ଅରୁଣାଚଳ ପ୍ରଦେଶରେ ଭୂକମ୍ପ ଝଟକା ଅନୁଭୂତ, ତୀବ୍ରତା ୩.୫
ମିଆଁମାର ଏବଂ ଥାଇଲାଣ୍ଡ ପରେ ଅରୁଣାଚଳ ପ୍ରଦେଶର ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୩.୫ ରହିଥିଲା । ଅପରାହ୍ନ ୨ଟା ୩୮ ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଭୂକମ୍ପରେ କିଛି କ୍ଷୟକ୍ଷତି ହୋଇନାହିଁ । ଭୂକମ୍ପର କେନ୍ଦ୍ର ଅରୁଣାଚଳ ପ୍ରଦେଶର ଶୀ ୟୋମିର ଠାରୁ ୧୦କିମି ଗଭୀରତା ରହିଥିଲା । ଏହା ପୂର୍ବରୁ ଭାରତର ଦିଲ୍ଲୀ ଏନସିଆର, ମଣିପୁର, ମେଘାଳୟରେ ୪.୦ ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା ।
ସୂଚନାଯୋଗ୍ୟ, ମିଆଁମାର ଏବଂ ଥାଇଲ୍ୟାଣ୍ଡରେ ଶୁକ୍ରବାର ଦିନ ୭.୭ ତୀବ୍ରତାର ଭୂ-କମ୍ପ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯେଉଁଥିରେ ଅତି କମରେ ୧,୭୦୦ ଲୋକଙ୍କର ମୃତ୍ୟୁ ହୋଇଛି ଏବଂ ୩,୦୦୦ ରୁ ଅଧିକ ଆହତ ହୋଇଛନ୍ତି। ଉଦ୍ଧାର ପ୍ରୟାସ ଜାରି ରହିଛି । ଅନେକ ଲୋକ ଧ୍ବଂସ ସ୍ତୁପ ତଳେ ଚାପି ହୋଇ ରହିଛନ୍ତି । ଅନେକ ପୋଲ ଭାଙ୍ଗି ଯାଇଛି । ରାସ୍ତା ଫାଟି ଯାଇଛି । ବହୁ ବଡ଼ ବଡ଼ ଡ୍ୟାମ କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପ ପରେ ମିଆଁମାରରେ ରାଷ୍ଟ୍ରୀୟ ବିପତ୍ତି ଘୋଷଣା କରାଯାଇଛି । ଭୂମିକମ୍ପରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ନାପିଡୋ ଓ ମଣ୍ଡାଲୟ ।
ଅପରେସନ ବ୍ରହ୍ମାରେ ମିଆଁମାରକୁ ରିଲିଫ ପଠାଇଛି ଭାରତ । ମିଆଁମାରକୁ ଭାରତୀୟ ବାୟୁସେନାର C 130 ବିମାନ ମ୍ୟାମାରର ଦ୍ବିତୀୟ ବୃହତ ସହର ନାପିଡୋରେ ପହଞ୍ଚିଛି । ଉଦ୍ଧାର କାର୍ଯ୍ୟ ପାଇଁ ସନ୍ଧାନୀ କୁକୁର ସହ NDRF ଟିମ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଛି । ସେହିପରି ଭାରତ ଅପରେସନ ବ୍ରହ୍ମା ଅନ୍ତର୍ଗତ ଏକ ସ୍ପେଶାଲ ମେଡିକାଲ ଟାସ୍କ ଫୋର୍ସ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରିଛି ।
ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପ ପରେ ଟୋଙ୍ଗାରେ ଭୟଙ୍କର ଭୂକମ୍ପର ଝଟକା । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୬.୧ ରେକର୍ଡ କରାଯାଇଛି ।