ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ପ୍ରଶ୍ନ କଲେ ଅରୁଣ ସାହୁ, କହିଲେ- ଯିବି କି ନାହିଁ ନିଜେ ନିଷ୍ପତ୍ତି ନେବେ
ଭୁବନେଶ୍ୱର: ବିଧାୟକମାନଙ୍କ ପାଇଁ ଆୟୋଜିତ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ନେଇ ରାଜନୀତି ସରଗରମ ହୋଇଛି। ଏହି ଶିବିରରେ ଯୋଗ ଦେବ ନାହିଁ ବୋଲି ପୂର୍ବରୁ ସ୍ପଷ୍ଟ କରି ସାରିଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ। ଏହି ଶିବିରକୁ ବୟକଟ କରିବାକୁ ସେ ବିଜେଡିକୁ ମଧ୍ୟ ଆହ୍ଵାନ ଦେଇଥିଲେ। ଏଥିରେ ଯୋଗ ଦେବା ନେଇ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ। ତାଙ୍କ କହିବା ଅନୁସାରେ, ଏହା କୌଣସି ଦଳୀୟ ନିଷ୍ପତ୍ତି ନୁହେଁ। ବରଂ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରାଯାଇଛି। ତେଣୁ ଶିବିରକୁ ଯିବେ କି ନାହିଁ, ସେ ନିଜେ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।
ପ୍ରଶିକ୍ଷଣ ଶିବିରର ଆବଶ୍ୟକତାକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ଅରୁଣ ସାହୁ। ବର୍ତ୍ତମାନର ବିଧାନସଭା କାର୍ଯ୍ୟକାଳର ଅଢ଼େଇ ବର୍ଷ ପୂରିବା ପରେ ପୁଣି ଥରେ ବିଧାୟକମାନଙ୍କ ପାଇଁ ପ୍ରଶିକ୍ଷଣର ଆବଶ୍ୟକତା କାହିଁକି ପଡ଼ିଲା ବୋଲି ସେ ପ୍ରଶ୍ନ କରିଛନ୍ତି। ବିଧାନସଭା ଠିକ୍ ଭାବେ ଚାଲୁନାହିଁ କି, ମନ୍ତ୍ରୀମାନଙ୍କ କାର୍ଯ୍ୟଧାରାରେ ତ୍ରୁଟି ରହୁଛି କି, ଯେଉଁଥିପାଇଁ ଏଭଳି ପ୍ରଶିକ୍ଷଣ ଶିବିର ଆୟୋଜନ କରିବାକୁ ପଡ଼ୁଛି ବୋଲି ସେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।
ବିଧାୟକମାନଙ୍କ ମୁଖ୍ୟ କାର୍ଯ୍ୟ ହେଉଛି ଆଇନ ପ୍ରଣୟନ ଓ ଜନସାଧାରଣଙ୍କ ସମସ୍ୟାକୁ ବିଧାନସଭାରେ ଉପସ୍ଥାପନ କରିବା। କିନ୍ତୁ ବିନା ଆଲୋଚନାରେ ବିଲ୍ ପାସ୍ ହୋଇଯାଉଛି। ବଜେଟ୍ ଉପସ୍ଥାପନ ଓ ଅନୁମୋଦନ ହେଉଛି, ହେଲେ ଏଥିରେ ହେଉଥିବା ଖର୍ଚ୍ଚ ଏବଂ ସରକାରୀ ଅର୍ଥର ବିନିଯୋଗକୁ ନେଇ କେତେ ଆଲୋଚନା ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି।
ଅରୁଣ ସାହୁ ଆହୁରି କହିଛନ୍ତି ଯେ, ପ୍ରଶିକ୍ଷଣ ଶିବିରରେ କେବଳ ଗୋଟିଏ ପକ୍ଷରୁ ଭାଷଣ ଦିଆଯିବ ନା ଉପସ୍ଥିତ ବିଧାୟକମାନଙ୍କୁ ମଧ୍ୟ ନିଜର ମତ ରଖିବାକୁ ସୁଯୋଗ ମିଳିବ, ତାହା ସ୍ପଷ୍ଟ ହେବା ଦରକାର। କେବଳ ଭାଷଣ ଶୁଣିବା ପାଇଁ ପ୍ରଶିକ୍ଷଣ ଶିବିରର ଆୟୋଜନ କେତେଦୂର ଫଳପ୍ରଦ ହେବ, ସେନେଇ ସେ ସନ୍ଦେହ ପ୍ରକାଶ କରିଛନ୍ତି।
ସେହିପରି ବିଧାନସଭାରେ କୌଣସି କାର୍ଯ୍ୟକ୍ରମ ହେଲେ ବିଧାୟକମାନଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ କରାଯିବା ଏକ ସାଧାରଣ ପ୍ରକ୍ରିୟା ବୋଲି ସେ କହିଛନ୍ତି। କଂଗ୍ରେସ ଏହି ପ୍ରସଙ୍ଗରେ ନିଜର ମତ ରଖିସାରିଛି। ଏହା ଉପରେ ତାଙ୍କର କିଛି କହିବାର ନାହିଁ ବୋଲି ଅରୁଣ ସାହୁ ସ୍ପଷ୍ଟ କରିଛନ୍ତି।
ବିଧାନସଭାର କାର୍ଯ୍ୟଦିବସକୁ ନେଇ ମଧ୍ୟ ସେ ସରକାରଙ୍କୁ ଘେରିଛନ୍ତି। ନିୟମ ଅନୁସାରେ ବିଧାନସଭା ବର୍ଷକୁ ୬୦ ଦିନ ଚାଲିବା ଉଚିତ। କିନ୍ତୁ ବାସ୍ତବରେ ସେତିକି ଦିନ ଗୃହ କାର୍ଯ୍ୟ ଚାଲୁଛି କି ନାହିଁ, ତାହା ଉପରେ ସେ ପ୍ରଶ୍ନ ଉଠାଇଛନ୍ତି। ଏପରିକି ସପ୍ଲିମେଣ୍ଟାରୀ ବଜେଟ୍ ପାସ୍ ହେବା ପରେ ବିଧାନସଭା ବନ୍ଦ ହୋଇଯିବ ବୋଲି ସେ ଦାବି କରିଛନ୍ତି।
ତେବେ ବିଧାୟକଙ୍କ ପ୍ରଶିକ୍ଷଣ ଶିବିରକୁ ନେଇ ଅରୁଣ ସାହୁଙ୍କ ଏହି ମନ୍ତବ୍ୟ ପରେ ରାଜନୈତିକ ମହଲରେ ଚର୍ଚ୍ଚା ବଢ଼ିଛି। ଶିବିରରେ ତାଙ୍କର ଯୋଗଦାନ ନିଷ୍ପତ୍ତି ଉପରେ ଏବେ ସମସ୍ତଙ୍କ ନଜର ରହିଛି।
