Aiims

ଏମ୍‌ସ ରେ ଚିକିତ୍ସାଧୀନ ବଳଙ୍ଗା ନାବାଳିକା ପୀଡିତାଙ୍କ ବୟାନ ରେକର୍ଡ

Spread the love

ଭୁବନେଶ୍ବର: ଦୁର୍ବୃତ୍ତଙ୍କ ଦ୍ବାରା ଦେହରେ ନିଆଁ ଲାଗିଲା ପରେ ଏମ୍‌ସ ଭୁବନେଶ୍ବରରେ ଚିକିତ୍ସାଧୀନ ନାବାଳିକାର ବୟାନ ରେକର୍ଡ କରାଯାଇଛି। ପୁରୀଜିଲ୍ଲା ବଳଙ୍ଗା ଟିମ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ନାବାଳିକା ବୟାନ ଦେଇଛନ୍ତି। ୧୮୦ବିଏନ୍‌ଏସ୍‌ଏସ୍‌ରେ ବୟାନ ରେକର୍ଡ କରାଯାଇଥିବା ଜଣାଯାଇଛି।

ଏହା ପୂର୍ବରୁ ନାବାଳିକାଙ୍କ ପୀଡିତାଙ୍କ ମା’ ମୁହଁ ଖୋଲିଛନ୍ତି। ଆଜି ଅପରାହ୍‌ଣରେ ପୀଡ଼ିତାଙ୍କ ମା’ ବଳଙ୍ଗା ଥାନାରେ ଏତଲା ଦେଇଛନ୍ତି। ପୀଡ଼ିତାଙ୍କ ମା’ଙ୍କ ଏତଲା କ୍ରମେ ପୁଲିସ ମାମଲା ରୁଜୁ କରିଛି।

ପୁରୀ ଆରକ୍ଷୀ ଅଧୀକ୍ଷକ ପିନାକ ମିଶ୍ର କହିଛନ୍ତି, ଷଡ଼ଯନ୍ତ୍ର ଦିଗକୁ ତଦନ୍ତରେ ପ୍ରାଥମିକତା ଦିଆଯାଇଛି। କାରଣ କେଉଁଠୁ କିରାସିନି ଆସିଲା। ତାକୁ ବି ଅନୁଧ୍ୟାନ କରାଯାଉଛି। ସାଇବର ଏକ୍ସପର୍ଟମାନଙ୍କ ମଧ୍ୟ ସହଯୋଗ ନିଆଯାଇଛି। ସିସିଟିଭି ଫୁଟେଜ ମିଲିନି କି କେହି ଅଟକ ନାହାନ୍ତି। କେବଳ ପୀଡିତାଙ୍କ ସମ୍ପର୍କୀୟ ଓ ସାଙ୍ଗଙ୍କ ବୟାନ ରେକର୍ଡ କରାଯାଉଛି। ଆଜି ସକାଳ ୯ଟା ସମୟରେ ପୁଲିସ ଏହି ଘଟଣା ସମ୍ପର୍କରେ ଖବର ପାଇଲା। ପ୍ରାଥମିକତା ରହିଲା ପୀଡ଼ିତାଙ୍କ ଚିକିତ୍ସା। ପୀଡିତାଙ୍କ ମାଆ ବଳଙ୍ଗା ଥାନାରେ ଏଫ୍‌ଆଇଆର ଦେଇଛନ୍ତି। ପୀଡିତା ମଧ୍ୟ ବିଚାରପତିଙ୍କ ଉପସ୍ଥିତିରେ ବୟାନ ଦେଇଛନ୍ତି। ସବୁ ଦିଗକୁ ନେଇ ତଦନ୍ତ ହେଉଛି।

ଅଭିଯୋଗରେ ପୀଡ଼ିତାଙ୍କ ମା’ କହିଛନ୍ତି, ଝିଅକୁ ପୋଡ଼ି ମାରି ଦେବାକୁ ଉଦ୍ୟମ କରାଯାଇଥିଲା। ଆଜି ପୂର୍ବାହ୍‌ଣରେ ଝିଅ ତାର ବଡ଼ବାପାଙ୍କ ଘରକୁ ଯାଉଥିଲା। ଏହି ସମୟରେ ପୂର୍ବରୁ ଟାର୍ଗେଟ କରିଥିବା ଦୁର୍ବୃତ୍ତମାନେ ଅପହେରଣ କରିଥିଲେ। ତିନି ଜଣ ଦୁର୍ବୃତ୍ତ ନାବାଳିକା ଝିଅକୁ ଅପହରଣ କରି ନଦୀବନ୍ଧ ପାଖକୁ ନେଇଯାଇଥିଲେ। ସେଠାରେ କିରାସିନି ଢ଼ାଳି ନିଆଁ ଲଗାଇଥିଲେ। ମାତ୍ର ଝିଅ ଉପସ୍ଥିତ ବୁଦ୍ଧି ଲଗାଇ ସେମାନଙ୍କ ପାଖରୁ ଖସି ଆସିଥିଲା। ସ୍ଥାନୀୟ ଲୋକେ ତାକୁ ଉଦ୍ଧାର କରିଥିଲେ। ଯେଉଁ ୩ ଅଭିଯୁକ୍ତ ଅପହରଣ କରିଥିଲେ, ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ। ଅଭିଯୁକ୍ତମାନଙ୍କର ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ।

Leave a Reply

Your email address will not be published. Required fields are marked *