ବଙ୍ଗୋପସାଗରରେ ବଢ଼ୁଛି ବାତ୍ୟାର ବଳ;୧୯ରେ ନେବ ଅତି ଭୀଷଣ ରୂପ
ଭୁବନେଶ୍ୱର: ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଅବପାତ କ୍ରମଶଃ ଅଧିକ ଘନୀଭୂତ ହେବା ସହ ଏକ ଶକ୍ତିଶାଳୀ ବାତ୍ୟାର ରୂପ ନେବାକୁ ଯାଉଛି। ଆସନ୍ତା ୧୬ ତାରିଖରେ ଏହା ବାତ୍ୟାରେ ପରିଣତ ହେବାକୁ ଥିବାବେଳେ ୧୭ ତାରିଖରେ ଭୀଷଣ ବାତ୍ୟା ଏବଂ ୧୯ ତାରିଖ ବେଳକୁ ଅତି ଭୀଷଣ ବାତ୍ୟାର ରୂପ ନେବାର ଆକଳନ କରାଯାଇଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବରେ ପବନର ବେଗ ଘଣ୍ଟାପ୍ରତି ୧୨୦ରୁ ୧୩୦ କିଲୋମିଟର ରହିପାରେ। ଏପରିକି ଝଟ୍କା ପବନର ବେଗ ୧୪୫ କିଲୋମିଟର ପର୍ଯ୍ୟନ୍ତ ଛୁଇଁବାର ଆଶଙ୍କା ରହିଛି।
ବାତ୍ୟାଟି ଅତି ଭୀଷଣ ରୂପ ନେବା ପରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ମୁହାଁଇବାର ସମ୍ଭାବନା ରହିଛି। ତେବେ ଏହାର ନିର୍ଦ୍ଦିଷ୍ଟ ଗତିପଥ ଓ ସ୍ଥଳଭାଗ ଛୁଇଁବା ସ୍ଥାନ ସମ୍ପର୍କରେ ଆଗାମୀ ପାଣିପାଗ ବୁଲେଟିନ୍ରୁ ଅଧିକ ସ୍ପଷ୍ଟତା ମିଳିବ।ସୂଚନା ଅନୁଯାୟୀ,ଅବପାତଟି ଗତ ୩ ଘଣ୍ଟା ମଧ୍ୟରେ ଘଣ୍ଟାପ୍ରତି ପ୍ରାୟ ୧୦ କିଲୋମିଟର ବେଗରେ ଆଗକୁ ବଢ଼ୁଛି। ଏହା ଗୋପାଳପୁରଠାରୁ ପ୍ରାୟ ୧୧୩୦ କିଲୋମିଟର ଦୂରରେ ରହିଥିବାବେଳେ ବିଶାଖାପାଟଣାଠାରୁ ଦକ୍ଷିଣ-ଦକ୍ଷିଣପୂର୍ବ ଦିଗରେ ପ୍ରାୟ ୧୦୧୦ କିଲୋମିଟର ଦୂରରେ କେନ୍ଦ୍ରୀଭୂତ ହୋଇଛି।
