In

ଭାରତୀୟ ଅର୍ଥନୀତିକୁ ତଳିତଳାନ୍ତ କରିଦେବୁ, ଆମେରିକାର ଧମକ

Spread the love

ଓ୍ବାସିଂଟନ : ରୁଷରୁ ଶସ୍ତାରେ ତେଲ କିଣୁ ଥିବା ଚୀନ, ଭାରତ ଓ ବ୍ରାଜିଲକୁ ପୁଣି ଥରେ ଧମକ ଦେଇଛି ଆମେରିକା । ଯଦି ଏହି ଦେଶଗୁଡ଼ିକ ରୁଷରୁ ଶସ୍ତା ତେଲ କିଣିବା ଜାରି ରଖନ୍ତି, ତେବେ ସେମାନଙ୍କର ଅର୍ଥନୀତିକୁ ବଡ଼ କ୍ଷତି ସହିବାକୁ ପଡ଼ିପାରେ ବୋଲି ଆମେରିକାର ଜଣେ ସିନେଟର ଧମକ ଦେଇଛନ୍ତି।

ଆମେରିକାର ସେନେଟର ଲିଣ୍ଡସେ ଗ୍ରାହାମ୍ ସମ୍ପ୍ରତି ଫକ୍ସ ନ୍ୟୁଜ୍ରେ ଖୋଲାଖୋଲି ଭାରତ, ଚୀନ ଓ ବ୍ରାଜିଲକୁ ଧମକାଇଥିଲେ। ଏହି ତିନିଦେଶକୁ ଟାର୍ଗେଟ କରି ସେ କହିଛନ୍ତି, ଯଦି ତୁମେମାନେ ରୁଷରୁ ଶସ୍ତା ତେଲ କିଣି ୟୁକ୍ରେନ୍ ଯୁଦ୍ଧକୁ ଅର୍ଥ ଯୋଗାଇବ, ତେବେ ଆମେ ତୁମର ଅର୍ଥନୀତିକୁ ଧ୍ୱଂସ କରିଦେବୁ। ଗ୍ରାହାମ୍ କହିଛନ୍ତି ଯେ ଏହି ତିନୋଟି ଦେଶ ରୁଷର ପ୍ରାୟ ୮୦% ତେଲ କିଣୁଛନ୍ତି, ଯାହା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଯୁଦ୍ଧ ଯନ୍ତ୍ରପାତିକୁ ପାଣ୍ଠି ଯୋଗାଇ ଆସୁଛି ।

ସେନେଟର ଲିଣ୍ଡସେ ଗ୍ରାହାମ ଏବଂ ରିଚାର୍ଡ ବ୍ଲୁମେନ୍ଥଲ ମିଳିତ ଭାବରେ ଆମେରିକୀୟ ସଂସଦରେ ଏକ ବିଲ୍ ଆଗତ କରିଛନ୍ତି, ଯେଉଁଥିରେ ରୁଷରୁ ତେଲ ଏବଂ ଗ୍ୟାସ କିଣୁଥିବା ଦେଶମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ବିଷୟରେ କୁହାଯାଇଛି। ଏହି ବିଲ୍ ରେ ୫୦୦% ପର୍ଯ୍ୟନ୍ତ ଶୁଳ୍କ ଲଗାଇବା ବିଷୟରେ ପ୍ରସ୍ତାବ ଦିଆଯାଇଛି। ଅର୍ଥାତ୍, ଯଦି ଭାରତ, ଚୀନ୍ କିମ୍ବା ବ୍ରାଜିଲ ରୁଷରୁ ତେଲ କିଣୁଛନ୍ତି, ତେବେ ସେମାନଙ୍କ ସାମଗ୍ରୀ ଉପରେ ଏତେ ଭାରୀ ଟିକସ ଲାଗୁ ହୋଇପାରେ ଯେ ସେମାନଙ୍କ ଅର୍ଥନୀତିକୁ ବଡ଼ ଝଟକା ଲାଗିବ।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହି ତିନି ଦେଶକୁ ଚେତାବନୀ ଦେଇଥିଲେ । ସେହିପରି ନାଟୋ ଏବଂ ୟୁରୋପୀୟ ସଂଘ ପକ୍ଷରୁ ମଧ୍ୟ ଭାରତକୁ ଚେତାବନୀ ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *