Jagdeep Dhankhar 1604141565

ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା, ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇଲେ

Spread the love

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖର ସୋମବାର ଦିନ ନିଜ ପଦରୁ ଇସ୍ତଫା ଦେଇଛନ୍ତି, ଯାହାଫଳରେ ଦେଶର ରାଜନୈତିକ ମହଲରେ ହଠାତ୍ ଚର୍ଚ୍ଚା ସୃଷ୍ଟି ହୋଇଛି। ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। 

ସମ୍ବିଧାନର ଧାରା ୬୭(କ) ଅନୁଯାୟୀ ସେ ଏହି ଇସ୍ତଫା ପ୍ରଦାନ କରିଛନ୍ତି, ଯେଉଁଥିରେ ଜଣେ ଉପରାଷ୍ଟ୍ରପତି ନିଜ କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ରାଷ୍ଟ୍ରପତିଙ୍କୁ ଲିଖିତ ଭାବେ ଇସ୍ତଫା ଦେଇପାରିବେ। 

ନିଜ ଇସ୍ତଫା ପତ୍ରରେ ଶ୍ରୀ ଧନଖର ଉଲ୍ଲେଖ କରିଛନ୍ତି ଯେ, “ସ୍ୱାସ୍ଥ୍ୟ ସେବାକୁ ପ୍ରାଥମିକତା ଦେବା ଏବଂ ଡାକ୍ତରୀ ପରାମର୍ଶ ପାଳନ କରିବା ପାଇଁ ମୁଁ ତୁରନ୍ତ ଭାରତର ଉପରାଷ୍ଟ୍ରପତି ପଦରୁ ଇସ୍ତଫା ଦେଉଛି।” ସେ ତାଙ୍କ କାର୍ଯ୍ୟକାଳ ସମୟରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ “ଅବିଚଳ ସମର୍ଥନ” ଏବଂ “ଉତ୍ତମ କାର୍ଯ୍ୟ ସମ୍ପର୍କ” ପାଇଁ ଗଭୀର କୃତଜ୍ଞତା ଜଣାଇଛନ୍ତି। ଏଥିସହ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମନ୍ତ୍ରୀ ପରିଷଦର ସହଯୋଗ ପାଇଁ ମଧ୍ୟ ଧନ୍ୟବାଦ ଅର୍ପଣ କରିଛନ୍ତି। 

ସଂସଦର ସମସ୍ତ ସଦସ୍ୟଙ୍କଠାରୁ ମିଳିଥିବା ସ୍ନେହ, ବିଶ୍ୱାସ ଓ ଆନ୍ତରିକତା ତାଙ୍କ ସ୍ମୃତିରେ ସବୁଦିନ ପାଇଁ ରହିବ ବୋଲି ସେ କହିଛନ୍ତି।

ଜଗଦୀପ ଧନଖରଙ୍କ ଏହି ଅପ୍ରତ୍ୟାଶିତ ଇସ୍ତଫା ପରେ ଦେଶର ରାଜନୈତିକ ମହଲରେ ବିଭିନ୍ନ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ତାଙ୍କର ଏହି ନିଷ୍ପତ୍ତି ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ଦିନରେ ଆସିଥିବାରୁ ଏହା ଅଧିକ ଗୁରୁତ୍ୱ ବହନ କରୁଛି। 

ସୂଚନାଯୋଗ୍ୟ ଯେ, ଶ୍ରୀ ଧନଖରଙ୍କର କିଛି ମାସ ପୂର୍ବରୁ ହୃଦ୍‌ରୋଗ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇଥିଲା ଏବଂ ସେ ଦିଲ୍ଲୀସ୍ଥିତ ଏମ୍ସରେ ଚିକିତ୍ସିତ ହୋଇଥିଲେ।

Leave a Reply

Your email address will not be published. Required fields are marked *