Images

ଏବେ ତୁମେ ଛୋଟ ପିଲା, କିଛି ଜାଣିନ; ତେଜସ୍ବୀଙ୍କ ଉପରେ ବର୍ଷିଲେ ନୀତିଶ

Spread the love

ପାଟନା: ଭୋଟର ତାଲିକା ସଂଶୋଧନ ପ୍ରସଙ୍ଗରେ ବୁଧବାର ବିହାର ବିଧାନସଭାରେ ଏକ ବଡ଼ ହଟ୍ଟଗୋଳ ଦେଖିବାକୁ ମିଳିଥିଲା। ଯେତେବେଳେ ଆରଜେଡି ନେତା ତେଜସ୍ୱୀ ଯାଦବ ସ୍ୱତନ୍ତ୍ର ସଂଶୋଧନ କରିବା ନେଇ ତୀବ୍ର ପ୍ରଶ୍ନ ପଚାରିଲେ, ସେତେବେଳେ ନୀତିଶ କୁମାର ତାଙ୍କ ଆସନରୁ ଉଠିପଡ଼ି ତାଙ୍କୁ ଛୁଆ ବୋଲି କହିଥିଲେ। ଏହା ସହ ତାଙ୍କ ବାପାଙ୍କ ସରକାରରେ କୌଣସି ଉନ୍ନତିମୂଳକ କାମ ହୋଇନଥିବା କହିଥିଲେ।
ଆଗକୁ ନିର୍ବାଚନ ଥିବା ବେଳେ ଏବେ ବିହାରରେ ରାଜନୀତି ଜୋରସୋରରେ ଆରମ୍ଭ ହୋଇଛି। ବିହାରରେ କ୍ଷମତା ହାସଲ କରିବା ପାଇଁ ବିଭିନ୍ନ ଦଳ ନିଜର ପ୍ରୟ‌ାସ ଆରମ୍ଭ କରିଛନ୍ତି। ଏମଧ୍ୟରେ ମୁହାଁମୁହିଁ ହୋଇଛନ୍ତି ତେଜସ୍ବୀ-ନୀତିଶ। ଅତୀତରେ ଉଭୟ ମିଶି ସରକାର ଚଳାଇଥିବା ବେଳେ ଏବେ ବିରୋଧୀ ପାଲଟିଛନ୍ତି।
ବିହାର ବିଧାନସଭାର ମୌସୁମୀ ଅଧିବେଶନର ତୃତୀୟ ଦିନରେ ତେଜସ୍ବୀଙ୍କ ଉପରେ ବିରକ୍ତି ପ୍ରକାଶ କରି ନୀତିଶ କହିଛନ୍ତି,” ତୁମେ ଛୋଟ ଥିଲ ଯେତେବେଳେ ତୁମର ପିତାମାତା (ଲାଲୁ ପ୍ରସାଦ ଯାଦବ ଏବଂ ରାବ୍ରୀ ଦେବୀ) ମୁଖ୍ୟମନ୍ତ୍ରୀ ଥିଲେ। ସେ ସମୟରେ ସେମାନେ ରାଜ୍ୟ ପାଇଁ କ’ଣ କାମ କରିଥିଲେ? ଆମେ ତୁମକୁ ସାଙ୍ଗରେ ନେଇ ସରକାର ଗଢ଼ିଲୁ। କିନ୍ତୁ ତୁମେମାନେ ଠିକ୍ କାମ କରୁନଥିବା ଜାଣି ଆମେ ପୁଣି ତୁମମାନଙ୍କଠାରୁ ଅଲଗା ହୋଇଗଲୁ। ତୁମେ ଏବେ ଛୋଟ ପିଲା। କିଛି ଜାଣିନ। ସମସ୍ତେ ଦେଖିଛନ୍ତି ଆମେ କେତେ କାମ କରିଛୁ। କିଛି ମାସ ପରେ ନିର୍ବାଚନ ହେବ। ଜନତା ଯାହାକୁ ବାଛିବାକୁ ଚାହୁଁଛନ୍ତି ତାଙ୍କୁ ବାଛିବେ।”
ତେଜସ୍ୱୀଙ୍କୁ ସିଧାସଳଖ ସମାଲୋଚନା କରି ସେ କହିଛନ୍ତି, “ତୁମ ସରକାରରେ କିଏ ମହିଳାଙ୍କ ପାଇଁ କିଛି କରିଛି କି? ଯଦି ନିର୍ବାଚନ ଲଢ଼ିବାକୁ ଚାହୁଁଛ, ତେବେ ନିର୍ବାଚନ ଲଢ଼। କିନ୍ତୁ ନିର୍ବାଚନ ଲଢ଼ିବା ପାଇଁ ଅଯଥା କଥା କୁହ ନାହିଁ।”
ତାଙ୍କ ସରକାର ମହିଳାଙ୍କ ପାଇଁ କରିଥିବା କାର୍ଯ୍ୟର ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ ନୀତିଶ କହିଥିଲେ ଯେ, “ପ୍ରଥମେ ମହିଳାଙ୍କ ପାଇଁ କେହି କିଛି କରିଥିଲେ କି? ଆମେ ତାଙ୍କ ପାଇଁ ୫୦ପ୍ରତିଶତ ସଂରକ୍ଷଣ ଆରମ୍ଭ କଲୁ। ଆଜି ଗୃହରେ ତିନି-ଚାରି ଜଣ ମହିଳା ବିଧାୟକ ଅଛନ୍ତି।”

Leave a Reply

Your email address will not be published. Required fields are marked *