ବିଧାୟକ ଜୟନାରାୟଣ ମିଶ୍ରଙ୍କ ପିଛା ଛାଡୁନି ବିବାଦ
ସମ୍ବଲପୁର: ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ପିଛା ଛାଡୁନି ବିବାଦ କିମ୍ବା ସେ ବିବାଦକୁ ଡାକୁଛନ୍ତି ବୋଲି ସହରରେ ଚର୍ଚ୍ଚା ଲାଗି ରହିଛି। ବିବାଦ ସହିତ ଜୟନାରାୟଣଙ୍କ ପୁରୁଣା ସମ୍ପର୍କ ରହିଥିବାବେଳେ ପୁଣି ଏକ ବିବାଦରେ ତାଙ୍କର ସଂପୃକ୍ତିକୁ ନେଇ ଚାରିଆଡେ ଚର୍ଚ୍ଚା। ଆଗାମୀ ରାମ ନବମୀ ଓ ହନୁମାନ ଜୟନ୍ତୀ ପାଇଁ ସହରରେ ଉତ୍ସାହ ଓ ଉନ୍ମାଦନା ବୃଦ୍ଧି ପାଉଥିବାବେଳେ ହନୁମାନ ଜୟନ୍ତୀ ସମନ୍ୱୟ ସମିତି ପକ୍ଷରୁ ଏବେ ବିଭିନ୍ନ ଅଞ୍ଚଳରେ ଝଣ୍ଡା ସ୍ଥାପନର କାର୍ଯ୍ୟକ୍ରମ ଜାରି ରହିଛି। ଗତ ୨ ତାରିଖ ବୁଧବାର ରାତିରେ ପୁରୁଣା ବସ୍ତି ଅଞ୍ଚଳରେ ଝଣ୍ଡା ସ୍ଥାପନ ଉତ୍ସବ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମ ସମୟରେ ସମିତିର ସଦସ୍ୟମାନେ ବହୁ ସଂଖ୍ୟାରେ ଯୋଗ ଦେଇ ପାରମ୍ପରିକ ବାଦ୍ୟ ଓ ଆଖଡାର ତାଳରେ ପୁରୁଣା ବସ୍ତି ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲି ବୁଲି ଝଣ୍ଡା ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମର ଶେଷ ସ୍ଥଳ ଗୋଲ ବଜାର ହୋଇଥିବାରୁ ସେଠାରେ ଏହି ଝଣ୍ଡା ସ୍ଥାପନ ଶୋଭାଯାତ୍ରା ପହଞ୍ଚିବାପରେ ସେଠାରେ ଝଣ୍ଡା ସ୍ଥାପନ ସମୟରେ ପାରମ୍ପରିକ ଆଖଡା ଖେଳ ହୋଇଥିଲା। ଏହି ସମୟରେ କିଛି ଯୁବକ ଖଣ୍ଡା ଧରି ଆଖଡା ଖେଳ ପୁଲିସ ସମ୍ମୁଖରେ ପ୍ରଦର୍ଶନ କରିଥିଲେ। ଏହାକୁ ପୁଲିସ ବିରୋଧ କରିବାରୁ କିଛି ସମୟ ଧରି ଉଚ୍ଚବାଚ ସହିତ ଛକାପଞ୍ଜା ଜାରି ରହିଥିଲା। ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଥିବାବେଳେ ପୁଲିସ ପକ୍ଷରୁ ଟାଉନ ଥାନାରେ ୮ ଜଣଙ୍କ ବିରୋଧରେ ଏକ ମୋକଦ୍ଦମା ରୁଜୁ କରାଯାଇଛି। ଏଥି ସହ ଜଣେ ପୁଲିସ ଅଧିକାରୀଙ୍କୁ ଗାଳିଗୁଲଜ କରିବା ଅଭିଯୋଗରେ ମଧ୍ୟ ଜୟନାରାୟଣଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯାଇଥିବା କୁହାଯାଉଛି। ତେବେ ଏହି ମାମଲାରେ ସମ୍ବଲପୁର ପୁଲିସର କେହି ମଧ୍ୟ ମୁହଁ ଖୋଲିବାର ସାହସ କରୁନାହାନ୍ତି।