡେରାଲ୍ କୋର୍ଟକୁ ଅନୁରୋଧ କରିଛନ୍ତି। ଆସନ୍ତା ନଭେମ୍ବର ୨୦ ତାରିଖରେ ଏହି ମାମଲାର ଦଣ୍ଡାଦେଶ ଶୁଣାଣି ହେବାକୁ ଥିବା ବେଳେ ଶୁକ୍ରବାର କୋର୍ଟରେ ଏହି ଦାବି ଉପସ୍ଥାପନ କରାଯାଇଛି। ଅନ୍ୟପକ୍ଷରେ, ୫୫ ବର୍ଷୀୟ ନିଖିଲ ଗୁପ୍ତାଙ୍କ ଓକିଲମାନେ କୋର୍ଟର ପ୍ରୋବେସନ୍ ବିଭାଗର ସୁପାରିସକୁ ସମର୍ଥନ କରି ଦଣ୍ଡାଦେଶକୁ ୧୪୪ ମାସ (ପ୍ରାୟ ୧୨ ବର୍ଷ) ମଧ୍ୟରେ ସୀମିତ ରଖିବାକୁ ନିବେଦନ କରିଛନ୍ତି।
ବିଚାରପତି ଭିକ୍ଟର ମାରେରୋଙ୍କୁ ଲେଖିଥିବା ଏକ ଚିଠିରେ ନିଖିଲ ଗୁପ୍ତା ନିଜର ଭୂମିକା ପାଇଁ ଅନୁତାପ ପ୍ରକାଶ କରିଛନ୍ତି। ୨୦୨୩ ମସିହାରେ ମଦ୍ୟପାନର ବଶବର୍ତ୍ତୀ ହୋଇ ସେ ଭୁଲ୍ ନିଷ୍ପତ୍ତି ନେଇଥିଲେ ଏବଂ ସମୟକୁ ପଛକୁ ଫେରାଇ ନିଜ ଭୁଲ୍ ସୁଧାରିବାକୁ ଚାହୁଁଥିବା ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଗୁପ୍ତାଙ୍କ ଓକିଲମାନେ ଯୁକ୍ତି ବାଢ଼ିଛନ୍ତି ଯେ ତାଙ୍କର କୌଣସି ପୂର୍ବ ଅପରାଧିକ ରେକର୍ଡ ନାହିଁ ଏବଂ ଗୁଜରାଟ ପୋଲିସର ଏକ ମିଥ୍ୟା ମାମଲାରେ ଫସାଇ ଦେବାର ଭୟ ଦେଖାଇ ଭାରତୀୟ ଗୁଇନ୍ଦା ଅଧିକାରୀ ବିକାଶ ଯାଦବ ତାଙ୍କୁ ଚାପରେ ରଖି ଏହି କାମ କରାଇଥିଲେ।
ତେବେ ଆମେରିକୀୟ ସରକାରୀ ଓକିଲମାନେ ଏହି ସମସ୍ତ ଯୁକ୍ତିକୁ ଦୃଢ଼ ଭାବେ ଖାରଜ କରିଛନ୍ତି। ଓକିଲମାନେ କହିଛନ୍ତି ଯେ, ନିଶାସକ୍ତ ଅବସ୍ଥାରେ ଭୁଲ୍ ନିଷ୍ପତ୍ତି ନେଇଥିବା କଥା ସମ୍ପୂର୍ଣ୍ଣ ହାସ୍ୟାସ୍ପଦ, କାରଣ ଗୁପ୍ତା ଦିନ ପରେ ଦିନ ଏବଂ ସପ୍ତାହ ପରେ ସପ୍ତାହ ଧରି ସୁଚିନ୍ତିତ ଭାବେ ଏହି ହତ୍ୟା ଷଡ଼ଯନ୍ତ୍ରରେ ସାମିଲ ଥିଲେ। ପନ୍ନୁଙ୍କ ହତ୍ୟା ପରେ ଅସ୍ତ୍ରଶସ୍ତ୍ର ଏବଂ ନିଶାଦ୍ରବ୍ୟ କାରବାରରୁ ମୋଟା ଅଙ୍କର ଲାଭ ପାଇବା ଲୋଭରେ ସେ ଏହି ଅପରାଧ ଘଟାଇବାକୁ ଆଗେଇ ଆସିଥିଲେ। ଆମେରିକୀୟ ନାଗରିକଙ୍କୁ ନିଜ ମାଟିରେ ହତ୍ୟା କରିବାର ଏଭଳି ଦୁଃସାହସିକ ଷଡ଼ଯନ୍ତ୍ର ବିରୋଧରେ କଠୋର ସନ୍ଦେଶ ଦେବା ପାଇଁ ସର୍ବୋଚ୍ଚ ଦଣ୍ଡାଦେଶ ଆବଶ୍ୟକ ବୋଲି ଓକିଲମାନେ ଦର୍ଶାଇଛନ୍ତି।
ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସରେ ନିଖିଲ ଗୁପ୍ତା ସୁପାରି ଦେଇ ହତ୍ୟା ଷଡ଼ଯନ୍ତ୍ର ଏବଂ ଅର୍ଥ ହେରଫେର ଅଭିଯୋଗକୁ କୋର୍ଟରେ ସ୍ୱୀକାର କରିଥିଲେ। ଭାରତ ସରକାରଙ୍କ ଦ୍ୱାରା ଆତଙ୍କବାଦୀ ଘୋଷିତ ହୋଇଥିବା ପନ୍ନୁ ମଧ୍ୟ କୋର୍ଟରେ ନିଜର ପକ୍ଷ ରଖି ଗୁପ୍ତାଙ୍କୁ ସର୍ବାଧିକ ଦଣ୍ଡ ଦେବାକୁ ଦାବି କରିଛନ୍ତି। ଏହି ହତ୍ୟା ଷଡ଼ଯନ୍ତ୍ର ଯୋଗୁଁ ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିବାକୁ ପଡ଼ୁଥିବା ସେ କହିଛନ୍ତି। ଅନ୍ୟପକ୍ଷରେ, ଏହି ଷଡ଼ଯନ୍ତ୍ରରେ ସରକାରଙ୍କ କୌଣସି ସମ୍ପୃକ୍ତି ନଥିବା ଭାରତ ସ୍ପଷ୍ଟ କରିବା ସହ ଏହାର ତଦନ୍ତ ପାଇଁ ଗଠିତ ଉଚ୍ଚସ୍ତରୀୟ କମିଟିର ସୁପାରିସ କ୍ରମେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଦକ୍ଷେପ ନିଆଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ପୂର୍ବରୁ କୁହାଯାଇଛି।
